ନିୟମିଗିରିରୁ ବକ୍ସାଇଟ୍ ପାଇବାକୁ ପୁଣିଥରେ ଅଣ୍ଟା ଭିଡିଲା ବେଦାନ୍ତ
ଭୁବନେଶ୍ୱର : ନିୟମଗିରିରୁ ବକ୍ସାଇଟ ଉତ୍ତୋଳନ ପାଇଁ ବେଦାନ୍ତ ପୁଣିଥରେ ଆଗ୍ରହ ପ୍ରକାଶ କରିଛି । ଓଡିଶା ସରକାରଙ୍କ ସହିତ ଆଲୋଚନା ପରେ ବେଦାନ୍ତ ଗ୍ରୁପ୍ ଅଧ୍ୟକ୍ଷ ଅନୀଲ ଅଗ୍ରଓ୍ବାଲ ଏହି ସୂଚନା ଦେଇଛନ୍ତି । ନିଜର ଆଲୁମିନିୟମ କାରଖାନା ପାଇଁ ପାଇଥିବା ସିଜିମାଳି ଖଣି ଖନନରେ ବିଳମ୍ବ ହେବାରୁ ଏବେ ବେଦାନ୍ତ ପୁଣିଥରେ ନିୟମଗିରି ଉପରେ ଆଖି ପକାଇଥିବା ନେଇ ଆଲୋଚନା ଆରମ୍ଭ ହୋଇଛି ।
ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ କହିଥିଲେ ଯେ ନିୟମଗିରିରୁ ବକ୍ସାଇଟ୍ ଖନନ ପାଇଁ ସହାୟତା କରିବାକୁ ଓଡିଶା ସରକାର ରାଜି ଅଛନ୍ତି । ବକ୍ସାଇଟ ଖନନ ସହିତ ସେହି ଅଞ୍ଚଳର ଆଦିବାସୀମାନଙ୍କୁ ରୋଜଗାର ଯୋଗାଇ ଦେବାପାଇଁ ରାଜ୍ୟ ସରକାର କହିଛନ୍ତି । ବେଦାନ୍ତ ଅଧ୍ୟକ୍ଷଙ୍କ ଗଣମାଧ୍ୟମରେ ଏଭଳି ବକ୍ତବ୍ୟ ଏବେ ନିୟମଗିରିର ଆଦିବାସୀମାନଙ୍କୁ ବିଶେଷକରି ନିୟମଗିରି ସୁରକ୍ଷା ପାଇଁ ମେଳି ହୋଇଥିବା ଡଙ୍ଗରିଆ କନ୍ଧମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ପୂର୍ବଭଳି ପୁଣିଥରେ ନିୟମଗିରିର ସୁରକ୍ଷାପାଇଁ ସେମାନେ ଏକାଠି ହେବାକୁ ପ୍ରସ୍ତୁତି ଚଳାଇଲେଣି ।
ଉଲ୍ଲେଖନୀୟ ଯେ ବେଦାନ୍ତ କମ୍ପାନୀ ପୂର୍ବରୁ ନିୟମଗିରିରୁ ବକ୍ସାଇଟ୍ ଖନନ ପାଇଁ ଉଦ୍ୟମ କରିଥିଲା । ହେଲେ ଆଦିମ ଆଦିବାସୀ ତଥା ବିଲୁପ୍ତ ପ୍ରାୟ ଡଙ୍ଗରିଆ କନ୍ଧମାନେ ଏହାକୁ ଜୋରଦାର ବିରୋଧ କରିଥିଲେ । କୌଣସି ପରିସ୍ଥିତିରେ ସେମାନେ ପୂଜା କରୁଥିବା ନିୟମ ରାଜାକୁ ଖୋଳିବାକୁ ଦେବେ ନାହିଁ ବୋଲି ଅଡି ବସିଥିଲେ । ଏହା ରାଜନୈତିକ ରଙ୍ଗ ନେବା ସହିତ ପରିବେଶ୍ବିିତ୍ମାକନେ ଡଙ୍ଗରିଆଙ୍କ ସପକ୍ଷରେ ବାହାରିଥିଲେ । ଫଳରେ ବେଦାନ୍ତ ନିୟମଗିରିରୁ ଫେରିବାକୁ ବାଧ୍ୟ ହୋଇଥିଲା ।
