ଗୋଳିଆ ପାଣିରୁ ମାଛ ଧରିବାକୁ ଚେଷ୍ଟା କରୁଛି କଂଗ୍ରେସ : ବର୍ଷିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର () ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା ଏସ୍ଆଇଆର୍କୁ ନେଇ କଂଗ୍ରେସର ଅଭିଯୋଗ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୀର୍ଘ ବ୍ୟବଧାନ ପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଭୋଟର ତାଲିକାର ସ୍ୱତନ୍ତ୍ର ପୁନଃସଂଶୋଧନ କରାଯାଉଥିବା କହି, ଏହା ଡିଜିଟାଲ୍ ଓ ଘରକୁ ଘର ସତ୍ୟାପନ ପ୍ରକ୍ରିୟାରେ ହେଉଥିବା ସେ କହିଛନ୍ତି। ନିର୍ବାଚନ କମିଶନଙ୍କ ଅନୁସାରେ ଏସଆଇଆରର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ନାଗରିକଙ୍କ ନାଁ ଭୋଟର ତାଲିକାରୁ ବାଦ୍ ନପଡ଼ିବା ଏବଂ ଅଯୋଗ୍ୟ ନାମ ସାମିଲ ନହେବା। ମୁଖ୍ୟମନ୍ତ୍ରୀ କହିଛନ୍ତି, କଂଗ୍ରେସ ନିଜ ସ୍ୱାର୍ଥ ପାଇଁ ନିର୍ବାଚନ କମିଶନଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ନିର୍ବାଚନ କମିଶନ ପକ୍ଷରୁ ପ୍ରାୟ ଦୀର୍ଘ ୨୫ ବର୍ଷ ପରେ ସାରା ଦେଶରେ ସ୍ପେସିଆଲ୍ ଇନ୍ଟେନ୍ସିଭ୍ ରିଭିଜନ୍ ବା ଏସଆଇଆର୍ କାର୍ଯ୍ୟକାରୀ ହୋଇଛି। ଏହା ଅତ୍ୟନ୍ତ ସ୍ୱଚ୍ଛ ଏବଂ ଡିଜିଟାଲ ଟେକ୍ନୋଲୋଜିର ପ୍ରୟୋଗରେ ଦକ୍ଷତାର ସହ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ବିରୋଧୀ ଦଳ ଗୁଡିକ, ବିଶେଷ କରି କଂଗ୍ରେସ ଦଳ ଏହାକୁ ବିରୋଧ କରି ନାନା ପ୍ରକାର କୁତ୍ସାରଟନା କରୁଛି ଏବଂ ସାରା ଦେଶରେ ଗୋଟିଏ ନେଗେଟିଭ୍ ମାହୋଲ ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଦେଶର ଗଣତନ୍ତ୍ରର ସୁରକ୍ଷା ପାଇଁ ନିର୍ବାଚନ କମିଶନ ଭଳି, ଗୋଟିଏ ସାମ୍ବିଧାନିକ ସଂସ୍ଥାକୁ ନିଜର ସ୍ୱାର୍ଥ ପାଇଁ ବଦନାମ କରିବାକୁ ଉଦ୍ୟମ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସେ କହିଛନ୍ତି।
ସେ କହିଛନ୍ତି ଯେ, ପ୍ରଚାର କରାଯାଉଛି ଯେ, ୧୩ କୋଟି ଲୋକଙ୍କ ଭୋଟ କାଟି ଦିଆଯାଇଛି। କିନ୍ତୁ, ବାସ୍ତବିକ ତଥ୍ୟ ହେଉଛି, ଏଥିରୁ ୨.୮ କୋଟି ଲୋକ ମୃତ, ୩ କୋଟି ଅନୁପସ୍ଥିତ ଏବଂ ୬.୩ କୋଟି ଲୋକ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଛନ୍ତି। ୧ କୋଟି ଲୋକଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜିକୃତ ହୋଇଥିଲା। ତେଣୁ, ଏଗୁଡିକ ନାଁ କାଟି ଦିଆଯାଇଛି ବୋଲି କହିବା ଅତ୍ୟନ୍ତ ଅବିବେକି ଓ ଗଣତନ୍ତ୍ରର ପରିପନ୍ଥୀ। ଏହି ତାଲିକା ପ୍ରସ୍ତୁତି ଓ ଯାଞ୍ଚ ସମୟରେ ସାରା ଦେଶରେ ସବୁ ଦଳର ବୁଥ ସ୍ତରୀୟ ଏଜେଣ୍ଟ ଅଛନ୍ତି। ଏହା ସାମ୍ୱିଧାନିକ ଅବସ୍ଥାରେ ରହିଛି । ସେମାନେ ଯାଞ୍ଚ କରନ୍ତି ଏବଂ ଭୋଟରଙ୍କ ପାଇଁ ଦାବୀ ଓ ଆପତ୍ତି ଅଭିଯୋଗ କରିବାର ଅଧିକାର ବି ରହିଛି। ତେଣୁ, ତାଲିକା ଭୁଲ ହେବାର ପ୍ରଶ୍ନ ଉଠୁନାହିଁ।
ଆଉ ଗୋଟିଏ ଅଭିଯୋଗ କହୁଛନ୍ତି ଯେ, ଫର୍ମ-୬ ରେ ପରିବର୍ତ୍ତନ କରାଯାଇଛି। ପ୍ରକୃତରେ ଫର୍ମ-୬ରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ବରଂ ଭୋଟରଙ୍କ ସୁବିଧା ପାଇଁ ସେହି ଗୋଟିଏ ଫର୍ମରେ ଆଉ ଗୋଟିଏ ଘୋଷଣାନାମା ଫର୍ମକୁ ସାମିଲ କରାଯାଇଛି। ସୁପ୍ରିମକୋର୍ଟ ମଧ୍ୟ ଏହାକୁ କାୟମ ରଖିଛନ୍ତି। ଭୋଟର ତାଲିକା ଡାଟାବେସକୁ ସେଣ୍ଟ୍ରାଲାଇଜ୍ଡ କରାଯାଇଛି ବୋଲି ଅଭିଯୋଗ ହେଉଛି। କିନ୍ତୁ ରାଜ୍ୟର ଭୋଟର ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଏବଂ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ଇଆରଓ)ଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ଏହା ସମ୍ପୂର୍ଣ୍ଣ ବିକେନ୍ଦ୍ରିକୃତ ଥିଲା ଓ ରହିଛି ମଧ୍ୟ। ସମସ୍ତ ରାଜ୍ୟର ଇଆରଓ ମାନଙ୍କର ଆଇନଗତ ଓ ପ୍ରକ୍ରିୟାଗତ କ୍ଷମତାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସେ କହିଛନ୍ତି।
ନୂଆ ପିଢିର ଭୋଟରମାନଙ୍କ ପାଇଁ ମଧ୍ୟ କୌଣସି ଅସୁବିଧା ହୋଇନାହିଁ। ୨୦୨୫ ଜୁନ ୨୪ ଠାରୁ ଆଜି ପର୍ଯ୍ୟନ୍ତ ୨.୩୭ କୋଟି ନୂଆ ଭୋଟର ବା ଯାହାକୁ ଜେନ୍-ଜି କୁହାଯାଉଛି, ସାମିଲ ହୋଇସାରିଲେଣି। ଅର୍ଥାତ ପ୍ରତିଦିନ ପ୍ରାୟ ୫୦ ହଜାରରୁ ଅଧିକ ଜେନ୍-ଜି ଭୋଟର ସାମିଲ ହେଉଛନ୍ତି। ବର୍ତ୍ତମାନ ୧୮ରୁ ୨୮ ବର୍ଷ ବୟସର ଜେନ୍-ଜି ଭୋଟରଙ୍କ ସଂଖ୍ୟା ୧୭.୩୮ କୋଟି । ଜେନ୍-ଜିଙ୍କ ପାଇଁ ଭୋଟର ତାଲିକାରେ ନାଁ ଯୋଡିବା ପ୍ରକ୍ରିୟା ବର୍ଷ ସାରା ଉପଲବ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି ଯେ, କଂଗ୍ରେସ ଦଳର ନୀତି ହେଉଛି, ଯେଉଁଠି ଜିତିଲେ, ସେଠି ସବୁ ଠିକ୍। ଯେଉଁଠି ହାରିଲେ, ସେଠି ଗଣତନ୍ତ୍ର ବିପଦରେ। ଗୋଳିଆ ପାଣିରେ ମାଛ ଧରିବା ପାଇଁ କଂଗ୍ରେସ ଦଳ ଚେଷ୍ଟା କରୁଛି, ସେଥିରେ ସେ ଅସଫଳ ହେବ । ପ୍ରକୃତ କଥା ହେଉଛି, ଏହା ପୂର୍ବରୁ କେନ୍ଦ୍ର ସରକାର ନିଜେ ମନମୁଖୀ ଭାବେ ନିର୍ବାଚନ କମିଶନର ନିଯୁକ୍ତି କରୁଥିଲେ। ନୂଆ ଆଇନରେ ପ୍ରଧାନମନ୍ତ୍ରୀଙ୍କ ସହିତ, ଜଣେ କେନ୍ଦ୍ର ମନ୍ତ୍ରୀ ଓ ବିରୋଧୀ ଦଳ ନେତା ଅଛନ୍ତି। ଏହି ଆଇନକୁ ପୂର୍ବ ଅପେକ୍ଷା ଅଧିକ ଗଣତାନ୍ତ୍ରିକ ଓ ଅଧିକ ନିରପେକ୍ଷ କରାଯାଇପାରିଛି ।
କଂଗ୍ରେସ ଦଳ ଏହି ଅଭିଯୋଗ କରିବା ପୂର୍ବରୁ ନିଜର ଇତିହାସ ବିଷୟରେ ଚିନ୍ତା କରିବା ଉଚିତ୍। ଓଡିଆରେ ଗୋଟିଏ ଢଗ ଅଛି- ଚାଲୁଣି କହୁଛି ଛୁଞ୍ଚିକୁ । ଦେଖିବାକୁ ଗଲେ ଭାରତ ବର୍ଷରେ ୧୯୮୪ ପରଠାରୁ ୨୦୧୪ ପର୍ଯ୍ୟନ୍ତ କୌଣସି ମେଜରିଟି ସରକାର ଆସିନାହିଁ। କଂଗ୍ରେସ ଦଳର ମଧ୍ୟ କୌଣସି ସମ୍ଭାବନା ଦେଖାଯାଉନାହିଁ। ତେଣୁ, ଅତ୍ୟନ୍ତ ହତୋତ୍ସାହିତ ହୋଇ ସେମାନେ ଦେଶର ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଧ୍ୱଂସ କରିବାକୁ ଉଦ୍ୟମ କରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବା ସହ କଂଗ୍ରେସର ଗୋଳିଆ ରାଜନୀତିକୁ ସେ ନିନ୍ଦା କରିଛନ୍ତି।

