ରାଜ୍ୟ

କାଲି ରଜ, ଆଜି ସଜବାଜ

ଶନିବାର ସଜବାଜ, ରବିବାର ପହିଲି ରଜ । ସେଥିପାଇଁ ଉତ୍ସବ ମୁଖର ହୋଇ ଉଠିଲାଣି ପୂରା  ରାଜଧାନୀ । କିଏ ଡ୍ରେସ୍‌ କିଣିବାରେ ବ୍ୟସ୍ତ ତ କିଏ ବିଭିନ୍ନ ପ୍ରସାଧନ ସାମଗ୍ରୀ । ରଜ ୩ ଦିନ କିଏ କେଉଁ ଢଙ୍ଗରେ ପାଳିବେ ସେଥିପାଇଁ ସରିଲାଣି  ଯୋଜନା । ଖାଲି ସେତିକି ନୁହେଁ ରଜ ପାନ ବିକ୍ରି  ହେବା ପାଇଁ ବିଭିନ୍ନ ଛକରେ ଅସ୍ଥାୟୀ ଟେଣ୍ଟ୍‌ ବନ୍ଧା ହେଲାଣି । ଅନେକ ଦୋକାନୀ ପିଠା ପାଇଁ ଆଗୁଆ ବୁକିଂ ନେବା ମଧ୍ୟ ଆରମ୍ଭ କରିଦେଲେଣି । ରଜ ପାଇଁ ସପିଙ୍ଗ୍‌ ମଲ୍‌ଠାରୁ ଆରମ୍ଭ କରି ଛୋଟ  ବଡ଼ ଦୋକାନରେ କିଣାକିଣି ପାଇଁ ଝିଅମାନଙ୍କ  ଗହଳି ଜମୁଛି । ଗ୍ରାହକମାନଙ୍କୁ ଆକର୍ଷିତ କରିବା  ଲାଗି ବିଭିନ୍ନ ମଲ୍‌, ଅଳଙ୍କାର ଦୋକାନରେ  ସୁନ୍ଦର ସାଜସଜ୍ଜା ସହିତ ଦୋଳି ବନ୍ଧା ହୋଇଛି ।

ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ… । “ରଜ ଦୋଳି କଟମଟ, ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ଦିଶୁଥାଇ ଝଟ ଝଟ… । ରଜ ଦୋଳି ଝୁଲିଲାଣି ଖେଳିବାକୁ ଯିବା ସାଙ୍ଗ ଭଉଣୀ ବଉଳ ଲୋ… । ଆଦି ନାନା ଗୀତ ଭାସିଆସେ ଗାଁ ଆମ୍ବତୋଟରୁ । ଯାହା ଶୁଣି ମନରେ ଆନନ୍ଦ ଉଲ୍ଲାସର ଲହରି ଖେଳିଯାଏ । ଛୋଟଠୁ ନେଇ ବଡ଼ ସଭିଏଁ ମଜିଯାଆନ୍ତି ରଜ ମଉଜରେ । ଗୀତର ତାଳେ ତାଳେ ମିଠାପାନ ଓ ପିଠା ଖାଇ ସଭିଁଏ ପାଳନ୍ତି ପର୍ବ । ପାଦରେ ଅଳତା, ହାତରେ ମେହେନ୍ଦି ଓ ଗଭାରେ ଗଜରା ଲଗାଇ ଝିଅମାନେ ଖେଳନ୍ତି ଦୋଳି । ଏହା ଝିଅମାନଙ୍କ ପର୍ବ କୁହାଯାଉଥିଲେ ହେଁ, ଏହାକୁ ସବୁ ବର୍ଗର ଲୋକେ ପାଳନ କିରନ୍ତି । ଏହାକୁ ଗଣପର୍ବ ବୋଲି ମଧ୍ୟ କୁହାଯାଏ ।

Share

Leave a Reply

Your email address will not be published. Required fields are marked *

5 × 1 =