ଆକ୍ସନ ମୋଡରେ ମନ୍ତ୍ରୀ ସୁଶାନ୍ତ ସିଂହ

ଭୁବନେଶ୍ବର () : ସଚିବାଳୟର ଶୀତତାପ ଚାମ୍ବରରେ ବସି ନୁହେଁ, ବରଂ ଲୋକଙ୍କ ପାଖକୁ ଯାଅ । ଲୋକଙ୍କ ସୁବିଧା ଅସୁବିଧା ବୁଝ । ମୁଖ୍ୟମନ୍ତ୍ରୀଙ୍କ ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି ମନ୍ତ୍ରୀ । ଆଜି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଗ୍ରାମ ଉନ୍ନୟନ ଓ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ଗତକାଲି ଖାରବେଳନଗର ସ୍ଥିତ ଆଶ୍ରୟ ଗୃହକୁ ଗସ୍ତ କରିଥିବାବେଳେ ଆଜି ଅଚାନକ ଉତ୍ତର ନିର୍ବାଚନମଣ୍ଡଳୀ ସ୍ଥିତ ପ୍ରତାପନଗରୀରେ ନିର୍ମାଣଧୀନ ବ୍ରିଜ ନିକଟକୁ ଯାଇ କାମ ର ତଦାରଖ କରିଛନ୍ତି । କିଭଳି ଆହୁରି ଉତ୍ତମ ମାନର କାମ ହୋଇପାରିବ ସେ ନେଇ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ । ସେହିଭଳି କାମରେ କୌଣସି ବିଳମ୍ବ ନକରି ମାର୍ଚ୍ଚ ମାସ ସୁଧା ମରାମତି ଶେଷ କରିବା ପାଇଁ ସେ ସମ୍ପୃକ୍ତ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନ୍ତ୍ରୀଙ୍କ ଏଭଳି ଅଚାନକ ଗସ୍ତ ସରକାରୀ କର୍ମଚାରୀ ଓ ଠିକାଦାରଙ୍କ ମନରେ ଛନକା ପୁରାଇ ଦେଇଥିବା ବେଳେ ସାଧାରଣ ଲୋକେ ଏହାକୁ ସ୍ଵାଗତ କରିଛନ୍ତି ।

ସୂଚନାଯୋଗ୍ୟ ଏହି ବ୍ରିଜ ପ୍ରତାପନଗରୀ ଜାତୀୟ ରାଜପଥରୁ ନନ୍ଦନକାନନ ରୋଡ଼କୁ ସଂଯୋଗ କରୁଅଛି । ଏହି ବ୍ରିଜ ହେବା ଦ୍ବାରା ଉତ୍ତର ନିର୍ବାଚନମଣ୍ଡଳୀ ର ୫ ଟି ଗ୍ରାମପଞ୍ଚାୟତ ଓ କଟକ ସଦର ର ୬ ଟି ଗ୍ରାମପଞ୍ଚାୟତ ର ଲୋକେ ଉପକୃତ ହେବେ । ନଦୀର ଦୁଇ ପାର୍ଶ୍ବରେ ରହୁଥିବା ୨୦ ହଜାର ରୁ ଉର୍ଦ୍ଧ୍ବ ଲୋକେ ଦୈନଦିନ ଡଙ୍ଗା ଉପରେ ନିର୍ଭର କରିବା ସହ ବିପଦସଙ୍କୁଳ ଭାବେ ଯାତ୍ରା କରୁଥିଲେ ।

ସେପଟେ ଅପରାହ୍ନରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟରେ ଓଡିଶା ଆଦର୍ଶ ବିଦ୍ୟାଳୟ ନିର୍ମାଣର ସମୀକ୍ଷା କରିଛନ୍ତି । ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ କେତେ ଅଗ୍ରଗତି କରିଛି ତାର ତଦନ୍ତ କରିବାକୁ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଓ ଅଭିଭାବକ ମହସଂଘକୁ ନେଇ ଏକ କମିଟି ଗଠନ କରାଯାଇଛି । ଏକ ମାସ ମଧ୍ୟରେ ଏହି କମିଟି ତାର ରିପୋର୍ଟ ପ୍ରଦାନ କରିବ । ଏହି ବୈଠକରେ ବିଦ୍ୟାଳୟ ଓ ଗଶଣିକ୍ଷା ସଚିବ, ଗ୍ରାମ୍ୟ ଉନ୍ନୟନ ସଚିବ, ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଓ ଗ୍ରାମ୍ୟ ଉନ୍ନୟନ ମୁଖ୍ୟଯନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

eight + 20 =