ଆକ୍ସିସ୍ ବ୍ୟାଙ୍କ ଓ ଆଇଆଇଏମ୍ ବାଙ୍ଗାଲୋର ର ନୂତନ ଅଣ୍ଡରଗ୍ରାଜୁଏଟ୍ କ୍ୟାମ୍ପସରେ ‘ଆକ୍ସିସ୍ ବ୍ୟାଙ୍କ ସେଣ୍ଟର ଅଫ୍ ଇକୋନୋମିକ୍ସ’ ପ୍ରତିଷ୍ଠା ପାଇଁ ସହଭାଗିତା
ଭୁବନେଶ୍ୱର : ଭାରତର ଅନ୍ୟତମ ବୃହତ୍ତମ ବେସରକାରୀ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବାଙ୍ଗାଲୋର ବେଙ୍ଗାଲୁରୁର ଜିଗଣିଠାରେ ଅବସ୍ଥିତ ପ୍ରତିଷ୍ଠାନର ନୂତନ ‘ଆଇଆଇଏମ୍ବି – ଦୋରାବଜୀ ଟାଟା ସ୍କୁଲ୍ ଅଫ୍ ଅଣ୍ଡରଗ୍ରାଜୁଏଟ୍ ଷ୍ଟଡିଜ୍’ କ୍ୟାମ୍ପସରେ ‘ଆକ୍ସିସ୍ ବ୍ୟାଙ୍କ ସେଣ୍ଟର ଅଫ୍ ଇକୋନୋମିକ୍ସ’ ପ୍ରତିଷ୍ଠା ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି।
ମୁମ୍ବାଇର ୱର୍ଲିସ୍ଥିତ ଆକ୍ସିସ୍ ହାଉସ୍ରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି କାର୍ୟ୍ୟକ୍ରମରେ ଆଇଆଇଏମ୍ ବାଙ୍ଗାଲୋରର ବୋର୍ଡ ଅଫ୍ ଗଭର୍ଣ୍ଣର୍ସର ଚେୟାରପର୍ସନ୍ ଡ. ଦେବୀ ପ୍ରସାଦ ସେଟ୍ଟୀ, ଆକ୍ସିସ୍ ବ୍ୟାଙ୍କର ଏମ୍ଡି ଓ ସିଇଓ ଶ୍ରୀ ଅମିତାଭ ଚୌଧୁରୀ, ଆଇଆଇଏମ୍ ବାଙ୍ଗାଲୋରର ଡାଇରେକ୍ଟର-ଇନ୍-ଚାର୍ଜ ପ୍ରଫେସର ୟୁ. ଦିନେଶ କୁମାର ଏବଂ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ହେଡ୍ – ହୋଲସେଲ୍ ବ୍ୟାଙ୍କ କଭରେଜ୍, କର୍ପୋରେଟ୍ ସାଲାରୀ, ସଷ୍ଟେନେବିଲିଟି ଓ ସିଏସ୍ଆର୍ ଶ୍ରୀ ବିଜୟ ମୁଲବାଗଲଙ୍କ ସମେତ ଉଭୟ ଅନୁଷ୍ଠାନର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଏହି ସହଯୋଗିତାର ଅଂଶ ସ୍ୱରୂପ, ଆକ୍ସିସ୍ ବ୍ୟାଙ୍କ ନୂତନ କ୍ୟାମ୍ପସର ପ୍ରଥମ ପର୍ୟ୍ୟାୟରେ ଇଣ୍ଟିଗ୍ରେଟେଡ୍ ଏକାଡେମିକ୍ ଏବଂ ଆଡମିନିଷ୍ଟ୍ରେଟିଭ୍ ବ୍ଲକ୍ରେ ‘ଆକ୍ସିସ୍ ବ୍ୟାଙ୍କ ସେଣ୍ଟର ଅଫ୍ ଇକୋନୋମିକ୍ସ’ର ନିର୍ମାଣ ଏବଂ କାର୍ୟ୍ୟକ୍ଷମତାରେ ସାହାଯ୍ୟ କରିବ, ଯାହା ସମଗ୍ର ସ୍କୁଲ୍ ପାଇଁ ଏକ ପ୍ରମୁଖ ଶିକ୍ଷାଗତ ଏବଂ ଗବେଷଣା କେନ୍ଦ୍ର ଭାବରେ କାର୍ୟ୍ୟ କରିବ। ଏହି ପ୍ରତିଶ୍ରୁତିରେ ଫ୍ୟାକଲ୍ଟି ବିକାଶ, ଗବେଷଣା ଏବଂ ମେଧାବୀ ଓ ଆବଶ୍ୟକତା ଥିବା ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ବୃତ୍ତି ପ୍ରଦାନ ମଧ୍ୟ ଅନ୍ତର୍ଭୁକ୍ତ।
