ଫେରାର ରେସଲର ସୁଶୀଲ କୁମାରଙ୍କୁ ଧରିବା ପାଇଁ ପୁରସ୍କାର ରାଶି ଘୋଷଣା

ନୂଆଦିଲ୍ଲୀ: ଭାରତ ପାଇଁ ଅଲିମ୍ପିକ୍ସରେ ଦୁଇଥର ପଦ ଜିତିଥିବା ରେସଲର ସୁଶୀଲ କୁମାରଙ୍କ ଟେର୍ ପାଉନି ପୁଲିସ୍‌। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ରେସଲର ସାଗର ରାଣାଙ୍କ ହତ୍ୟା ଘଟଣାରେ ଦିଲ୍ଲୀ ପୁଲିସ୍‌ ସୁଶୀଲ କୁମାରଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି। ତେବେ ଏଯାଏଁ ତାଙ୍କ କୌଣସି ସୂଚନା ମିଳିନାହିଁ।

ତେବେ ପୁଲିସ୍‌ ତାଙ୍କ ବିଷୟରେ ସୂଚନା ଦେଲେ ଲକ୍ଷେ ଟଙ୍କାର ପୁରସ୍କାର ମିଳିବ ବୋଲି ଘୋଷଣା କରିଛି। ସେହିପରି ସୁଶୀଲଙ୍କ ସହଯୋଗୀ ଅଜୟଙ୍କୁ ଧରାଇ ଦେଲେ ୫୦ ହଜାର ଟଙ୍କା ପୁରସ୍କାର ମଧ୍ୟ ଦିଆଯିବ ବୋଲି ପୁଲିସ କହିଛି। ଅନ୍ୟପକ୍ଷରେ ହତ୍ୟା ମାମଲାରେ ଫସିଥିବା ସୁଶୀଲ ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କରିଛନ୍ତି। ଏହାର ଶୁଣାଣି ଆଜି ହେବାର ଅଛି।

ସୂଚନାଯୋଗ୍ୟ, ରୋହିଣୀ କୋର୍ଟ ସୁଶିଲ ଏବଂ ୬ ଅନ୍ୟ ଅଭିଯୁକ୍ତଙ୍କ ନାଁରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି କରିଛି। ମୋବାଇଲ ଲୋକେସନ ଏବଂ ଯାଞ୍ଚରୁ ଜଣାପଡ଼ୁଛି ଯେ, ସୁଶିଲ ହରିଦ୍ବାରର ଏକ ବାବାଙ୍କ ଆଶ୍ରମରେ ଲୁଚିଛନ୍ତି। ତାଙ୍କ ବିରୋଧରେ ପୋଲିସ ଲୁକ୍‌ଆଉଟ୍‌ ନୋଟିସ୍‌ ମଧ୍ୟ ଜାରି କରିସାରିଛି। ଷ୍ଟାଡିୟମରେ କାମ କରୁଥିବା ୧୭ ଲୋକଙ୍କ ବୟାନ ମଧ୍ୟ ରେକର୍ଡ ସରିଛି।

ସାଗରକୁ ମାଡପିଟ୍‌ ବେଳେ ବଞ୍ଚାଇବାକୁ ଚେଷ୍ଟା କରିଥିବା ୩ ରେସଲର ଭକ୍ତୁ, ସୋନୁ ଏବଂ ଅମିତଙ୍କର ମଧ୍ୟ ପୋଲିସ ବୟାନ ରେକର୍ଡ କରିଛି। ହତ୍ୟାକାଣ୍ଡରେ ଗିରଫ ହୋଇଥିବା ପ୍ରିନ୍ସ ଦଲାଲ ମୋବାଇଲ୍‌ ଭିଡିଓକୁ ଯାଞ୍ଚ ପାଇଁ ପୋଲିସ ଫରେନ୍ସିକ୍‌ ଲାବ ପଠାଇଥିଲା। ତାର ରିପୋର୍ଟ ମଧ୍ୟ ଆସିସାରିଛି। କୋର୍ଟ​ରେ ଏହାକୁ ଦିଆଯାଇଛି। ସୁଶିଲ ଏବଂ ସାଥି ସାଗରକୁ ରଡ୍‌ ଏବଂ ବାଡିରେ ପିଟୁଥିବା ବେଳେ ପ୍ରିନ୍ସ ହିଁ ମୋବାଇଲରେ ସୁଟ୍‌ କରିଥିଲା।

Share

Leave a Reply

Your email address will not be published. Required fields are marked *

3 + 20 =