ରାଜ୍ୟ

ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ

ଆଜି ଓଡ଼ିଶା ଆସୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ… କୋରାପୁଟ HALରେ ୨ ହଜାର ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର ସହ ୨୧୮ କୋଟିର `ଶକ୍ତି’ ଲାଇନ୍‌ କରିବେ ଉଦଘାଟନ । କୋରାପୁଟରେ ଶୁଭାରମ୍ଭ ହେବ ‘ଶକ୍ତି’ ଇଞ୍ଜିନ୍‌ର ଦ୍ୱିତୀୟ ନିର୍ମାଣ ଲାଇନ୍‌ । ‘ଧ୍ରୁବ’ ଓ ‘ପ୍ରଚଣ୍ଡ’ ହେଲିକପ୍ଟରକୁ ମିଳିବ ଅଧିକ ବଳ । ପ୍ରତିରକ୍ଷା କ୍ଷେତ୍ରରେ ଭାରତର ଆତ୍ମନିର୍ଭରତା ବୃଦ୍ଧି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ହେବେ ସାମିଲ ।

ଆଜି ଏଚଏଏଲ, କୋରାପୁଟରେ ୨,୦୦୦ତମ ଏରୋ-ଇଞ୍ଜିନ୍ ହସ୍ତାନ୍ତର କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରତିରକ୍ଷା ମନ୍ତ୍ରୀ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ହିନ୍ଦୁସ୍ତାନ ଏରୋନଟିକ ଲିମିଟେଡ୍‌ ବା ଏଚଏଏଲର କୋରାପୁଟ ଡିଭିଜନଠାରେ ୨,୦୦୦ତମ ଏରୋ ଇଞ୍ଜିନ ହସ୍ତାନ୍ତର ସମାରୋହରେ ଯୋଗଦେବେ ।

ଏଚଏଏଲ, କୋରାପୁଟ ଦୀର୍ଘ ଛଅ ଦଶନ୍ଧି ଧରି ଭାରତର ଏରୋସ୍ପେସ୍‌ ଏବଂ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇ ଆସୁଛି । ଏହି ପ୍ରତିଷ୍ଠାନ ସେନାବାହିନୀର ପରିଚାଳନାଗତ ପ୍ରସ୍ତୁତିରେ ମଧ୍ୟ ସହାୟକ ହେଉଛି । ଆଜିର କାର୍ଯ୍ୟକ୍ରମ ଏଚଏଏଲ, କୋରାପୁଟର ଯାତ୍ରାରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।

ଏହି କାର୍ଯ୍ୟକ୍ରମ ଅବସରରେ ୨୧୮ କୋଟି ଟଙ୍କାର ନିବେଶ ସହିତ ଶକ୍ତି ଇଞ୍ଜିନର ଦ୍ୱିତୀୟ ନିର୍ମାଣ ଲାଇନର ଶୁଭାରମ୍ଭ କରାଯିବ । ଏହି ଅତିରିକ୍ତ କ୍ଷମତା ଧ୍ରୁବ ଅତ୍ୟାଧୁନିକ ହାଲୁକା ହେଲିକପ୍ଟର ଏବଂ ପ୍ରଚଣ୍ଡ ହାଲୁକା ଯୁଦ୍ଧ ହେଲିକପ୍ଟର ସମେତ ବିଭିନ୍ନ ସ୍ୱଦେଶୀ ହେଲିକପ୍ଟର ନିର୍ମାଣର ବର୍ଦ୍ଧିତ ଆବଶ୍ୟକତା ପୂରଣ କରିବ ।

ଭାରତକୁ ଏକ ପ୍ରତିରକ୍ଷା ଉପକରଣ ଆମଦାନିକାରୀରୁ ବିଭିନ୍ନ ପ୍ରତିରକ୍ଷା ପ୍ରଣାଳୀର ଡିଜାଇନର, ଡେଭଲପର ଏବଂ ଉତ୍ପାଦନକାରୀ ଭାବେ ବିକଶିତ କରିବା ଲାଗି କେନ୍ଦ୍ର ସରକାର ଦୂରଦୃଷ୍ଟିପୂର୍ଣ୍ଣ ଲକ୍ଷ୍ୟ ନେଇ କାର୍ଯ୍ୟ କରୁଛନ୍ତି । ପ୍ରପଲ୍‌ସନ୍‌ ବା ସଞ୍ଚାଳନ ପ୍ରଣାଳୀର ରଣନୀତିକ ମହତ୍ୱ ଏବଂ ବୈଷୟିକ ଜଟିଳତାକୁ ଧ୍ୟାନରେ ରଖି ସ୍ୱଦେଶୀ ଏରୋ-ଇଞ୍ଜିନ୍‌ କ୍ଷମତା ବିକାଶ କରିବା ଏହି ଦୃଷ୍ଟିକୋଣର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପ୍ରତିରକ୍ଷା ଉତ୍ପାଦନ ସଚିବ ସଞ୍ଜୀବ କୁମାର, ଏଚଏଏଲର ସିଏମଡି ରବି କେ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Share

Leave a Reply

Your email address will not be published. Required fields are marked *

3 × three =