ଅହମଦାବାଦ ବିମାନ ଦୁର୍ଘଟଣାକୁ ବର୍ଷେ
ମନରୁ ଲିଭୁନି ସେହି କାଳଦିନ । ଆଜିକୁ ବର୍ଷେ ତଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏୟାର ଇଣ୍ଡିଆର AI 171 ବିମାନ । ଉଡ଼ାଣ ଭରୁ ଭରୁ ଦୁର୍ଘଟଣାର ଶିକାର ହୋଇଥିଲା ବିମାନ । ଯାହା ଆଜି ବି ସମସ୍ତଙ୍କ ଛାତିକୁ ଥରାଇ ଦେଉଛି । ଜୁନ ୧୨ ତାରିଖରେ ଅହମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାକୁ ଆଜି ଏକ ବର୍ଷ ପୂରିଛି । ଏହି ଦୁର୍ଘଟଣାରେ ପ୍ରାୟ୨୬୦ ଜଣ ପ୍ରାଣ ହରାଇଥିଲେ । ଆଜିରେ ମଧ୍ୟ ପ୍ରାଣ ହରାଇଥିବା ଲୋକଙ୍କ ପରିବାରର ଯନ୍ତ୍ରଣା ସେମାନଙ୍କ ଆଖିର ଲୁହରେ ପ୍ରକାଶ ପାଉଛି । ଏୟାର ଇଣ୍ଡିଆର ଫ୍ଲାଇଟ୍ ନମ୍ବର AI 171 ଦୁର୍ଘଟଣାରେ ନିଜ ପ୍ରିୟଜନଙ୍କୁ ହରାଇଥିବା କେତେକ ଲୋକ ଆଜି ମଧ୍ୟ ବିମାନ ଯାତ୍ରା କରିବାକୁ ଭୟ କରୁଛନ୍ତି । ଅନେକ ଲୋକ ଏହି ଗଭୀର ମାନସିକ ଆଘାତରୁ ମୁକ୍ତି ପାଇବା ପାଇଁ କାଉନସେଲିଂର ସହାୟତା ମଧ୍ୟ ନେଉଛନ୍ତି ।
ଅନେକ ପରିବାର ଓ ପ୍ରତ୍ୟକ୍ଷଦର୍ଶୀଙ୍କ ପାଇଁ ଏହି ଦୁଃଖଦ ଘଟଣାର ପ୍ରଭାବ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଦିଉର ବାସିନ୍ଦା ରଫିକ ଆରବ, ୧୨ ଜୁନ ୨୦୨୫ରେ ଲଣ୍ଡନ ଯାଉଥିବା ବିମାନ ଉଡ଼ାଣ ଭରିବାର କିଛି ସମୟ ପରେ ଘଟିଥିବା ଦୁର୍ଭାଗ୍ୟଜନକ ଦୁର୍ଘଟଣାରେ ତାଙ୍କ ୨୫ ବର୍ଷୀୟ ପୁଅ ଫୈଜାନଙ୍କୁ ହରାଇଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ସେ କୌଣସି ବିମାନରେ ଯାତ୍ରା କରିନାହାନ୍ତି ଏବଂ ବିମାନ ଯାତ୍ରାକୁ ନେଇ ଗଭୀର ଭୟରେ ଜୀବନ କାଟୁଛନ୍ତି ।
ଫୈଜାନ ବ୍ରିଟେନରେ ଇସଲାମିକ ଅଧ୍ୟୟନ କରୁଥିଲେ ଏବଂ ଦିଉରେ ନିଜ ପରିବାର ସହ ଦେଖା କରିବା ପରେ ପୁଣିଥରେ ବ୍ରିଟେନ ଫେରୁଥିଲେ । ବିମାନରେ ବସିବା ପୂର୍ବରୁ ସେ ତାଙ୍କ ପିତାଙ୍କୁ ଶେଷ ଥର ପାଇଁ ଏକ ମେସେଜ୍ ପଠାଇଥିଲେ- ବାପା, ମୁଁ ବିମାନରେ ବସିସାରିଛି ଏବଂ ଏବେ ଯାଉଛି । ସେହି ଦୁର୍ଘଟଣାକୁ ମନେପକାଇ ରଫିକ କହିଲେ, କିଏ ଭାବିଥିଲା ଯେ ଏହା ତାଙ୍କର ଶେଷ ମେସେଜ ହେବ? ସେହି ଦିନ ପରଠାରୁ ଆମେ କେବେ ବିମାନ ଯାତ୍ରା କରିନାହୁଁ । ମୁଣ୍ଡ ଉପରେ ଉଡ଼ିଯାଉଥିବା ବିମାନର ଶବ୍ଦ ମଧ୍ୟ ଆମକୁ ଭୟଭୀତ କରିଦିଏ ଏବଂ ମନେ ପକାଇଦିଏ ଯେ କିପରି ୨୬୦ଟି ଜୀବନ ମାତ୍ର କ୍ଷଣକ ମଧ୍ୟରେ ଶେଷ ହୋଇଯାଇଥିଲା । ଫୈଜାନଙ୍କ ମା’ ଏବଂ ତାଙ୍କର ଦୁଇ ଛୋଟ ଭାଇ ଆଜି ମଧ୍ୟ ତାଙ୍କୁ ମନେପକାଇ ଆଖିରୁ ଲୁହ ଝରାଉଛନ୍ତି ।
ଏହି ଦୁର୍ଘଟଣା ସୁରତର ବାସିନ୍ଦା ମୁକ୍ତି ବାଂସଡିଆଙ୍କଠାରୁ ତାଙ୍କ ମାଁ ଓ ବାପାଙ୍କୁ ଛଡାଇନେଇଥିଲା । ମୁକ୍ତି କହିଥିଲେ, ମୋର ମାତା-ପିତା ହିଁ ମୋ ଜୀବନର ଆଲୋକ ଥିଲେ । ମୁକ୍ତିଙ୍କ ମାତା-ପିତା, ଲଣ୍ଡନରେ ରହୁଥିବା ନିଜ ବଡ଼ ଝିଅଙ୍କୁ ଭେଟିବା ପାଇଁ ଯାଉଥିଲେ ଏବଂ ପ୍ରଥମ ଥର ପାଇଁ ବିମାନରେ ବସିଥିଲେ । ସେହି ମୁହୂର୍ତ୍ତକୁ ମନେପକାଇ ମୁକ୍ତି କହିଥିଲେ, ମଧ୍ୟବିତ୍ତ ଲୋକଙ୍କ ପାଇଁ ବିଦେଶ ଯାତ୍ରା କରିବା ଏକ ବଡ଼ କଥା । ସେମାନେ ଛୋଟ ପିଲାମାନଙ୍କ ଭଳି ବହୁତ ଉତ୍ସାହିତ ଥିଲେ । ମୁଁ ସେମାନଙ୍କୁ କହିଥିଲି, ବିମାନରେ ଯଦି ଝଟକା ଅନୁଭବ ହୁଏ, ତେବେ ଡରିବେ ନାହିଁ, ସବୁ କିଛି ଠିକ୍ ହୋଇଯିବ । କିନ୍ତୁ କିଏ ଜାଣିଥିଲା ସେହି ବିମାନରେ ତାଙ୍କ ଜୀବନ ଚାଲିଯିବ ।
ଅବିବାହିତା ମୁକ୍ତି ନିଜ ମାତା-ପିତାଙ୍କୁ ହରାଇବା ପରେ ବହୁତ ସଂଘର୍ଷର ସମ୍ମୁଖୀନ ହୋଇଥିଲେ ଏବଂ ବର୍ତ୍ତମାନ ସେ ସୁରତରେ ଏକାକୀ ରହୁଛନ୍ତି । ତାଙ୍କର ଭାଇ-ଭଉଣୀମାନଙ୍କ ବିବାହ ଏହି ଦୁର୍ଘଟଣା ପୂର୍ବରୁ ହିଁ ହୋଇଯାଇଥିଲା । ଏହି ବିମାନ ଦୁର୍ଘଟଣା ମୁକ୍ତିଙ୍କୁ ଗଭୀର ଡିପ୍ରେସନରେ ପକାଇଥିଲା । ସେ ନିଜର ଟ୍ରାଭେଲ୍ ଏଜେନ୍ସିର ଚାକିରି ଛାଡ଼ି ଦେଇଥିଲେ ଏବଂ ମାସ ମାସ ଧରି କାଉନ୍ସେଲିଂ ନେବାରେ ସମୟ ବିତାଇଥିଲେ। ଆଜି ସେ ଟାଟା ଗ୍ରୁପ୍ର ଏକ ସିଏସଆର୍ (CSR) ପଦକ୍ଷେପ ଅଧୀନରେ ସାମାଜିକ କର୍ମୀ ଭାବେ କାମ କରୁଛନ୍ତି, କିନ୍ତୁ ଆଜି ମଧ୍ୟ ତାଙ୍କ ମନ ଭିତରେ ଗଭୀର ଭୟ ଘାରି ରହିଛି ।

