Business

ଟିପିଡବ୍ଲୁଓଡିଏଲର ‘ପଶ୍ଚିମ ଓଡ଼ିଶା ଉର୍ଜା ଉତ୍ସବ ୨୦୨୬’ରେ ଏକତ୍ରୀତ ହେଲେ ୫୦୦ରୁ ଅଧିକ ଛାତ୍ରଛାତ୍ରୀ

ନବସୃଜନ, ପରିବେଶ ସୁରକ୍ଷା ଓ ସମସ୍ତଙ୍କ ଅଂଶଗ୍ରହଣର ଭାବନାକୁ ନେଇ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ୱେଷ୍ଟର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଡବ୍ଲୁଓଡିଏଲ୍) ପକ୍ଷରୁ ଗତ ଅକ୍ଟୋବର ୩୧ ତାରିଖରେ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଭିଏସ୍‌ଏସ୍‌ୟୁଟି) ପରିସରରେ ‘ପଶ୍ଚିମ ଓଡ଼ିଶା ଉର୍ଜା ଉତ୍ସବ ୨୦୨୬’ ଆୟୋଜିତ ହୋଇଯାଇଅଛି । ଏଥିରେ ୯ଟି ଜିଲ୍ଲାର ୪୦ରୁ ଅଧିକ ବିଦ୍ୟାଳୟର ୫୦୦ରୁ ଅଧିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ୨୦୦ରୁ ଅଧିକ ସ୍ୱେଚ୍ଛାସେବୀ ଯୋଗଦେଇ ଶକ୍ତି ସଂରକ୍ଷଣ, ବର୍ଜ୍ୟବସ୍ତୁ ପରିଚାଳନା ଓ ସ୍ଥାୟୀ ବିକାଶ ସମ୍ପର୍କିତ ଅଭିନବ ଚିନ୍ତାଧାରା ଓ ସମାଧାନର ବିଭିନ୍ନ ଦିଗ ଉପରେ ଅନୁଭୂତି ହାସଲ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ଟିପିଡବ୍ଲୁଓଡିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରବୀଣ ବର୍ମାଙ୍କ ସହ ଭିଏସ୍‌ଏସ୍‌ୟୁଟିର କୁଳପତି ଡ. ଦୀପକ କୁମାର ସାହୁ ଉଦ୍‌ଘାଟନ କରିଥିଲେ । ଏହି ଉତ୍ସବରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ନିର୍ଦ୍ଦେଶକ ଶ୍ରୀ ସତ୍ୟନାରାୟଣ ନନ୍ଦ, ଜିଲ୍ଲା ଦକ୍ଷତା ବିକାଶ ବିଭାଗର ପ୍ରତିନିଧି, ଡିସିପିଓ, ସମ୍ବଲପୁର, ପୋଲିସ ଅଧିକାରୀ, ପ୍ରଫେସର, ଅଧ୍ୟକ୍ଷ, ଶିକ୍ଷକ ଓ ଅଭିଭାବକ, ଟିପିଡବ୍ଲୁଓଡିଏଲର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ ।

ଏହି ଉତ୍ସବରେ ବିଜ୍ଞାନ ପ୍ରଦର୍ଶନୀ, ‘ବେଷ୍ଟ ଆଉଟ୍ ଅଫ୍ ୱେଷ୍ଟ’ (ବର୍ଜ୍ୟବସ୍ତୁରୁ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତି), ପୋଷ୍ଟର ପ୍ରସ୍ତୁତି, ପ୍ରବନ୍ଧ ଲିଖନ ଓ କୁଇଜ୍ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଶକ୍ତି ସଂରକ୍ଷଣ ଓ ପରିବେଶ ସୁରକ୍ଷା ସମ୍ପର୍କିତ ନିଜର ଜ୍ଞାନ ଓ ସୃଜନଶୀଳତାକୁ ପ୍ରକଳ୍ପ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ଓ ବର୍ଜ୍ୟବସ୍ତୁ ପରିଚାଳନା ବିଭାଗରେ ୨୫ଟି ଲେଖାଏଁ ପ୍ରକଳ୍ପ ସ୍ଥାନ ପାଇଥିଲା ।