‘ଆକ୍ସିସ୍ ବ୍ୟାଙ୍କ ସେଣ୍ଟର ଅଫ୍ ଇକୋନୋମିକ୍ସ’ ବିଶ୍ୱସ୍ତରୀୟ ମାନଦଣ୍ଡ ଅନୁଯାୟୀ ଏକ ପାଠ୍ୟକ୍ରମ ଗ୍ରହଣ କରିବ, ଯାହା ଆରମ୍ଭରୁ ଗାଣିତିକ ଏବଂ କମ୍ପ୍ୟୁଟେସନାଲ୍ ଶିକ୍ଷା ସହିତ ବିଷୟଗତ ଗଭୀରତାକୁ ଯୋଡ଼ିବ। ଏହା ସହିତ ପ୍ରକୃତ ଆର୍ଥିକ ଆହ୍ୱାନଗୁଡ଼ିକର ସମାଧାନ ପାଇଁ ଡାଟା, ଗାଣିତିକ ପଦ୍ଧତି ଏବଂ ବ୍ୟାବହାରିକ ବିଶ୍ଲେଷଣର ବ୍ୟବହାରକୁ ପ୍ରୋତ୍ସାହିତ କରିବ। ଶିକ୍ଷାଗତ ଶ୍ରେଷ୍ଠତା, ଆନ୍ତଃ-ବିଷୟକ ଶିକ୍ଷା ଏବଂ ସମସାମୟିକ ଗବେଷଣା ପାଇଁ ଜଣାଶୁଣା ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନ ହେବାର ସ୍କୁଲ୍ର ଦୂରଦୃଷ୍ଟି ପାଇଁ ଏହି କେନ୍ଦ୍ରଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।
ଏହି ଅବସରରେ ଆକ୍ସିସ୍ ବ୍ୟାଙ୍କର ଗ୍ରୁପ୍ ହେଡ୍ – ହୋଲସେଲ୍ ବ୍ୟାଙ୍କ କଭରେଜ୍, କର୍ପୋରେଟ୍ ସାଲାରୀ, ସଷ୍ଟେନେବିଲିଟି ଓ ସିଏସ୍ଆର୍ ବିଜୟ ମୁଲବାଗଲ କହିଛନ୍ତି; “ଜଟିଳ ହୋଇଚାଲିଥିବା ଆର୍ଥିକ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଭାରତକୁ ଆବଶ୍ୟକ ହେଉଥିବା ଜ୍ଞାନ, ଦକ୍ଷତା ଏବଂ ସାମର୍ଥ୍ୟ ଗଢ଼ିତୋଳିବାରେ ବହୁ-ବିଷୟକ ଶିକ୍ଷା ଏବଂ ଗବେଷଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇଆଇଏମ୍ ବାଙ୍ଗାଲୋର ସହିତ ମିଶି ଆକ୍ସିସ୍ ବ୍ୟାଙ୍କ ଅଣ୍ଡରଗ୍ରାଜୁଏଟ୍ ଶିକ୍ଷାରେ ଏକ ନୂତନ ମାନଦଣ୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି, ଯାହା ବିଶ୍ୱସ୍ତରୀୟ ମାନଦଣ୍ଡ ସହ ସମାନ ହେବ ଏବଂ ଗଭୀର ଗବେଷଣା ସହିତ ଅର୍ଥପୂର୍ଣ୍ଣ ଶିକ୍ଷାଦାନକୁ ଯୋଡ଼ିବ। ଆକ୍ସିସ୍ ବ୍ୟାଙ୍କ ସେଣ୍ଟର ଅଫ୍ ଇକୋନୋମିକ୍ସ ଭାରତର ଦୀର୍ଘମିଆଦୀ, ସମାବେଶୀ ଏବଂ ସ୍ଥାୟୀ ପ୍ରଗତିରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଆମର ନିରନ୍ତର ପ୍ରତିବଦ୍ଧତାକୁ ଦର୍ଶାଉଛି।”
