ଟିପିସିଓଡିଏଲ୍ ପକ୍ଷରୁ ଉର୍ଜା ମେଳା ଆୟୋଜିତ; ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନତା

– କାର୍ଯ୍ୟକ୍ରମରେ ୨୫ଟି ସ୍କୁଲର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
– ଶକ୍ତି ସଂରକ୍ଷଣକୁ ବୁଝିବା ଏବଂ କିଭଳି ସେଥିପ୍ରତି ଯୋଗଦାନ କରିହେବ ତାହା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଦର୍ଶିତ
ଭୁବନେଶ୍ୱର: ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଏହାର ପ୍ରମୁଖ ସିଏସ୍‌ଆର୍ ଅଭିଯାନ କ୍ଲବ୍ ଏନର୍ଜି ଅଧୀନରେ ଆଜି ଉର୍ଜା ମେଳା ଆୟୋଜନ କରାଯାଇଛି । ଓଡିଏମ୍ ଗ୍ଲୋବାଲ୍ ସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱରର ୨୫ଟି ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଥିଲେ । ଏହି ମେଗା କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା ଶକ୍ତି ସଂରକ୍ଷଣର ଗୁରୁତ୍ୱ ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତାର ପ୍ରସାର କରିବା ଏବଂ ସମାଜରେ ଶକ୍ତି ସଂରକ୍ଷଣର ବ୍ରାଣ୍ଡ୍ ଆମ୍ବାସାଡର ହେବା ଲାଗି ସେମାନଙ୍କୁ ଉତ୍ସାହିତ କରିବା ।
କ୍ଲବ୍ ଏନର୍ଜି ହେଉଛି ଟାଟା ପାୱାର୍‌ର ଏକ ଅଗ୍ରଣୀ ସିଏସ୍‌ଆର୍ ଅଭିଯାନ ଯାହା ସ୍କୁଲମାନଙ୍କ ସହିତ ମିଶି ବିବିଧ ପ୍ରକାରର ପଦକ୍ଷେପ ଜରିଆରେ ନିରନ୍ତର ଶକ୍ତି ସଂରକ୍ଷଣର ବିଭିନ୍ନ ଦିଗ ପ୍ରତି ସ୍କୁଲ ପିଲାମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲାଗି ସମ୍ବଳ ସଂରକ୍ଷଣ କ୍ଲବ୍‌, ଜଳାବାୟୁ ସମ୍ପର୍କିତ ସଚେତନତା ସୃଷ୍ଟି କରୁଛି ।
‘ଶକ୍ତି ସଂରକ୍ଷଣର ଗୁରୁତ୍ୱ’ ବିଷୟବସ୍ତୁ ଉପରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ବିଜ୍ଞାନ ମେଳା, ସ୍ଲୋଗାନ ଲିଖନ, ଚିତ୍ରାଙ୍କନ ଏବଂ ପେଂଟିଙ୍ଗ ଆଦି ବିଭିନ୍ନ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିଥିଲେ ଏବଂ ଶକ୍ତି ସଂରକ୍ଷଣକୁ ସେମାନଙ୍କ ଯେଭଳି ବୁଝନ୍ତି ଏବଂ କିଭଳି ସମାଜକୁ ସେମାନେ ଯୋଗଦାନ ଦେଇପାରିବେ ତାହା ପ୍ରଦର୍ଶନ କରିଥିଲେ । ବିଜ୍ଞାନ ମେଳା ଜରିଆରେ ଛାତ୍ରଛାତ୍ରୀମାନେ ବିକଳ୍ପ ଶକ୍ତିକୁ ନେଇ ଅଭିନବ ମଡେଲ୍ ଉପସ୍ଥାପନ କରିଥିଲେ ।
ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରି ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଏମ୍ ସେନବାଗମ୍ କହିଛନ୍ତି ଯେ, “୨୦୭୦ ସୁଦ୍ଧା ନେଟ୍ ଜିରୋ ହେବାକୁ ଭାରତ ଲକ୍ଷ୍ୟ ରଖିଛି । ସେଥିପାଇଁ ଆମେ ପର୍ଯ୍ୟାୟକ୍ରମେ ସ୍ୱଚ୍ଛ ଓ ସବୁଜ ଶକ୍ତି ଆଡ଼କୁ ଅଗ୍ରସର ହେଉଛୁ । ଶକ୍ତି ସଂରକ୍ଷଣ ଶକ୍ତି ଉତ୍ପାଦନ ସହ ସମାନ । ତେଣୁ ଶକ୍ତି ସଂରକ୍ଷଣ ନେଟ୍ ଜିରୋ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଶକ୍ତି ସଂରକ୍ଷଣର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଛାତ୍ରଛାତ୍ରୀମାନେ ସେମାନଙ୍କ ବନ୍ଧୁ ଏବଂ ପରିବାର ବର୍ଗ, ପଡ଼ୋଶୀ ଏବଂ ସର୍ବୋପରି ବୃହତ ସମାଜରେ ମୂଲ୍ୟବୋଧକୁ ନିଶ୍ଚିତ ରୂପେ ପ୍ରସାର କରିପାରିବେ ।’’

Share

Leave a Reply

Your email address will not be published. Required fields are marked *

3 + twelve =