ବିଜ୍ଞାନ ପ୍ରଦର୍ଶନୀରେ ‘ସ୍ଥାୟୀ ସହର ଓ ଅକ୍ଷୟ ଶକ୍ତି’ ଏବଂ ‘ବର୍ଷାଜଳ ସଂରକ୍ଷଣ: ଜଳର ସୁରକ୍ଷା ଓ ସୁପରିଚାଳନା’ ଭଳି ପ୍ରକଳ୍ପ ବିଶେଷ ଆକର୍ଷଣ ସାଜିଥିଲା । ସେହିପରି ‘ବେଷ୍ଟ ଆଉଟ୍ ଅଫ୍ ୱେଷ୍ଟ’ ବିଭାଗରେ ‘ଘରୋଇ ବର୍ଜ୍ୟବସ୍ତୁରୁ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତି’ ଏବଂ ‘ବର୍ଜ୍ୟବସ୍ତୁର ସୃଜନଶୀଳ ପୁନଃବ୍ୟବହାର ଓ ପୁନଃଚକ୍ରଣ’ ଭଳି ପ୍ରକଳ୍ପ ମାଧ୍ୟମରେ ଛାତ୍ରଛାତ୍ରୀମାନେ ସମ୍ବଳର ସୁବିନିଯୋଗ ଓ ବର୍ଜ୍ୟବସ୍ତୁ ପରିଚାଳନାର ଗୁରୁତ୍ୱକୁ ଉପସ୍ଥାପନ କରିଥିଲେ ।

ଏହି ଅବସରରେ ଟିପିଡବ୍ଲୁଓଡିଏଲ୍‌ର ସିଇଓ ଶ୍ରୀ ପ୍ରବୀଣ ବର୍ମା କହିଥିଲେ,“ସ୍ଥାୟୀ ସମାଜର ଭବିଷ୍ୟତ କେବଳ ଆମେ କେତେ ଶକ୍ତି ଉତ୍ପାଦନ କରୁଛୁ ତାହା ଉପରେ ନୁହେଁ, ବରଂ ସେହି ଶକ୍ତିକୁ କେତେ ସଚେତନତା ଓ ଦାୟିତ୍ୱର ସହ ବ୍ୟବହାର କରୁଛୁ, ତାହା ଉପରେ ମଧ୍ୟ ନିର୍ଭର କରେ । ‘କ୍ଲବ୍ ଏନର୍ଜି’ ମାଧ୍ୟମରେ ଆମେ ଏପରି ଏକ ପିଢ଼ି ଗଢ଼ିତୋଳିବାକୁ ଚାହୁଁଛୁ, ଯେଉଁମାନେ ପରିବେଶ ପ୍ରତି ସଚେତନ ହେବା ସହ ଶକ୍ତି ସଂରକ୍ଷଣ, ବିଦ୍ୟୁତ୍ ସୁରକ୍ଷା ଓ ଦାୟିତ୍ୱପୂର୍ଣ୍ଣ ଜୀବନଶୈଳୀର ଗୁରୁତ୍ୱ ବୁଝିପାରିବେ । ପଶ୍ଚିମ ଓଡ଼ିଶା ଉର୍ଜା ଉତ୍ସବ ଯୁବପ୍ରତିଭାମାନଙ୍କୁ ସେମାନଙ୍କ ସୃଜନଶୀଳତା, ନବସୃଜନ ଓ ସବୁଜ ଭବିଷ୍ୟତ ପ୍ରତି ଥିବା ପ୍ରତିବଦ୍ଧତା ପ୍ରଦର୍ଶନ କରିବାର ଏକ ମଞ୍ଚ ଯୋଗାଇଛି । ଆମେ ବିଶ୍ୱାସ କରୁ ଯେ, ସଠିକ୍ ସଚେତନତା ଓ ସୁଯୋଗ ମାଧ୍ୟମରେ ଯୁବପିଢ଼ିଙ୍କୁ ସଶକ୍ତ କରି ଆମେ ଅଧିକ ସ୍ଥାୟୀ ଓ ସମୃଦ୍ଧ ପଶ୍ଚିମ ଓଡ଼ିଶା ଗଠନ ଦିଗରେ ନିବେଶ କରୁଛୁ ।”

