ପାଣ୍ଡିଆନଙ୍କ ଗସ୍ତ ପରେ ତାରାତାରିଣୀ ପ୍ୟାକେଜକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର (): ପୁରୀରେ ଶ୍ରୀ ଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର ଓ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଆରମ୍ଭ ହୋଇଥିଲାବେଳେ ଦକ୍ଷିଣ ଓଡ଼ିଶାରେ ଦେଶର ଅନ୍ୟତମ ଶକ୍ତିପୀଠ ଭାବେ ପରିଚିତ ତାରିତାରିଣୀ ମନ୍ଦିରର ରୂପାନ୍ତରଣ କାର୍ଯ୍ୟକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁରି ଦେଇଛନ୍ତି । ତାରାତାରିଣୀ ମନ୍ଦିରର ପାରିପାଶ୍ୱର୍ିକ ବିକାଶ ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାମ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସପ୍ତାହେ ତଳେ ୫-ଟି ସଚିବ ଭି.କେ ପାଣ୍ଡିଆନ ତାରତାରିଣୀ ମନ୍ଦିର ଗସ୍ତ କରିଥିଲେ । ମନ୍ଦିରର ବିକାଶ ସାଙ୍ଗକୁ ଏଠାକୁ ଆସୁଥିବା ଭକ୍ତଙ୍କୁ କିଭଳି ଭାବେ ବିଭିନ୍ନ ସୁଖସ୍ୱାଚ୍ଛନ୍ଦ୍ୟ ଦିଆଯାଇପାରିବ ତାର ସମୀକ୍ଷା କରିଥିଲେ । ଋଷିକୂଲ୍ୟା ନଦୀତଟରେ ଅବସ୍ଥିତ ଏହି ଶକ୍ତିପୀଠର ବିକାଶ ପରିକଳ୍ପନାରେ ରାଜ୍ୟର କଳା, ସଂସ୍କୃତି ଓ ଭାସ୍କର୍ଯ୍ୟର କିଭଳି ପ୍ରସ୍ଫୁଟିତ ହେବ ସେ ନେଇ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଦେଶର ସବୁଠୁ ପୁରୁଣା ଶକ୍ତିପୀଠ ମଧ୍ୟରେ ଅନ୍ୟତମ ତାରାତାରିଣୀ ମନ୍ଦିରର ପାରିପାଶ୍ୱ୍‌ିକ ବିକାଶ ନିମନ୍ତେ ଆବଶ୍ୟକ ଡିଜାଇନକୁ ପ୍ରତିଷ୍ଠିତ ସ୍ଥପତି ନାରାୟଣ ତ୍ରିପାଠୀ ପ୍ରସ୍ତୁତ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ । ତାରାତାରିଣୀ ପୀଠକୁ ଦେଶର ସବୁଠୁ ଆକର୍ଷର୍ଣୀୟ ଧାର୍ମିକ ପର୍ଯ୍ୟଟନ ସ୍ଥଳୀ କରିବା ନିମନ୍ତେ ଏହି ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି ।

ଶ୍ରଦ୍ଧାଳୁଙ୍କ ସୁବିଧା ସହ ସିଂହଦ୍ୱାର ପ୍ରବେଶ ପଥର ପୁନରୁଦ୍ଧାର, ପାନୀୟ ଜଳ ସୁବିଧା, ପାହାଢ଼ ଉପରେ ଥିବା ମନ୍ଦିର ପରିସରର ବିକାଶ ସମେତ ପ୍ରସାଦ ସେବନ ମଣ୍ଡପ, ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କେନ୍ଦ୍ର, ମୁଣ୍ଡନ ହଲ ଓ ଶୌଚାଳୟ ରହିବ । ସେହିପରି ଫୁଡ୍ କିଓସ୍କୋ, ଜୋତା ଷ୍ଟାଣ୍ଡ, ପାଦଧୂଆ ସ୍ଥାନ, ପ୍ରତୀକ୍ଷା ହଲ୍‌, ଭିନ୍ନକ୍ଷମଙ୍କ ଯିବାଆସିବା ନିମନ୍ତେ ସୁବିଧା, ବସିବା ପାଇଁ ବେଞ୍ଚ, ଆଶ୍ରୟ ସ୍ଥଳୀ, ୱାଚ ଟାୱାର, ପୁଲିସ ଆଉଟପୋଷ୍ଟ, ପ୍ରାଥମିକ ଚିକିତ୍ସା କେନ୍ଦ୍ର ସହ ଧ୍ୟାନ ହଲ୍ ମଧ୍ୟ ରହିବ ।

ଏହି ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିଷ୍ଣନ, ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର, ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ, ପୂର୍ତ୍ତ ସଚିବ କିଷନ କୁମାର, ଗଞ୍ଜାମ ଜିଲ୍ଲାପାଳ ଓ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Share

Leave a Reply

Your email address will not be published. Required fields are marked *

16 + 12 =