ଆଜିଠୁ ବଦଳିଲା ପାଗ
ରାଜ୍ୟର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ଧରି ଲାଗି ରହିଥିବା ଗରମ, ଗୁଳୁଗୁଳି ସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ଓଡ଼ିଶା ଉପରେ ଗୋଟିଏ ଟ୍ରଫଲାଇନ୍ ସୃଷ୍ଟି ହେବା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗରେ ପରିବର୍ତ୍ତନ ଆସିବା ସହ ଦିନ ତମାମ ପବନ ବହୁଛି। ଏହା ଫଳରେ କିଛି କିଛି ସ୍ଥାନରେ ତାପମାତ୍ରା କମିବା ସହିତ କୋହଲା ପାଗ ଆରମ୍ଭ ହୋଇଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆଜିଠାରୁ କାଳବୈଶାଖୀ ସ୍ଥିତିରେ ଆହୁରି ବୃଦ୍ଧି ଘଟିବା ସହ ଅଧିକାଂଶ ସ୍ଥାନରେ ବର୍ଷା ପବନ ବଢ଼ିବ। ଏହି ସମୟରେ ଅନେକ ସ୍ଥାନରେ ପ୍ରବଳ ବିିଜୁଳି ଘଡ଼ଘଡ଼ି ମଧ୍ୟ ହେବାର ଆଶଙ୍କା ରହିଛି।
ଆଜିଠାରୁ କାଳବୈଶାଖୀ ପ୍ରଭାବ ବଢ଼ିବା ଯୋଗୁଁ ତାପମାତ୍ରାରେ ହ୍ରାସ ଆରମ୍ଭ ହେବ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ଭୀଷଣ କାଳବୈଶାଖୀ ହେବ। ଏହି ଜିଲ୍ଲାଗୁଡ଼ିକରେ ପବନର ବେଗ ୩୦-୪୦ କିମି ବେଗରେ ବହିବା ସହ ପ୍ରବଳ ବଜ୍ରପାତ ଆଶଙ୍କା ରହିଛି। ବୁଧବାର ପରେ କାଳବୈଶାଖୀ ପ୍ରଭାବ ଆହୁରି ବଢ଼ିବା ସହ ପବନର ବେଗ ମଧ୍ୟ ଅନେକ ସ୍ଥାନରେ ୪୦-୫୦ କିମି ପର୍ଯ୍ୟନ୍ତ ପହଞ୍ଚିବ। ଅନ୍ୟପଟେ ଟ୍ରଫଲାଇନ୍ ଯୋଗୁଁ ୨୭ ତାରିଖଠାରୁ ୧ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବା ନେଇ ଆଶଙ୍କା କରାଯାଇଛି। ତେଣୁ ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।
ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ତାପମାତ୍ରା କମିଥିଲେ ମଧ୍ୟ ପଶ୍ଚିମ ଓଡ଼ିଶାରେ ତାତି ଗତକାଲି ଶୀର୍ଷରେ ପହଞ୍ଚିଥିଲା । ସୋମବାର ଝାରସୁଗୁଡ଼ାରେ ତାପମାତ୍ରା ୧ ଡିଗ୍ରୀ କମି ୪୪.୭ ଡିଗ୍ରୀ ଥିବା ରେକର୍ଡ ହୋଇଛି। ଏହାସହିତ ବୌଦ୍ଧରେ ତାପମାତ୍ରା ୪୩.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ବଲାଙ୍ଗିରରେ ୪୩.୩, ସମ୍ବଲପୁରରେ ୪୩.୨, ସୁନ୍ଦରଗଡ଼, ହୀରାକୁଦ, ବଲାଙ୍ଗିର ଓ ଟିଟିଲାଗଡ଼ରେ ତାପମାତ୍ରା ୪୩ ଡିଗ୍ରୀ ରେକର୍ଡ ହୋଇଛି। ଏହି ସହରଗୁଡ଼ିକୁ ମିଶାଇ ମୋଟ୍ ୧୪ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିବା ରେକର୍ଡ ହୋଇଛି।

