ରାଜସ୍ବପାଇଁ ରୋଗୀଙ୍କୁ ବି ଛାଡୁନି ବିଏମ୍‍ସି

ଭୁବନେଶ୍ବର, 30/05 (ନିପ୍ର) : ରାଜଧାନୀରେ ଏବେ ବିଏମ୍‍ସିର ନଜର ପଡିଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ଉପରେ । ନିଜର ରାଜସ୍ବ ବଢାଇବାପାଇଁ ସେମାନଙ୍କ ଠାରୁ ଆଦାୟ ହେଉଛି ଅର୍ଥ । ଏଥିପାଇଁ ଡାକ୍ତରଖାନା ପରିସର ଓ ବାହାରେ ଚାଲିଛି କିଛି ଲୋକଙ୍କ ଗୁଣ୍ଡାରାଜ ।

ବିଭିନ୍ନ ଘରୋଇ ଡାକ୍ତରଖାନାକୁ ଚିକିତ୍ସାପାଇଁ ଆସୁଥିବା ରୋଗୀ ଏବେ ଡାକ୍ତରଖାନା ପରିସର କିମ୍ବା ରାସ୍ତାକଡରେ ଦୁଇଚକିଆ ଅବା ଚାରିଚକିଆ ଯାନ ରଖିଲାମାତ୍ରେ ଆରମ୍ଭ ହେଉଛି ଜୁଲ୍‍ମ । ଏଥିରୁ ବର୍ତ୍ତିବାପାଇଁ କେତେକ ସେହି ସ୍ଥାନରୁ ଦୂରରେ ନେଇ ଗାଡି ଛିଡା କରାଉଥିବାବେଳେ ଆଉ କେତେକ ତଣ୍ଡ ଗଣୁଛନ୍ତି । ଏଭଳି ଅବସ୍ଥା ଦେଖିବାକୁ ମିଳୁଛି ସଚିବାଳୟ ଠାରୁ ଅନତି ଦୂରରେ ଥିବା କର କ୍ଲିନିକ, ଆପୋଲୋ ହସ୍ପିଟାଲ, କେୟାର ହସ୍ପିଟାଲ ଆଦିରେ ।

 

କରକ୍ଲିନିକ ନିକଟରେ ଥିବା ରାସ୍ତାକୁ ଦିଆଯାଇଛି ନିଲାମ । ରୋଗୀଟିଏ ଆସି ଯନ୍ତ୍ରଣାରୁ ଉପଶମ ପାଇଁ ତର ତର ହୋଇ ଡାକ୍ତରଖାନା ଭିତରକୁ ଯିବା ବେଳକୁ ଆଦାୟ ହେଉଛି ପାର୍କିଂ ଫି । ଏଠାରେ ଥିବା ସରକାରୀ ଦପ୍ତର, ବିଦ୍ୟାଳୟ, ବ୍ୟାଙ୍କ୍‍ ଆଦି ସାମ୍ନା ରାସ୍ତା ଏବେ ପାଲଟିଛି ବିଏମ୍‍ସିର ରୋଜଗାରସ୍ଥଳ । ଅନୁରୂପ ଅବସ୍ଥା କେୟାର ହସ୍ପିଟାଲ ସାମ୍ନାରେ । ଏଠାରେ ଥିବା ସଡକଟିର ଶେଷମୁଣ୍ଡ ହେଉଛି ହସ୍ପ୍‍ିଟାଲ ସାମ୍ନା । ଗାଡିମୋଟର ବେଶି ଯିବାଆସିବା ନାହିଁ । ଯିଏ ଡାକ୍ତରଖାନାକୁ ଆସିଲା ସିଏ ଏଠାରେ ଗାଡି ରଖିଦେଇ ଯାଆନ୍ତି ।

ହେଲେ ବିଏମ୍‍ସି ସେହି ରାସ୍ତାକୁ ବି ନିଲାମ କରିଦେଇଛି । ଦୁଇ ଦୁଇ ଜଣ ଆଦାୟକାରୀ ଟିକଟ ଧରି ବୁଲୁଛନ୍ତି । ପଚାରିଲେ ଉତ୍ତର ମିଳିଛି ସମ୍ପୃକ୍ତ ସ୍ଥାନରୁ ଅର୍ଥ ଆଦାୟପାଇଁ ବିଏମ୍‍ସି ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦାୟିତ୍ବ ଦେଇଥିବାବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଅଡୁଆରେ ନପଶିବାପାଇଁ ଠିକା ସଂସ୍ଥାକୁ ଦେଇଛନ୍ତି । ଆପୋଲୋ ହସ୍ପିଟାଲ ଭିତରେ ଡାକ୍ତଖାନାକୁ ମିଳିଥିବା ପ୍ରଶସ୍ତ ସ୍ଥାନ ଏବେ କର୍ତ୍ତୃପକ୍ଷଙ୍କ ରୋଜଗାରର ମାଧ୍ୟମ ପାଲଟିଛି । ଏଠାକୁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ ଠାରୁ ଘଣ୍ଟା ହିସାବରେ ଅର୍ଥ ଆଦାୟ ହେଉଛି ।  କିଛି ଲୋକ ପାର୍କିଂ ଫି ନେଦାବାପାଇଁ ଏବେ ରାସ୍ତାଉପରେ ଭିଡ କରୁଛନ୍ତି ।

ମହାନଗର ନିଗମ ହେଉଛି ରାଜ୍ୟ ସରକାରଙ୍କ ସଂସ୍ଥା । ସହରବାସୀଙ୍କୁ ସର୍ବନିମ୍ନ ସୁବିଧା ଯୋଗାଇଦେବା ହେଉଛି ନିଗମର ଦାୟିତ୍ୱ । ହାଟ ବଜାର ସ୍ଥାନରୁ ପାର୍କିଂ ଫି ଆଦାୟ ହେଉଥିବାବେଳେ କେଉଁ ନ୍ୟାୟରେ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କ ଠାରୁ ଏହା ଆଦାୟ ହେଉଛି ତାହା ଜଣାପଡୁନାହିଁ । ସବୁଠାରୁ ବଡକଥା ହେଲା ଟିକଟରେ ଲେଖାହୋଇଛି ଗାଡି ଚୋରିଗଲେ କେହି ଦାୟି ନୁହନ୍ତି । ପାର୍କିଂପାଇଁ ସର୍ବନିମ୍ନ ସୁବିଧା ନକରି ରାଜସ୍ବ ପାଇଁ ରାସ୍ତାଘାଟ ନିଲାମ ଦେବା ଏକ ଜନମଙ୍ଗଳ ସରକାରଙ୍କ କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ଲଗାଇଲାଣି । ରୋଗୀଙ୍କ ବଦଳରେ ଚଢା ଚିକିତ୍ସା ବିଲ୍‍ ଧରାଉଥିବା ଘରୋଇ ଡାକ୍ତରଖାନା ଗୁଡିକରୁ ବର୍ଷିକିଆ ଅର୍ଥ ଆଦାୟ ପାଇଁ ଦାବି ହେଉଛି ।

Share

Leave a Reply

Your email address will not be published. Required fields are marked *

14 − 8 =