ପଡ଼ିଆବାହାଲ ଏବଂ ମାନେଶ୍ୱର ଅଞ୍ଚଳରେ ସର୍ବନିମ୍ନ ସମୟରେ ମଧ୍ୟରେ ବିଦ୍ୟୁତ୍ ସେବାକୁ ସ୍ୱାଭାବିକ କରିଥିଲା ଟିପିଡବ୍ଲୁଓଡିଏଲ୍

ବୁର୍ଲା/ସମ୍ୱଲପୁର: ଗତ ବୁଧବାର, ମାର୍ଚ୍ଚ 20, 2024 ତାରିଖ ଦିନ ରାତିରେ କାଳବୈଶାଖୀ ପ୍ରଭାବରେ ଲଗାଣ ବର୍ଷା ଓ ଦ୍ରୁତ ଗତିରେ ପବନ ପ୍ରବାହ ଯୋଗୁଁ ପଡ଼ିଆବାହାଲ ଏବଂ ମାନେଶ୍ୱର ଅଞ୍ଚଳରେ ଅନେକ 33 କେଭି ବିଦ୍ୟୁତ୍ ଖୁଣ୍ଟ ବିପଦପୂର୍ଣ୍ଣ ଭାବେ ଢଳି ରହିଥିଲା । ଯାହା ବିଦ୍ୟୁତ୍ ଭିତ୍ତିଭୂମିର ସୁରକ୍ଷା ପ୍ରତି ଚରମ ବିପଦ ସୃଷ୍ଟି କରିଥିଲା । ଢଳି ରହିଥିବା ଏହି ବିଦ୍ୟୁତ୍ ଖୁଣ୍ଟଗୁଡ଼ିକ ଯୋଗୁଁ ମାନେଶ୍ୱର ପାୱାର ସବ୍ ଷ୍ଟେସନ୍ ଏବଂ ପଡିଆବାହାଲ ପାୱାର ସବ୍ ଷ୍ଟେସନରେ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହେବା ସହ ପରଦିନ ଅର୍ଥାତ୍ 21 ତାରିଖ ସକାଳେ ମଧ୍ୟ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ସେବା ବ୍ୟାହତ ହୋଇଥିଲା ।

ତେବେ ଢଳି ରହିଥିବା ବିଦ୍ୟୁତ୍ ଖୁଣ୍ଟ ଗୁଡିକର ନିକଟବର୍ତ୍ତି ଅଞ୍ଚଳ ଲଗାଣ ବର୍ଷା ଯୋଗୁଁ କାଦୁଅ ହୋଇଯାଇଥିଲା, ଯାହା ଫଳରେ ସେଠାକୁ ଯାନବାହନ କିମ୍ବା ବିଦ୍ୟୁତ୍ ସରଞ୍ଜାମ ଅପହଞ୍ଚ ହୋଇପଡିଥିଲା । ଏହି ପରିସ୍ଥିତିର ମୁକାବିଲା କରିବା ଏବଂ ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିକ କରିବା ପାଇଁ ରକ୍ଷଣାବେକ୍ଷଣ ସମୟରେ ଗ୍ରୀଡକୁ ବନ୍ଦ କରିବା ପାଇଁ ଓପିଟିସିଏଲ୍ ଅଧିକାରୀଙ୍କ ଠାରୁ ଅନୁମୋଦନ ଆବଶ୍ୟକ ଥିଲା । ଏହା ସହ ପୁନରୁଦ୍ଧାର ପ୍ରକ୍ରିୟା ପାଇଁ ବିଭିନ୍ନ ଆବଶ୍ୟକୀୟ ଉପକରଣ ଯଥା- ହାଇଡ୍ରା, ପୋଲ ମାଷ୍ଟର, ସିମେଣ୍ଟ, ଚିପ୍ସ, ଇନସୁଲେଟର ଏବଂ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ଏହି ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ଆବଶ୍ୟକୀୟ ଅନୁମତି ମିଳିବା ପରେ ତୁରନ୍ତ କାର୍ଯ୍ୟ ଆରମ୍ଭ ହୋଇଥିଲା । ତେବେ ଆହ୍ୱାନପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ଟିପିଡବ୍ଲୁଓଡିଏଲ ଟିମ୍ ଏହି ସମସ୍ୟାର ସମାଧାନ ପାଇଁ ଉଲ୍ଲେଖନୀୟ ସମର୍ପଣ ଏବଂ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ ।

ଯାହାର ଫଳ ସ୍ୱରୂପ, ପୁନରୁଦ୍ଧାର କାର୍ଯ୍ୟ ସେହିଦିନ ସନ୍ଧ୍ୟା ସାଢ଼େ 6ଟା ସୁଦ୍ଧା ସଫଳତାର ସହ ଶେଷ ହେବା ସହ ଏହାର କିଛି ସମୟ ପରେ ସମ୍ପୂର୍ଣ୍ଣ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ସ୍ୱାଭାବିକ ହୋଇଥିଲା । ଟିପିଡବ୍ଲୁଓଡିଏଲ୍ ଏହାର ସମସ୍ତ ଉପଭୋକ୍ତାମାନଙ୍କୁ ଜଣାଇଦେବାକୁ ଚାହୁଁଅଛି ଯେ, ଆମର ପ୍ରୟାସରେ କୌଣସି ବିଳମ୍ବ ହୋଇନାହିଁ କିମ୍ବା ବିଦ୍ୟୁତ୍ ସେବା ବ୍ୟାହତ ହେବାକୁ କେବେ ବି ହାଲୁକା ଭାବେ ନିଆଯାଇନାହିଁ ।

ଟିପିଡବ୍ଲୁଓଡିଏଲ୍ ସମଗ୍ର ପଶ୍ଚିମ ଓଡ଼ିଶାରେ ବିଦ୍ୟୁତ୍ ବିତରଣ ଭିତ୍ତିଭୂମିକୁ ସଶକ୍ତ କରି ପ୍ରତିକୂଳ ପରସ୍ଥିତରେ ବିଦ୍ୟୁତ୍ ଯୋଗାଣକୁ ପୁନଃସ୍ଥାପନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଅଛି । କିନ୍ତୁ ବେଳେବେଳେ ଅପହଞ୍ଚ ସ୍ଥିତି, ସେବାର ପୁନରୁଦ୍ଧାରରେ ସର୍ବନିମ୍ନ ବିଳମ୍ବର କାରଣ ସାଜିଥାଏ । ତେଣୁ ଆମେ ପୁଣି ଥରେ ଆମର ସମସ୍ତ ଉପଭୋକ୍ତା ଏବଂ ଜନସାଧାରଣଙ୍କ ନିମନ୍ତେ ପ୍ରକାଶ କରୁଅଛୁ ଯେ, ଆମେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମର ବିଦ୍ୟୁତ୍ ଗ୍ରାହକମାନଙ୍କୁ ସ୍ଥିର ଏବଂ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ ଅଟୁ ।

Share

Leave a Reply

Your email address will not be published. Required fields are marked *

four × 3 =