ଏହି ଅବସରରେ ଆଇଆଇଏମ୍ବି ର ଡାଇରେକ୍ଟର-ଇନ୍-ଚାର୍ଜ ପ୍ରଫେସର ୟୁ. ଦିନେଶ କୁମାର କହିଛନ୍ତି; “ଆଇଆଇଏମ୍ବି – ଦୋରାବଜୀ ଟାଟା ସ୍କୁଲ୍ ଅଫ୍ ଅଣ୍ଡରଗ୍ରାଜୁଏଟ୍ ଷ୍ଟଡିଜ୍ରେ ‘ଆକ୍ସିସ୍ ବ୍ୟାଙ୍କ ସେଣ୍ଟର ଅଫ୍ ଇକୋନୋମିକ୍ସ’ ପାଇଁ ଆମର ଦୂରଦୃଷ୍ଟିକୁ ସମର୍ଥନ କରିଥିବାରୁ ଆମେ ଆକ୍ସିସ୍ ବ୍ୟାଙ୍କ ନିକଟରେ କୃତଜ୍ଞ। ବ୍ୟବସାୟ, ବଜାର ଏବଂ ସମାଜକୁ ପ୍ରଭାବିତ କରୁଥିବା ଶକ୍ତିଗୁଡ଼ିକୁ ବୁଝିବା ପାଇଁ ଅର୍ଥଶାସ୍ତ୍ର (ଇକୋନୋମିକ୍ସ) ମୁଖ୍ୟ ଅଟେ, ଏବଂ ଆଜି ଏହାର ଅଧ୍ୟୟନ ପାଇଁ ଗାଣିତିକ ଓ ଗୁଣାତ୍ମକ ପଦ୍ଧତି, ଡାଟା-ଆଧାରିତ ପ୍ରୟୋଗ ଏବଂ ଆନ୍ତଃ-ବିଷୟକ ଚିନ୍ତାଧାରାର ସୁଦୃଢ଼ ଭିତ୍ତିଭୂମି ଆବଶ୍ୟକ। ଏହି କେନ୍ଦ୍ର ଏପରି ଏକ ପରିବେଶ ସୃଷ୍ଟି କରିବାରେ ଯୋଗଦାନ ଦେବ ଯେଉଁଠାରେ ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟି ବିଶ୍ୱ ଓ ଜାତୀୟ ବିକାଶର ନିର୍ଦ୍ଧାରକଗୁଡ଼ିକ ସହିତ ଗଭୀର ଭାବରେ ଯୋଡ଼ିହୋଇପାରିବେ। ଆକ୍ସିସ୍ ବ୍ୟାଙ୍କର ସହଯୋଗ ଆମକୁ ଶିକ୍ଷାଗତ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ଏବଂ ଏକ ବିଶ୍ୱସ୍ତରୀୟ ଅଣ୍ଡରଗ୍ରାଜୁଏଟ୍ ଅନୁଷ୍ଠାନ ଗଢ଼ିବାର ସ୍କୁଲ୍ର ଲକ୍ଷ୍ୟକୁ ଆଗକୁ ନେବା ପାଇଁ ସୁଯୋଗ ସୃଷ୍ଟି କରିବାରେ ସାହାଯ୍ୟ କରିବ।”
ଆଇଆଇଏମ୍ବି – ଦୋରାବଜୀ ଟାଟା ସ୍କୁଲ୍ ଅଫ୍ ଅଣ୍ଡରଗ୍ରାଜୁଏଟ୍ ଷ୍ଟଡିଜ୍ ଅଗଷ୍ଟ ୨୦୨୬ ରେ ଏହାର ପ୍ରଥମ ପାଠ୍ୟକ୍ରମ ବ୍ୟାଚ୍କୁ ସ୍ୱାଗତ କରିଥିଲା। ଡାଟା ସାଇନ୍ସ ଏବଂ ଇକୋନୋମିକ୍ସରେ ବ୍ୟାଚଲର ଅଫ୍ ସାଇନ୍ସ (ଅନର୍ସ) ପ୍ରୋଗ୍ରାମ୍ ପାଇଁ ପ୍ରାୟ ୧୨,୦୦୦ ଆବେଦନକାରୀଙ୍କ ମଧ୍ୟରୁ ଏକ କଠୋର ଚୟନ ପ୍ରକ୍ରିୟା ମାଧ୍ୟମରେ ୮୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ପ୍ରଥମ ବ୍ୟାଚ୍ର ୪୦ ଜଣ ଛାତ୍ରଛାତ୍ରୀ ଆକ୍ସିସ୍ ବ୍ୟାଙ୍କ ସେଣ୍ଟର ଅଫ୍ ଇକୋନୋମିକ୍ସରେ ଡାଟା ସାଇନ୍ସ ମାଇନର ସହିତ ଇକୋନୋମିକ୍ସରେ ସେମାନଙ୍କର ବ୍ୟାଚଲର ଅଫ୍ ସାଇନ୍ସ ଡିଗ୍ରୀ ହାସଲ କରିବେ।
ସ୍କୁଲ୍ର ମଜବୁତ୍ ଶିକ୍ଷାଗତ ଭିତ୍ତିଭୂମି ଉପରେ ଆଧାର କରି, ‘ଆକ୍ସିସ୍ ବ୍ୟାଙ୍କ ସେଣ୍ଟର ଅଫ୍ ଇକୋନୋମିକ୍ସ’ ଛାତ୍ରଛାତ୍ରୀ ଏବଂ ଫ୍ୟାକଲ୍ଟିଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ, ଯାହା ଭାରତର ବିକାଶକୁ ଆଗକୁ ନେବା ଏବଂ ବିଶ୍ୱ ଅର୍ଥନୀତି ସହିତ ଯୋଡ଼ିହେବା ପାଇଁ ଭବିଷ୍ୟତର ଅର୍ଥଶାସ୍ତ୍ରୀ, ଗବେଷକ ଏବଂ ନେତାମାନଙ୍କୁ ଗଢ଼ିତୋଳିବ।

