ଟାଟା ଷ୍ଟିଲ ମାଇନିଂ ପକ୍ଷରୁ ଆୟୋଜିତ ସ୍ଵତନ୍ତ୍ର ଆଦିବାସୀ ସଙ୍ଗୀତ ମହୋତ୍ସବରେ ୧୫୦ରୁ ଉର୍ଦ୍ଧ୍ବ ଆଦିବାସୀ କଳାକାରଙ୍କ ସମାଗମ

– ଆଦିବାସୀ ସଙ୍ଗୀତ ଓ ବାଦ୍ୟଯନ୍ତ୍ରର ପ୍ରଚାର ପ୍ରସାର ପାଇଁ ‘ସର୍ଜୋମ୍ ବା’ ମହୋତ୍ସବ
– ଯୋଗଦେଲେ ଦେଶର ବିଭନ୍ନ ସ୍ଥାନର ପାରମ୍ପରିକ ଆଦିବାସୀ ସଙ୍ଗୀତକାର

ସୁକିନ୍ଦା: ଟାଟା ଷ୍ଟିଲ ମାଇନିଙ୍ଗ ପକ୍ଷରୁ ଟାଟା ଷ୍ଟିଲ ଫାଉଣ୍ଡେସନର ସହଭାଗିତାରେ ସ୍ଥାନୀୟ ସୌରିକ ଦୁର୍ଗା ପୂଜା ପଡ଼ିଆଠାରେ ଶୁକ୍ରବାର ଏକ ସ୍ଵତନ୍ତ୍ର ଆଦିବାସୀ ସଙ୍ଗୀତ ମହୋତ୍ସବ ‘ସର୍ଜୋମ୍ ବା’ ଆୟୋଜିତ ହୋଇଯାଇଛି। ଉତ୍ସବରେ ଦେଶର ବିଭନ୍ନ ସ୍ଥାନରୁ ୧୫୦ରୁ ଉର୍ଦ୍ଧ୍ବ ଆଦିବାସୀ କଳାକାର ଯୋଗଦେବା ସହ ପାରମ୍ପରିକ ଆଦିବାସୀ ବାଦ୍ୟଯନ୍ତ୍ର ମାଧ୍ୟମରେ ସଙ୍ଗୀତ ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକଙ୍କର ମନ ମୋହିଥିଲେ।

ଟାଟା ଷ୍ଟିଲ ମାଇନିଙ୍ଗ ଦ୍ଵାରା ସୁକିନ୍ଦାଠାରେ ଆୟୋଜିତ ଏହି ପ୍ରଥମ ନିଆରା ମହୋତ୍ସବ ‘ସର୍ଜୋମ୍ ବା’, (ହୋ ଭାଷାରେ ଯାହାର ଅର୍ଥ ଶାଳ ଗଛର ଫୁଲ) ପାରମ୍ପରିକ ଆଦିବାସୀ ବାଦ୍ୟଯନ୍ତ୍ରର ଫ୍ୟୁଜନ ମାଧ୍ୟମରେ ଏକ ସ୍ଵତନ୍ତ୍ର ପାରମ୍ପରିକ ଆଦିବାସୀ ସଙ୍ଗୀତମୟ ପରିବେଶ ସୃଷ୍ଟି କରିବା ସହ ନିଆରା ସଙ୍ଗୀତ ପରିବେଷଣ ଦ୍ଵାରା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।
ଆଦିବାସୀ ସଙ୍ଗୀତ ଓ ଲୋକକଳାକୁ ବଜାୟ ରଖିବା ସହ ଓ ପାରମ୍ପରିକ ଆଦିବାସୀ ବାଦ୍ୟଯନ୍ତ୍ରର ସଂରକ୍ଷଣ ପାଇଁ ଏହି ଅଭିନବ ପ୍ରୟାସରେ ଝାରଖଣ୍ଡ ଓ ଓଡ଼ିଶାର ଦେଢ଼ ଶହରୁ ଊର୍ଦ୍ଧ୍ବ ସଙ୍ଗୀତକାର ଓ କଳାକାର ଭାଗନେଇ ଜୀବନ୍ତ ଉପସ୍ଥାପନା କରି ଦର୍ଶକଙ୍କ ମନ ଜିଣି ଥିଲେ।

ବିଶେଷ ଭାବେ ଦୁର୍ବଳ ଜନଜାତି (PVTG) ମାଙ୍କିଡ଼ିଆ ଓ ଜୁଆଙ୍ଗଙ୍କ ସହ ହୋ, ସାନ୍ତାଳି, ମୁଣ୍ଡା ଏବଂ ଭୂମିଜ ଜନଜାତି ସମ୍ପ୍ରଦାୟ ଭାଗନେଇ କାର୍ଯ୍ୟକ୍ରମକୁ ଅତ୍ୟନ୍ତ ମନୋରମ କରିଥିଲେ। ପାରମ୍ପରିକ ଆଦିବାସୀ ବାଦ୍ୟଯନ୍ତ୍ର ସେନ୍ଦ୍ରାତାମକ, ନଗଡା, ଦୁମଙ୍ଗ, ଜଦୁର, ବାନମ, ସାକୱା, ଚାଙ୍ଗୁ ଓ ଘୁମୁରାର ଫ୍ୟୁଜନ୍ ଉପସ୍ଥିତ ଦର୍ଶକଙ୍କ ମଧ୍ୟରେ ଉନ୍ମାଦନା ଭରି ଦେଇଥିଲା।

