ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇ ଦିନିଆ ଗସ୍ତକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ସମସ୍ତ ଆନୁଷଙ୍ଗିକ ପ୍ରସ୍ତୁତି ଶେଷ କରିବାକୁ ଶ୍ରୀ ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ପ୍ରସ୍ତୁତି ତଦାରଖ ନିମନ୍ତେ ବରିଷ୍ଠ ଅଧିକାରୀମାନଙ୍କୁ ଦାୟିତ୍ୱ ଦେଇଛନ୍ତି ।

ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ତୃଟିଶୂନ୍ୟ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଗସ୍ତ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା କହିଛନ୍ତି ଯେ, ଏ ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ ତିନୋଟି ସାଧାରଣ କାର୍ଯ୍ୟକ୍ରମ ସଂପର୍କିତ ଗସ୍ତ ସୂଚନା ମିଳିଛି । ରାଷ୍ଟ୍ରପତି ଆସନ୍ତା ୧୦ ତାରିଖରେ ଭୁବନେଶ୍ୱର ସ୍ଥିତ ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ପହଞ୍ଚିବା ପରେ ଉତ୍କଳ ମଣ୍ଡପରେ ଜ୍ଞାନପ୍ରଭା ମିଶନ ପକ୍ଷରୁ ଆୟୋଜିତ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟ ସୂଚୀ ରହିଛି । ମଧ୍ୟାହ୍ଣ ବିରତି ପରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବେ ମଧ୍ୟ ଯୋଗ ଦେବେ । ଏହା ପରେ ରାଷ୍ଟ୍ରପତି ରାଜଭବନରେ ରାତ୍ର ଯାପନ କରିବେ । ସେହିଭଳି ପରଦିନ ଅର୍ଥାତ୍ ୧୧ ତାରିଖ ସକାଳ ସମୟରେ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ କଟକ ଗସ୍ତ କରି ଜାତୀୟ ଧାନ ଗବେଷଣା କେନ୍ଦ୍ରଠାରେ ଦ୍ୱିତୀୟ ଭାରତୀୟ ଧାନ କଂଗ୍ରେସକୁ ଉଦଘାଟନ କରିବେ ।

ଏହା ପରେ ଉକ୍ତ ଦିନ ଭୁବନେଶ୍ୱର ବିମାନ ବନ୍ଦରୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ । ରାଷ୍ଟ୍ରପତିଙ୍କ ଏହି ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସୁରକ୍ଷା, ଆତିଥେୟତା, ଯାନବାହାନ ଓ ବାରକେଡ ବ୍ୟବସ୍ଥା, ଅଗ୍ନିଶ୍ରମ, ସ୍ୱାସ୍ଥ୍ୟ, ନିରବଚ୍ଛିନ୍ନ ଜଳ ଓ ବିଦ୍ୟୁତ ଯୋଗାଣ, ଯୋଗାଯୋଗ, ଗଣମାଧ୍ୟମ ପରିଚାଳନା ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା । ସମସ୍ତ ପ୍ରସ୍ତୁତି ଉପରେ ନଜର ରଖିବା ସହ ଆବଶ୍ୟକସ୍ଥଳେ ମଞ୍ଚ ସାଜସଜ୍ଜା ଓ ବୈଠକରେ ଯୋଗ ଦେଉଥିବା ବ୍ୟକ୍ତି ବିଶେଷଙ୍କ ଆସନ ଗ୍ରହଣ ସଂପର୍କରେ ଗୃହ ଓ ବରିଷ୍ଠ ପୋଲିସ ଅଧିକାରୀମାନଙ୍କ ସହ ନିରନ୍ତର ଯୋଗସୂତ୍ର ରକ୍ଷା କରିବାକୁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ, ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଦାୟିତ୍ୱରେ ନିୟୋଜିତ ଅଧିକାରୀ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଅତିଥି ଏବଂ ସାକ୍ଷାତ କରିବାକୁ ଥିବା ବ୍ୟକ୍ତି ବିଶେଷଜ୍ଞ ୭୨ ଘଣ୍ଟା ପୂର୍ବରୁ ଆର୍‌ଟି-ପିସିଆର୍ ପରୀକ୍ଷା ସହ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଛି । ବୈଠକରେ ଅତିରିକ୍ତ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ସମେତ ପ୍ରମୁଖ ଶାସନ ସଚିବ, ସଚିବ, ଗୃହ, ପୋଲିସ, ଗୋଇନ୍ଦା ଏବଂ ଅନ୍ୟାନ୍ୟ ବିଭାଗର ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

thirteen − 6 =