7 ଦିନରେ କ୍ଷୟକ୍ଷତି ରିପୋର୍ଟ ତଲବ

ତିନି ଜିଲ୍ଲାପାଳଙ୍କ ସହ କଥା ହେଲେ 
କାଲି ଏରିଅଲ ସର୍ଭେ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ତିତଲି ପରବର୍ତ୍ତି ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଚିବାଳୟରୁ ଭିଡିଓ କନଫରେନସିଂ ଜରିଆରେ ଗଂଜାମ, ଗଜପତି ଓ ରାୟଗଡା ଜିଲ୍ଲାର ଜିଲ୍ଲାପାଳଙ୍କ ସହ ସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ସମୀକ୍ଷାରୁ ଜଣାପଡିଛି ଯେ, ଯଦିଓ ଏହିସବୁ ଜିଲ୍ଲାରେ ତିତଲି ପରବର୍ତ୍ତି ବନ୍ୟା ପରିସ୍ଥିତି ଗୁରୁତ୍ତର ହୋଇଛି, ତଥାପି ନିୟନ୍ତ୍ରଣାଧୀନ ରହିଛି ।

ବନ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଘାଇର ତୁରନ୍ତ ମରାମତି ସହ କ୍ଷତିଗ୍ରସ୍ତ ଲୋକଙ୍କୁ ନିରାପଦ ସ୍ଥାନକୁ ନେଇ ରନ୍ଧା ଖାଦ୍ୟ ସହ ଅନ୍ୟାନ ସୁବିଧା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ କ୍ଷତିଗ୍ରସ୍ତ ଅଂଚଳରେ ହେଲଥ କ୍ୟାମ୍ପ ଓ ପଶୁ ଚିକିତ୍ସା କ୍ୟାମ୍ପ କରି ମାଗଣା ଚିକିତ୍ସା ଓ ମାଗଣା ଔଷଧ ଯୋଗଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସଡକ ଯୋଗାଯୋଗ ଓ ବିଦ୍ୟୁତ ସରବରାହ ସେବାକୁ ପୁନଃସ୍ଥାପିତ କରିବାକୁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ଘର, ଫସଲ, ପଶୁ ସଂପଦ ଓ ଅନ୍ୟାନ କ୍ଷୟକ୍ଷତିର ଆକଳନ କରି 7 ଦିନ ମଧ୍ୟରେ ସ୍ବତନ୍ତ୍ର ରିଲିଫ କମିଶନରଙ୍କୁ ରିପୋର୍ଟ ଦେବାକୁ ଏହି ତିନି ଜିଲ୍ଲାର ଜିଲ୍ଲାପାଳଙ୍କୁ କୁହାଯାଇଛି ।

ଜି.ଉଦୟଗିରି ଓ କଣ୍ଟାପଡା ବ୍ଲକରେ 300 ମିଲିମିଟିର ପର୍ଯ୍ୟନ୍ତ ବର୍ଷା ହୋଇଛି । ଆସ୍କା ସହର ଭିତରେ ବନ୍ୟା ଜଳ ପ୍ରବେଶ କରିଥିବା ବେଳେ ପୁରୁଷୋତ୍ତମପୁର ସହରରେ ମଧ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ସୁଦ୍ଧା 14ଟି ଏନଡିଆରଏଫ ଏବଂ 12ଟି ଓଡ୍ରାଫ ଟିମ ମୁତ୍ତୟନ କରାଯାଇଛି । ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ସବୁ ସ୍ଥାନରେ ବିଜୁଳି ସରବରାହ ପୁନଃସ୍ଥାପିତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବାତ୍ୟା ସମୟରେ ଲୋକଙ୍କ ଉଦ୍ଧାର ନେଇ ହୋଇଥିବା କିଛି ଉଲ୍ଲେଖନୀୟ କାର୍ଯ୍ୟ ସଂପର୍କରେ ମଧ୍ୟ ଜିଲ୍ଲାପାଳମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି । ଗୁଣପୁରରେ 110 କିଲୋମିଟର ବେଗରେ ପବନ ବହୁଥିବା ସମୟରେ 8ଜଣ ବଂଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ଗୋପାଳପୁରରେ ଆନ୍ଧ୍ରପ୍ରଦେଶର 30ଟି ବୋଟରେ ଥିବା ଲୋକଙ୍କୁ ମଧ୍ୟ ଏହି ସମୟରେ ଉଦ୍ଧାର କରାଯାଇଛି । ଗର୍ଭବତୀ ମହିଳା ଓ ନବଜାତ ଶିଶୁଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳମାନେ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

10 − 7 =