ବିଜେଡି ସରକାର ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ଆମନ୍ତ୍ରଣ କଲେ ନବୀନ

ବାଲେଶ୍ବର () ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶାରେ ସରକାର ଗଠନ ଦାବି ଏବଂ ଓଡିଶାକୁ ବିଜେଡି ଗଲା ପରେ ସେ ପୁଣି ଓଡିଶା ଆସିବେ ବୋଲି ବକ୍ତବ୍ୟ ଉପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ଟିପ୍ପଣୀ ରଖିଛନ୍ତି । ସେ ମୋଦିଙ୍କୁ ବିଜେଡିର ପଞ୍ଚମ ପାଳି ସରକାର ଗଠନ ପାଇଁ ଅନୁଷ୍ଠିତ ହେବାକୁ ଥିବା ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି । ସେ ବିଜେଡି ସରକାରର ଶପଥ ଗ୍ରହଣ ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ମୋଦିଜୀଙ୍କୁ ନମ୍ରତାର ସହ ଅନୁରୋଧ କରୁଥିବା କହିଛନ୍ତି ।

ବାଲେଶ୍ବରରେ ଆଜି ମାରାଥନ ନିର୍ବାଚନୀ ସଭା ଏବଂ ରୋଡ ସୋ ଅବସରରେ ସେ ପଣି ଥରେ କେନ୍ଦ୍ର ବିଜେପିକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କାଳିଆ ଯୋଜନାରେ ଚାଳିଶ ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ତେବେ ମୁଁ ଥିବା ଯାଏଁ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

ବିଜେଡି ସରକାର ଆସିବାର ପ୍ରଥମ ଦିନରେ ସବୁ ଚାଷୀଙ୍କୁ ଦୁଇଟି କିସ୍ତିର ଦଶ ହଜାର ଟଙ୍କା ମିଳିବ । କେନ୍ଦ୍ର ଯୋଜନାରେ ମହିଳାମାନଙ୍କ ପାଇଁ 5 ଲକ୍ଷ ଟଙ୍କା ମିଳୁଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ଦୁଇଗୁଣା, ଦଶ ଲକ୍ଷ ଟଙ୍କା ମିଳବ । ଭୋଟ ହେଲେ ବିଜେପିର ବଡ ବଡ ନେତାମାନଙ୍କ ଓଡିଶା କଥା ମନେପଡୁଛି । ବନ୍ୟା, ଫାଇଲିନ, ତିତଲି, ହୁଡହୁଡ ଓ ମରୁଡି ସମୟରେ ଆସିଲେନି । ଏବେ ଆସି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓଡିଶାର ଦୁଃଖ ସମୟରେ ପ୍ରଧାନମନ୍ତ୍ରୀ ଆସିଲେନି, ସମୟ ହେଲାନି । ଭୋଟ ବେଳେ ସମୟ ହଉଛି, ଏବେ ସବୁ ଦିନ ଓଡିଶା ଆସୁଛନ୍ତି ବୋଲି ନବୀନ କଟାକ୍ଷ କରି କହିଛନ୍ତି ।

ସେହିଭଲି ବାଲେଶ୍ବର ମେଡିକାଲ କଲେଜ ସଂପର୍କରେ କହିବାକୁ ଯାଇ ସେ କହିଥିଲେ ଯେ, ଏହି ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର 250 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ଦେଇଛି ମାତ୍ର 100 କୋଟି ଟଙ୍କା । ଜଣେ ଓଡିଆ କେନ୍ଦ୍ର ମନ୍ତ୍ରୀ ବାଲେଶ୍ବର ମେଡିକାଲ କଲେଜକୁ ବିରୋଧ କରୁଥିଲେ । ରାଜ୍ୟ ସରକାର ସୁପ୍ରିମ କୋର୍ଟ ପାଖରୁ ଅନୁମତି ନେଇ ମେଡିକାଲ କଲେଜ ଆରମ୍ଭ କରିଛନ୍ତି ବୋଲି ନବୀନ କହିଛନ୍ତି । ସେହିଭଳି ଆହାର ଯୋଜନାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ପାଉଛନ୍ତି । ସେହି ଓଡିଆ କେନ୍ଦ୍ର ମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ । ଏହା କି ପ୍ରକାର ରାଜନୀତି ବୋଲି ନବୀନ ପ୍ରଶ୍ନ କରିଛନ୍ତି ।

ଏଥିସହିତ ସେ କହିଛନ୍ତି ଯେ, ଲୋକଙ୍କ ଉପକାରଠାରୁ ନିଜ ସ୍ବାର୍ଥ କଣ ବଡ । ଫକୀରମୋହନଙ୍କ ମାଟିର ସ୍ବାଭିମାନୀ ଓଡିଆ ଏହାର ଉଚିତ ଜବାବ ଦେବେ । ସାଢେ ଚାରି କୋଟି ଓଡିଆ ମୋର ପରିବାର । ଶେଷ ନିଶ୍ବାସ ପର୍ଯ୍ୟନ୍ତ ମୁଁ ଓଡିଶାବାସୀଙ୍କ ସେବା କରି ଚାଲିବି, ତେଣୁ ମୋତ ଆଶୀର୍ବାଦ କରନ୍ତୁ ବୋଲି ନବୀନ ଆହ୍ବାନ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

three × four =