ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ବାଲିଆପାଳରେ ୧୬୮ ପ୍ରତିଭାବାନ ଏସ୍‌ସି/ଏସ୍‌ଟି ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଶିକ୍ଷା ବୃତି ପ୍ରଦାନ

 ଚୟନ କରାଯାଇଥିବା ଛାତ୍ରଛାତ୍ରୀଙ୍କୁ ୧୩ ଟାବ୍‌ଲେଟ୍ ଓ ପ୍ରାୟ ୮.୫୯ ଲକ୍ଷ ଟଙ୍କା ପ୍ରଦାନ
 ଟିଏସ୍‌ଏଫ୍‌ର ଗୋଷ୍ଠୀ ସମ୍ପର୍କ କାର୍ଯ୍ୟକ୍ରମ “ଅସ୍ମିତା’ର ଶୁଭାରମ୍ଭ
ବାଲିଆପାଳ: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌)ର ସିଏସ୍‌ଆର୍ ଅଭିଯାନର ଅଂଶ ସ୍ୱରୂପ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ବସ୍ତା ଅଂଚଳର ୧୬୮ ଜଣ ପ୍ରତିଭାବାନ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ପକ୍ଷରୁ ଜ୍ୟୋତି ଶିକ୍ଷା ବୃତି ପ୍ରଦାନ କରାଯାଇଛି । ଗୁରୁବାରଠାରୁ ବାଲିଆପାଳ ସ୍ଥିତ ବାଲିଆପାଳ କଲେଜ ଅଫ୍ ଫିଜିକାଲ୍ ଏଜୁକେସନରେ ଆରମ୍ଭ ହୋଇଥିବା ଟିଏସ୍‌ଏଫ୍‌ର ଦୁଇ ଦିନିଆ ଗୋଷ୍ଠୀ ସମ୍ପର୍କ କାର୍ଯ୍ୟକ୍ରମ-“ଅସ୍ମିତା’’ ଅବସରରେ ଏହି ଶିକ୍ଷା ବୃତି ପ୍ରଦାନ କରାଯାଇଛି ।
ବିଭିନ୍ନ ବିଦ୍ୟାଳୟର ୧୧୫ ଜଣ ଛାତ୍ରଛାତ୍ରୀଙ୍କ ସମେତ ଆଖାପାଖ କଲେଜର ୫୩ ଜଣ ଛାତ୍ରଛାତ୍ରୀଙ୍କୁ ଫେଲୋସିପ୍ ପ୍ରଦାନ କରାଯାଇଛି । ଏହି ଫେଲୋସିପ୍‌ର ଅଂଶସ୍ୱରୂପ ପ୍ରତିଭାବାନ ଛାତ୍ରଛାତ୍ରୀମାନଙ୍କୁ ପ୍ରାୟ ୮.୫୯ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଛାତ୍ରଛାତ୍ରୀଙ୍କୁ ଚୟନ କରିବା ଲାଗି ହୋଇଥିବା ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୧୩ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ସ୍ୱରୂପ ଟାବ୍‌ଲେଟ୍ ପ୍ରଦାନ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଆଖପାଖ ସ୍କୁଲର ୨୮ ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା ।
ବାଲେଶ୍ୱରର ଫକିର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ, ବାଲେଶ୍ୱରର ଜିଲ୍ଲାପାଳ ତଥା ମାଜିଷ୍ଟ୍ରେଟ୍ ଦତାତ୍ରୟ ଭାଉସାହେବ ସିନ୍ଦେ, ଏସ୍‌ପିପିଏଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରକାଶ ସିଂହ ଛାତ୍ରଛାତ୍ରୀମାନଙ୍କୁ ଫେଲୋସିପ୍ ପ୍ରଦାନ କରିଥିଲେ ।