ବର୍ତ୍ତମାନ କମ୍ପାନୀକୁ ମିଳିଥିବା ସିଜିମାଳି ବକ୍ସାଇଟ ଖଣି ଖନନରେ ବେଦାନ୍ତ ବିଫଳ ହେବାପରେ ପୁଣିଥରେ ନିୟମଗିରିରୁ ବକ୍ସାଇଟ ଖନନ ପାଇଁ ଉଦ୍ୟମ ଆରମ୍ଭ କରିଛି । ସିଜିମାଳି ଖଣି ଖନନରେ ବିଦେଶୀମାନେ ସ୍ଥାନୀୟ ଆଦିବାସୀଙ୍କୁ ଉସକାଇବାରୁ ସେଠାରେ ଖନନ ହୋଇପାରୁନଥିବା ଖୋଦ ଅନୀଲ ଅଗ୍ରଓ୍ବାଲ ଖୋଲାଖୋଲି ଭାବେ କହିଛନ୍ତି । ତେବେ ବିଦେଶୀ ସଂସ୍ଥାମାନେ ଏଭଳି କରୁଥିବା କହି ଶ୍ରୀ ଅଗ୍ରଓ୍ବାଲ ରାଜ୍ୟ ସରକାରଙ୍କୁ ଏକ ପ୍ରକାର କାଠଗଡାରେ ଛିଡା କରାଇ ଦେଇଛନ୍ତି । କାରଣ ପୂର୍ବରୁ ଆଦିବାସୀ ବିରୋଧ କରୁଥିବା ନେଇ କୁହାଯାଉଥିବାବେଳେ ଏବେ ବିଦେଶୀଙ୍କ କଥା ଉଠିଛି । ରାଜ୍ୟ ସରକାରଙ୍କ ସମସ୍ତ ସହଯୋଗ ସତ୍ବେ ବିଦେଶୀମାନେ କିଭଳି ଓଡିଶାରେ ସକ୍ରିୟ ହେଲେ ତାହା ବଡ ପ୍ରଶ୍ନବାଚୀ ହୋଇଥିବାବେଳେ ୨୦୨୩ ମସିହାରେ ସିଜିମାଳି ଖଣି ପାଇଥିବା ବେଦାନ୍ତ କିନ୍ତୁ ସେଠାକୁ ରାସ୍ତାଟିଏ କରିପାରି ନାହିଁ ।
ବେଦାନ୍ତ ବକ୍ସାଇଟ୍ ହାତେଇବା ପାଇଁ ପୁଣିଥରେ ନିୟମଗିରି ଉପରେ ଆଖି ପକାଇବା ଏବେ ନୂଆ ବିବାଦ ଛିଡା କରାଇଛି । ଯଦିଓ ରାଜ୍ୟ ସରକାର ଏଥିପାଇଁ ରାଜିଥିବା ଶ୍ରୀ ଅଗ୍ରଓ୍ବାଲ ଗଣମାଧ୍ୟମକୁ କହିଛନ୍ତି, କିନ୍ତୁ ଅତୀତରେ ନିୟମଗିରି ସୁରକ୍ଷା ପାଇଁ ଲଢେଇ କରିଥିବା ବହୁ ନେତା, ପରିବେଶବିତ୍ ଏବେ କ୍ଷମତାରେ ଥିବାରୁ ସେମାନେ ନିଜ ଅଞ୍ଚଳର ଆଦିମ ଆଦିବାସୀଙ୍କ ସହିତ ରହିବେ ନା କମ୍ପାନୀ ସହିତ ଛିଡାହେବେ ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

