ପଲିଟେକ୍‌ନିକ୍‌ ଏବଂ ଇଞ୍ଜିନିରିଂ ଶିକ୍ଷାରେ ସାମିଲ ହେବେ ସ୍ବୀକୃତି ପାପ୍ତ ସର୍ବେକ୍ଷକ

ଭୁବନେଶ୍ବର () ଓଡ଼ିଶାରେ ତାଲିମ ପ୍ରାପ୍ତ ଯବୁକ ଯୁବତୀମାନଙ୍କର କର୍ମନିୟୋଜନ ଏବଂ ଆତ୍ମନିଯୁକ୍ତି ସୁଯୋଗ ବଢ଼ାଇବା ନିମନ୍ତେ ସ୍ବୀକୃତି ପ୍ରାପ୍ତ ସର୍ବେକ୍ଷକ କୌଶଳ ତାଲିମ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ କୌଶଳ ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂ ଲାଇନସେନ୍‌ସ୍‌ଡ୍‌ ସର୍ଭେୟର ତାଲିମର ଆବଶ୍ୟକତା ଓ ସେମାନଙ୍କର ବଜାର ଚାହିଦା ବିଷୟରେ ସବିଶେଷ ତଥ୍ୟ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ପ୍ରସ୍ତାବର ଆବଶ୍ୟକତାକୁ ବିଚାର କରି ଏହାକୁ ରାଜ୍ୟର ପଲିଟେକ୍‌ନିକ୍‌ ଏବଂ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ୨୦୧୯-୨୦୨୦ ଶିକ୍ଷା ବର୍ଷରୁ ଏହା ଆରମ୍ଭ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ଚଳିତ ଜାନୁୟାରୀ ମାସ ଶେଷ ସୁଦ୍ଧା ଭୁବନେଶ୍ବର ସରକାରୀ ପଲିଟେକ୍‌ନିକ୍‌ କଲେଜରେ ଏକ ସ୍ବଳ୍ପ-ସୁତ୍ରୀ ମଡ଼ୁଲାର କୋର୍ସ ଆରମ୍ଭ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା ।

ବିଭାଗୀୟ ଶାସନ ସଚିବ ଜଣାଇଥିଲେ ଯେ ଲାଇସେନ୍‌ସ୍‌ଡ୍‌ ସର୍ଭେୟର ତାଲିମ ପାଇଁ ତାଲିମ ବିଷୟବସ୍ତୁ ସ୍ଥିର କରାଯାଇଛି । ଏଥିରେ ପାରମ୍ପରିକ ସର୍ଭେ, ବୈଦୁତିକ ସର୍ଭେ ଏବଂ ଅତ୍ୟାଧୁନିକ ଡ଼ି.ଜି.ପି.ଏସ୍‌ ସର୍ଭେ କୌଶଳ ଆଦି ଶିକ୍ଷା ଦିଆଯିବ । ସମୁଦାୟ ପାଠ୍ୟକ୍ରମରେ ୬୦% କ୍ଷେତ୍ରଭିତ୍ତିକ ପ୍ରାକଫିକାଲ୍‌ ଶିକ୍ଷା ହେବ । ମଡୁଲାର କୋର୍ସ ରେ ତାଲିମ ଅବଧି ତିନିମାସ ହେବ ଏବଂ ଏହା ସ୍ବୟଂ-ବିତ୍ତୀୟ ବ୍ୟବସ୍ଥା ଭିତ୍ତିକ ହେବ ବୋଲି ଶ୍ରୀ ସିଂ କହିଥିଲେ । ତାଲିମ ଗ୍ରହିତା ସମୁଦାୟ ୮ ହଜାର ଟଙ୍କା କୋର୍ସ-ପିଂସ୍‌ ବାବଦରେ ଦେବେ । ପ୍ରଥମ ବ୍ୟାଚ୍‌ରେ ୪୦ ଜଣ ଛାତ୍ରଛାତ୍ରୀଙ୍କୁ ତାଲିମ ଦିଆଯିବ । ଏମାନଙ୍କ ମଧ୍ୟରେ ୨୦ ଜଣ ଙ୍କୁ ସିଭିଲ୍‌ ଇଞ୍ଜିନିୟରିଂ ଡ଼ିପ୍ଲୋମା ଏବଂ ୨୦ ଜଣ ଙ୍କୁ ବି.ଏସ୍‌.ସି ଇିଞ୍ଜିନୟରିଂ ରୁ ନିଆଯିବ ।

୨୦୧୯-୨୦ ଆର୍ଥିକ ବର୍ଷରୁ ପଲିଟେକ୍‌ନିକ୍‌ ଏବଂ ଇଞ୍ଜିନିଅରିଂ ପାଠ୍ୟକ୍ରମର ୫ ମ ଏବଂ ୬ ଷ୍ଠ ସେମିଷ୍ଟେର୍‌ ରେ ଏହା ତାଲିମକୁ ସନ୍ନିବେଶିତ କରାହେବ । ଏଥିପାଇଁ ମଧ୍ୟ ‘ଇଣ୍ଟରନ୍‌ସିପ୍‌’ ର ବ୍ୟବସ୍ଥା ମଧ୍ୟ ରହିବ ବୋଲି ଶ୍ରୀ ସିଂ କହିଥିଲେ ।

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା ଶାସନ ସଚିବ ସଂଜୟ ସିଂ, ଓରସାକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ କୁମାର ମଲ୍ଲିକ୍‌ , ବୈଷୟିକ ଶିକ୍ଷା ନିର୍ଦ୍ଦେଶକ ବଲ୍‌ବନ୍ତ ସିଂ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ଅତିରିକ୍ତ ଶାସନ ସଚିବ ସଂଗ୍ରାମ ମହାପାତ୍ର ପ୍ରମୁଖ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

three × 2 =