ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକୁ ତାତିରୁ ତ୍ରାହି ମିଳିବା ସମ୍ଭାବନା

ଆଜିଠୁ ଅସହ୍ୟ ତାତିରୁ ତ୍ରାହି ମିଳିବା ସମ୍ଭାବନା ରହିଛି । ଦକ୍ଷିଣ ଓ ଉତ୍ତର ଉପକୂଳ ଓଡିଶାକୁ ତାତିରୁ ମିଳିବ ଆଶ୍ବସ୍ତି । କିନ୍ତୁ ଆଭ୍ୟନ୍ତରୀଣ ଓଡିଶାରେ ପାରଦ ବୃଦ୍ଧିହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜିଠୁ ୫ଦିନ ଯାଏଁ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । ଏହାର ପ୍ରଭାବରେ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ବଙ୍ଗୋପସାଗରରୁ ଓଡ଼ିଶାକୁ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଯୋଗୁଁ ରାଜ୍ୟରେ ପାଗ ବଦଳିଛି । ଅଧିକାଂଶ ଜିଲ୍ଲାରେ ଆକାଶ ମେଘୁଆ ରହିବା ସହ ତାପମାତ୍ରା କମିଛି । ଆଜି ଘଡଘଡି ବିଜୁଳି ସହ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ ସହ ମୋଟ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାତି କମିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ଜାରି ରହିଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ କମିଥିଲେ ମଧ୍ୟ ଗୁଳୁଗୁଳିରେ ସନ୍ତୁଳି ହୋଇଛନ୍ତି ଲୋକେ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଏଭଳି ପାଗ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

କାଳବୈଶାଖୀ ସମ୍ଭାବନା ଥିବାରୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ମୁକାବିଲା ନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

13 − seven =