ଏହି ଅଭିଯାନ ପାଇଁ ଏସ୍‌ପିପିଏଲ୍ ଓ ଟିଏସ୍‌ଏଫ୍‌କୁ ପ୍ରଶଂସା କରି ଛାତ୍ରଛାତ୍ରୀମାନଙ୍କୁ ଦତାତ୍ରୟ ଭାଉସାହେବ ସିନ୍ଦେ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ନିଷ୍ଠାର ସହ ପଢ଼ିବା ଲାଗି ଛାତ୍ରଛାତ୍ରୀମାନଙ୍କୁ ଏହି ଜ୍ୟୋତି ଫେଲୋସିପ୍ ନିଶ୍ଚିତ ଭାବେ ଉତ୍ସାହିତ କରିବ ଏବଂ ଭବିଷ୍ୟତରେ ଶିକ୍ଷାବୃତି ଜାରି ରଖିବା ଲାଗି ସେମାନଙ୍କ ସ୍ତରକୁ ବଜାୟ ରଖିବ ।
ଏହି ଅବସରରେ ପ୍ରକାଶ ସିଂହ କହିଛନ୍ତି ଯେ, “ଏହି କାର୍ଯ୍ୟକ୍ରମ ସିଏସଆର୍ ଅଭିଯାନର ଅଂଶ ଯାହା ୪ଇ: ନିଯୁକ୍ତି, ନିଯୁକ୍ତି ହାସଲ କ୍ଷମତା, ଶିକ୍ଷା ଓ ଉଦ୍ୟମିତା ଉପରେ ଗୁରୁତ୍ୱାରୋପ କରୁଛି । “ଜ୍ୟୋତି ଫେଲୋସିପ୍‌’ କାର୍ଯ୍ୟକ୍ରମ ଜରିଆରେ ଏହି ଅଂଚଳର ଏସ୍‌ସି / ଏସ୍‌ଟି ଛାତ୍ରଛାତ୍ରୀମାନଙ୍କ ଲାଗି ପରୀକ୍ଷା ଆୟୋଜନ କରାଯାଇଛି ଏବଂ ନିର୍ଧାରିତ ସକାରାତ୍ମକ ନୀତି ଅନୁସାରେ ଯେଉଁମାନେ ପ୍ରତିଭା ଭିତିକ ଚୟନ ଯୋଗ୍ୟତା ମାନଦଣ୍ଡକୁ ପୂରଣ କରୁଛନ୍ତି ସେମାନଙ୍କୁ ଫେଲୋସିପ୍ ପ୍ରଦାନ କରାଯାଉଛି । ଏହି ଅଂଚଳର ଅନ୍ତର୍ଭୁକ୍ତୀକରଣ ଅଭିବୃଦ୍ଧି ପ୍ରତି ଯୋଗଦାନ ପ୍ରଦାନ କରିବା ଲାଗି ଅନ୍ୟାନ୍ୟ କ୍ଷେତ୍ରରେ ଏଭଳି ସମାନ ଅଭିଯାନ ଆରମ୍ଭ କରିବା ଲାଗି ସେମାନେ ଯୋଜନା ରଖିଛନ୍ତି ।’’
ଫେଲୋସିପ୍‌ରେ ନଗଦ ରାଶି ଭାବେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୩,୭୫୦ ଟଙ୍କା, ଓ ଅଣ ସ୍ନାତକ (ଅଣ୍ଡର ଗ୍ରାଜୁଏଟ୍‌) ପାଇଁ ୮,୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ମେରିଟ୍ ସାର୍ଟିଫିକେଟ୍ (ଯୋଗ୍ୟତା ପ୍ରମାଣପତ୍ର) ପ୍ରଦାନ କରାଯାଇଥିଲା । ପରୀକ୍ଷାରେ ଥରେ ପାସ୍ ହେବା ପରେ ନୂଆ ଫେଲୋସିିପ୍ ପାଇବା ସହ ପରବର୍ତୀ ବର୍ଷଗୁଡ଼ିକ ଲାଗି ତାହାର ନବୀକରଣ ପାଇଁ ଛାତ୍ର କିମ୍ବା ଛାତ୍ରୀ ଜଣକ ଯୋଗ୍ୟତା ହାସ କରିଥାନ୍ତି । ପ୍ରତି ଶିକ୍ଷା ବର୍ଷରେ ସ୍କୁଲ/ କଲେଜରେ ହେଉଥିବା ବାର୍ଷିକ ପରୀକ୍ଷାରେ ୪୫ ପ୍ରତିଶତ ମାର୍କ ରଖିବାକୁ ମଧ୍ୟ ପଡ଼ିଥାଏ ।
ଆସନ୍ତାକାଲି ଅସ୍ମିତା କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଆଖାପାଖ ଗ୍ରାମର ପ୍ରାୟ ୫୦୦ ଚାଷୀ ଓ ମହିଳାମାନ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

13 + sixteen =