ଆଗାମୀ ୩ ଦିନ ଯାଏ ତାତି, ୫ ଜିଲ୍ଲାକୁ ୟେଲୋ ଆଲର୍ଟ

ତତଲା ତାଓ୍ଵାରେ ସିଝୁଛି ଓଡ଼ିଶା। ଆଗାମୀ ୩ ଦିନ ଯାଏ ନିସ୍ତାର ନାହିଁ । ଆସନ୍ତା ୪୮ ଘଣ୍ଟା ପାଇଁ ହିଟ୍‌ୱେଭ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଗତ ୨୪ ଘଣ୍ଟାରେ ରାଜ୍ୟର ୮ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ରହିଛି । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୨.୭ ଡିଗ୍ରି ସେଲସିୟସ ରେକର୍ଡ କରାଯାଇଛି । ତାତି ବଢୁଥିବାରୁ ଦିନ ୯ଟା ପରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି। ଗ୍ରୀଷ୍ମ ପ୍ରବାହ ଯୋଗୁ ଲୋକମାନେ ହଇରାଣ ହେଉଛନ୍ତି ।

ଆସନ୍ତା ୪୮ ଘଣ୍ଟା ପାଇଁ ରାଜ୍ଯ ବାସୀଙ୍କୁ ତାତିରୁ ତ୍ରାହି ନାହିଁ । ହିଟ୍ ୱେଭ୍ ନେଇ ୪୮ ଘଣ୍ଟାରେ ୫ ଜିଲ୍ଲାକୁ ୟେଲୋ ଆଲର୍ଟ, ୩ ରୁ ୫ ଡିଗ୍ରୀ ବଢିବ ରହିବ ପାରଦ ।ରାଜ୍ୟରେ ଗତ କିଛି ଦିନ ଧରି କ୍ରମାଗତ ଭାବେ ଦିନର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଉଛି । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ । ବିଶେଷ କରି ୫ ଜିଲ୍ଲା ବରଗଡ, ସୋନପୁର, ବୌଦ୍ଧ, ବଲାଙ୍ଗିର, ଓ କଳାହାଣ୍ଡିରେ ଗ୍ରୀଷ୍ମ ପ୍ରବାହ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ସ୍ବାଭାବିକ ଠାରୁ  ୩ ରୁ ୫ ଡିଗ୍ରୀ ବଢିବ ତାପମାତ୍ରା। ୩ ତାରିଖ ବେଳକୁ ଆଭ୍ୟନ୍ତରୀଣ ଓଡିଶାରେ ଦୁଇ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇବ ବୋଲି ଆକଳନ କରିଛି କେନ୍ଦ୍ର ।

ରାଜଧାନୀରେ ଅଂଶୁଘାତ ମୁକାବିଲା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଂଶୁଘାତ ଓ୍ବାର୍ଡ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି  ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ହିଟ୍ ଷ୍ଟ୍ରୋକ୍ ଓ୍ବାର୍ଡ କାର୍ଯ୍ୟକ୍ଷମ ହୋଇଛି । ଟ୍ରାଏଜ୍ ରୁମରେ ୬ଟି ବେଡ୍ ପ୍ରସ୍ତୁତ କରାଯାଇଛି। ସେହିପରି କୋଭିଡ ସଂଗରୋଧ ଗୃହ କୁ ସ୍ବତନ୍ତ୍ର ହିଟ୍ ଷ୍ଟ୍ରୋକ ଓ୍ବାର୍ଡରେ ପରିବର୍ତ୍ତନ କରି ୧୦ ଟି ବେଡ୍ ଭାବେ ମୋଟ ୧୬ଟି ବେଡ଼ ପ୍ରସ୍ତୁତ ଥିବା କହିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଏହାସହ ୪ ଜଣ ଷ୍ଟାଫ୍ ନର୍ସଙ୍କୁ ମଧ୍ଯ ଦାୟିତ୍ଵ ଦିଆଯାଇଛି। ରୋଗୀ ମାନଙ୍କୁ ପ୍ରାଥମିକ ଚିକିତ୍ସା ସହ ଓଆରଏସ ପାଣି ଓ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି । ହସ୍ପିଟାଲରେ ମଧ୍ୟ ରୋଗୀଙ୍କ ସୁବିଧା ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ ବ୍ୟବସ୍ଥା ହୋଇଥିବା ସେ କହିଛନ୍ତି। ସେହିପରି ସହରରେ ବିଏମସି ପକ୍ଷରୁ ମଧ୍ୟ ଜଳଛତ୍ର ସାଙ୍ଗକୁ ଆନୁସଙ୍ଗିକ ବ୍ୟବସ୍ଥା ହୋଇଥିବା ଅତିରିକ୍ତ କମିଶନର କହିଛନ୍ତି ।  ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ମୁତାବକ ଆସନ୍ତା ୨ ତାରିଖ ପରଠାରୁ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବା ସହ ଏକ ଟ୍ରଫ୍ ଲାଇନ ପ୍ରଭାବରେ କିଛି ଜିଲ୍ଲାରେ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।ଫଳରେ ତାତିରୁ ସାମାନ୍ୟ ତ୍ରାହି ମିଳିବାର ସମ୍ଭାବନା ରହିଛି ।

Share

Leave a Reply

Your email address will not be published. Required fields are marked *

two + one =