ଏହି ନିଆରା ସଙ୍ଗୀତ ମହୋତ୍ସବରେ ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର ଆଦିବାସୀଙ୍କ ସହ ଝାରଖଣ୍ଡର ପୂର୍ବ ସିଂହଭୂମ ଓ ପଶ୍ଚିମ ସିଂହଭୂମ ଜିଲ୍ଳାର ଆଦିବାସୀ ଭାଗନେଇ ନିଜର ସ୍ଵତନ୍ତ୍ର ପରିବେଷଣ ଶୈଳୀ ଦେଖାଇବା ସହ ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଶ୍ରୀ ପ୍ରୀତିରଞ୍ଜନ ଘଡେଇ ଖୁସି ବ୍ୟକ୍ତ କରିବା ସହ କହିଥିଲେ ଯେ “ମୁଁ ବହୁତ୍ ଖୁସି ଯେ ପ୍ରକୃତିକୁ ସମ୍ମାନ ଜଣାଇବା ପାଇଁ ଏପରି ଏକ ନିଆରା ଉତ୍ସବରେ ମୁଁ ସାମିଲ୍ ହୋଇ ପାରିଛି। ‘ସର୍ଜୋମ୍ ବା’ ପରି ଏକ ସୁନ୍ଦର କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ସମସ୍ତ ଟିମ୍ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି। ଆଶା କରୁଛି ଏହି କାର୍ଯ୍ୟକ୍ରମ ଆସନ୍ତା ବର୍ଷ ମଧ୍ୟ ଆୟୋଜିତ ହେବ।”
କାର୍ଯ୍ୟକ୍ରମରେ ଯୋଗଦେଇ ଟାଟା ଷ୍ଟିଲ ମାଇନିଙ୍ଗର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ପଙ୍କଜ ସତିଜା କହିଥିଲେ ଯେ, ସଙ୍ଗୀତର କୌଣସି ସୀମା ନଥାଏ ଏବଂ ଏହା ଜାତି, ଧର୍ମ, ବର୍ଣ୍ଣ ଓ ନିର୍ବିଶେଷରେ ସମସ୍ତଙ୍କୁ ଏକାଠି କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ‘ସର୍ଜୋମ୍ ବା’ ପରି ନିଆରା ମହୋତ୍ସବ କେବଳ ଯେ ଆଦିବାସୀ ସଙ୍ଗୀତର ପ୍ରସାର କରିବ ତାହା ନୁହେଁ, ବରଂ ଏହା ଆଦିବାସୀ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ସହ ଏହାର ସଂରକ୍ଷଣରେ ସହାୟକ ହେବ। ପାରମ୍ପରିକ ସଙ୍ଗୀତ, ସଂସ୍କୃତି, ଏବଂ ଆଦିବାସୀ ଜୀବନଶୈଳୀର ବିବିଧତା ପ୍ରଦର୍ଶନ ପାଇଁ ଆମର ଉଦ୍ୟମ ଆଗକୁ ମଧ୍ୟ ଜାରି ରହିବ ବୋଲି ଶ୍ରୀ ସତିଜା ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ଏକ ହଜାରରୁ ଅଧିକ ଦର୍ଶକ ଆନନ୍ଦ ନେବାସହ ଆଦିବାସୀ ସଙ୍ଗୀତର ତାଳେ ତାଳେ ଝୁମି ଉଠିଥିଲେ।

ସ୍ଥାନୀୟ ଅଞ୍ଚଳର ଅନେକ ବିଶିଷ୍ଟ ଅତିଥି ଓ ଜନପ୍ରତିନିଧିଙ୍କ ସହ ଟାଟା ଷ୍ଟିଲ ମାଇନିଙ୍ଗର ବହୁ ବରିଷ୍ଠ ଅଧିକାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

ପ୍ରକାଶ ଥାଉକି, ଟାଟା ଷ୍ଟିଲ ମାଇନିଙ୍ଗ ପକ୍ଷରୁ ସମସ୍ତ ସଙ୍ଗୀତକାର ଓ କଳାକାରଙ୍କ ଖାଦ୍ୟ ବ୍ୟବସ୍ଥା, ରହଣି ସହ ଯିବାଆସିବାର ସମସ୍ତ ସୁବନ୍ଦୋବସ୍ତ କରଯାଇଥିଲା। କାର୍ଯ୍ୟକ୍ରମ ପୂର୍ବରୁ ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟ ପରୀକ୍ଷାର ସୁବିଧା ମଧ୍ୟ ଯୋଗାଇ ଦିଆଯାଇଥିଲା।

Share

Leave a Reply

Your email address will not be published. Required fields are marked *

fourteen + sixteen =