ଆଜିଠୁ ଭାରତ- ଓ୍ବେଷ୍ଟଇଣ୍ଡିଜ T-20 ସିରିଜ
ଦିନିକିଆ ସିରିଜ୍ କବ୍ଜା କରିବା ପରେ ଏବେ ଟିମ୍ ଇଣ୍ଡିଆର ନଜର ଟି-୨୦ ଟ୍ରଫି ଉପରେ । ଆଜି (ସେପ୍ଟେମ୍ବର ୬) ଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ସିରିଜ୍। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ ପ୍ରଥମ ମୁକାବିଲା । ଏସିଆନ ଗେମ୍ସରେ କମାଲ୍ କରିଥିବା ଶ୍ରେୟସ ଆୟରଙ୍କ ୟଙ୍ଗ ବ୍ରିଗେଡ୍ କାରିବିଆନ୍ ଦଳକୁ ଧୂଳି ଚଟାଇବା ପାଇଁ ପୂରା ପ୍ରସ୍ତୁତ । ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିନିକିଆ ସିରିଜ୍କୁ ୨-୧ ରେ ଜିତିବା ପରେ ଭାରତୀୟ ଦଳର ମନୋବଳ ଏବେ ଆକାଶଛୁଆଁ ।
କିନ୍ତୁ ଏବେ ଲଢ଼େଇ ହେବ କ୍ରିକେଟର ସବୁଠାରୁ ରୋମାଞ୍ଚକର ଫର୍ମାଟ୍ରେ । ଆଜି ସନ୍ଧ୍ୟା ୭ଟାରେ ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀଅଟଳ ବିହାରୀ ବାଜପେୟୀ ଏକାନା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟଇଣ୍ଡିଜ୍। କ୍ରୀଡାପ୍ରେମୀ ଷ୍ଟାର ସ୍ପୋର୍ଟ୍ସ ନେଟୱାର୍କ, ଜିଓ ହଟଷ୍ଟାରରେ ଲାଇଭ ମ୍ୟାଚ୍ ଦେଖିପାରିବେ । ୫ ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ର ପ୍ରଥମ ମ୍ୟାଚ୍କୁ ଜିତି ସିରିଜ୍ରେ ଅଗ୍ରଣୀ ହାସଲ କରିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ । ତେବେ ଟି-୨୦ ଫର୍ମାଟ୍ରେ ୱେଷ୍ଟଇଣ୍ଡିଜ୍ ଦଳକୁ ସବୁବେଳେ ବିପଜ୍ଜନକ ମନେ କରାଯାଏ । ସାଇ ହୋପ୍ଙ୍କ ନେତୃତ୍ୱରେ କାରିବିଆନ୍ ଦଳ ଭାରତକୁ କଡ଼ା ଚ୍ୟାଲେଞ୍ଜ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ।
- ଟି୨୦ ହେଡ୍-ଟୁ-ହେଡ୍ ରେକର୍ଡ
ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ଅନ୍ତର୍ଜାତୀୟ ଟି-୨୦ରେ ୩୧ ଥର ମୁହାଁମୁହିଁ ହୋଇଛନ୍ତି । ଭାରତ ୨୦ଟି ମ୍ୟାଚ୍ ଜିତିଥିବାବେଳେ ୱେଷ୍ଟଇଣ୍ଡିଜ୍ ୧୦ଟି ମ୍ୟାଚ୍ରେ ବିଜୟ ହାସଲ କରିଛି । ଗୋଟିଏ ମ୍ୟାଚ୍ ଫଳାଫଳ ବିନା ଶେଷ ହୋଇଥିଲା, ଯାହା ଭାରତକୁ ସାମଗ୍ରିକ ଟି-୨୦ ମ୍ୟାଚ୍ ରେକର୍ଡରେ ଆଗୁଆ ରଖିଛି ।
- ୨୦୦୦ T20 ରନ୍ ପୂରା କରିପାରନ୍ତି ଅଭିଷେକ
ବିସ୍ଫୋରକ ଭାରତୀୟ ଓପନର ଅଭିଷେକ ଶର୍ମା ୨୦୦୦ ଟି୨୦ ରନ୍ ପୂରଣ କରିବା ପାଇଁ ମାତ୍ର ୭୪ ରନ୍ ଦୂରରେ ଅଛନ୍ତି । ଯଦି ସେ ଆଜି ପ୍ରଥମ ଟି-୨୦ରେ ଏହି ମାଇଲଖୁଣ୍ଟ ହାସଲ କରନ୍ତି, ତେବେ ସେ ଭାରତ ପାଇଁ ୨୦୦୦ ଟି-୨୦ ରନ୍ ପୂରଣ କରିବାରେ ଚତୁର୍ଥ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ୍ ହେବେ । ପୂର୍ବରୁ ଏହି ରେକର୍ଡ ସୂର୍ଯ୍ୟକୁମାର ଯାଦବ (୫୯ ମ୍ୟାଚ୍), ବିରାଟ କୋହଲି (୬୦ ମ୍ୟାଚ୍) ଏବଂ କେଏଲ ରାହୁଲ (୬୨ ମ୍ୟାଚ୍)ଙ୍କ ନାମରେ ଅଛି । ଅଭିଷେକ ୬୨ ଟି୨୦ ମ୍ୟାଚ୍ରେ ୧୯୨୬ ରନ୍ କରିଛନ୍ତି ।