ଜାତିସଂଘର ୧୭ଟି ସ୍ଥାୟୀ ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ଉପରେ ଆଧାରିତ ରୋଚକ ଖେଳ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଦାୟିତ୍ୱପୂର୍ଣ୍ଣ ଉପଭୋଗ, ଜଳବାୟୁ ପରିବର୍ତ୍ତନର ମୁକାବିଲା ଓ ସମ୍ବଳ ସଂରକ୍ଷଣ ଭଳି ବିଷୟକୁ ଦୈନନ୍ଦିନ ଜୀବନ ସହ ଯୋଡ଼ି ବୁଝିବାର ସୁଯୋଗ ପାଇଥିଲେ । ଉତ୍ସବର ଅନ୍ୟତମ ଆକର୍ଷଣ ଥିଲା ସ୍ୱତନ୍ତ୍ର ବିଦ୍ୟାଳୟର ଶିଶୁମାନଙ୍କ ଉତ୍ସାହପୂର୍ଣ୍ଣ

ଅଂଶଗ୍ରହଣ । ସେମାନଙ୍କର ମନୋରମ ସାଂସ୍କୃତିକ ପରିବେଷଣ ଓ ସକ୍ରିୟ ଅଂଶଗ୍ରହଣ ଉତ୍ସବକୁ ଆହୁରି ଜୀବନ୍ତ କରିଥିଲା । ପ୍ରତ୍ୟେକ ଶିଶୁଙ୍କୁ ସମାନ ସୁଯୋଗ ଓ ଶିକ୍ଷାର ଅଧିକାର ଦେବା ସହ ପରିବେଶ ସଚେତନତାର ବାର୍ତ୍ତା ସମାଜର ସବୁ ବର୍ଗଙ୍କ ନିକଟରେ ପହଞ୍ଚାଇବାର ମହତ୍ତ୍ୱକୁ ଏହା ପ୍ରତିଫଳିତ କରିଥିଲା ।

ଟାଟା ପାୱାରର ପ୍ରମୁଖ କର୍ପୋରେଟ୍ ସାମାଜିକ ଦାୟିତ୍ୱ (ସିଏସ୍‌ଆର୍) କାର୍ଯ୍ୟକ୍ରମ ‘କ୍ଲବ୍ ଏନର୍ଜି’ ଅଧୀନରେ ଆୟୋଜିତ ଏହି ଉର୍ଜା ଉତ୍ସବର ମୂଳ ଉଦ୍ଦେଶ୍ୟ ହେଉଛି, ସୃଜନଶୀଳତା, ଅଂଶଗ୍ରହଣ ଓ ଅନୁଭୂତିଭିତ୍ତିକ ଶିକ୍ଷା ମାଧ୍ୟମରେ ଶିଶୁମାନଙ୍କୁ ସ୍ଥାୟୀ ଜୀବନଶୈଳୀ ଆପଣାଇବା ପାଇଁ ପ୍ରେରିତ କରିବା । ଏଭଳି ପଦକ୍ଷେପ ମାଧ୍ୟମରେ ଟିପିଡବ୍ଲୁଓଡିଏଲ୍ ଯୁବପିଢ଼ିଙ୍କ ମଧ୍ୟରେ ଦାୟିତ୍ୱପୂର୍ଣ୍ଣ ଶକ୍ତି ବ୍ୟବହାରର ଅଭ୍ୟାସ ଗଢ଼ିତୋଳିବା ସହ ସବୁଜ ଓ ସ୍ଥାୟୀ ଭବିଷ୍ୟତ ଗଠନ ଦିଗରେ ନିରନ୍ତର ପ୍ରୟାସ ଜାରି ରଖିଛି ।

Share

Leave a Reply

Your email address will not be published. Required fields are marked *

2 × 3 =