କଂଗ୍ରେସର ଗୁପ୍ତ ରଣନୀତି

ଭୁବନେଶ୍ବର : ଦୁଇ ଦିନ ଧରି ଲଗାତାର ଭାବେ ରାଜ୍ୟ କଂଗ୍ରେସ ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କ ଟୁଇଟ୍‍ ବାଣରେ ଘାଇଲା ହେବାପରେ ଏବେ ଉଭୟ ବିଜେଡି ଓ ବିଜେପି କଂଗ୍ରେସର ରଣନୀତି ସଂକ୍ରାନ୍ତରେ ସୂଚନା ସଂଗ୍ରହରେ ଲାଗିଛନ୍ତି । କଂଗ୍ରେସର ଏଭଳି ଗୁପ୍ତ ରଣନୀତି ଏବେ ଦୁଇ ଦଳକୁ ଚିନ୍ତାରେ ପକାଇ ଦେଇଛି ।

ରାଜ୍ୟ କଂଗ୍ରେସର ଦାୟିତ୍ୱ ନେବାପରେ ନିରଞ୍ଜନ ଖୋଲାଖୋଲି ଭାବେ ଆଗୁଆ ପ୍ରାର୍ଥୀ ଘୋଷଣା ନେଇ ସୂଚନା ଦେଇଥିଲେ । ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ ବି ତାଙ୍କ ସହିତ ସ୍ବର ମିଳାଇଥିଲେ । ଏହା ଗଣମାଧ୍ୟମରେ ବେଶ୍‍ ଜୋରସୋରରେ ପ୍ରସାରିତ ହୋଇଥିଲା । ଏହା ପରଠାରୁ ନିରଞ୍ଜନ ଆଉ କୌଣସି ବଡ ରାଜନୈତିକ ସୂଚନା ଦେଉନାହାନ୍ତି । ଫଳରେ କଂଗ୍ରେସ କଣ ରଣନୀତି ପ୍ରସ୍ତୁତ କରୁଛି ତାହାର ସାମାନ୍ୟ ଟେର୍‍ କାହାକୁ ମିଳୁନାହିଁ ।

ଏହାର ଗୋଟିଏ ଉଦାହରଣ ହେଲା ଭୁବନେଶ୍ବର କଂଗ୍ରେସ ଦାୟିତ୍ବ ସମ୍ଭାଳିଥିବା ଯୁବ ନେତା ମାନସ ଚୌଧୁରୀଙ୍କ ଜାତୀୟ ରାଜପଥ ଦପ୍ତରରେ ମୋଟର ଲଗାଇ ପାଣି ପୁରାଇଦେବା । ଏହି ଘଟଣା ସଂକ୍ରାନ୍ତରେ କେହି ସାମାନ୍ୟ ସୂଚନା ସୁଦ୍ଧା  ଆଗତୁରା ପାଇଲେ ନାହିଁ । ସୁବକିଛି ପାଣିରେ ବୁଡିବା ପରେ ଗଣମାଧ୍ୟମରୁ ଜାଣିଲେ । ହେଲେ ସେତେବେଳକୁ ସବୁକିଛି ଶ୍ରେୟ କଂଗ୍ରେସ ନେଇ ସାରିଥିଲା । ଏହା ପରେ କଂଗ୍ରେସ ରାଜଧାନୀ ଉପକଣ୍ଠରେ ଲଗାତାର ଭାବେ କର୍ମୀ ସମ୍ମିଳନୀ ଚଳାଇଛି । ସମଗ୍ର ରାଜ୍ୟରେ ବି ଉପସଭାପତି ମାନେ କାର୍ଯ୍ୟ କରୁଛନ୍ତି । ହେଲେ ଦଳପତି ଏହାର ପ୍ରଚାର ପ୍ରସାର କରି ବିରୋଧିଙ୍କୁ ଚାଲାକ କରିବାକୁ ଚାହୁଁ ନାହାନ୍ତି ।

ଦିନକୁ ହାରାହାରି ଭାବେ ଦୁଇ ଦୁଇଟି ସାମ୍ବାଦିକ ସମ୍ମିଳନୀ ଓ ପ୍ରେସ୍‍ ରିଲିଜ ଜାରିକରି ଉଭୟ ବିଜେଡି ଓ ବିଜେପି ସୋସିଆଲ ମିଡିଆରେ ନିଜ ନିଜର ପତିଆରା ଦେଖାଇ ଆସୁଥିଲେ । ସମସ୍ତେ ଭାବୁଥିଲେ କଂଗ୍ରେସ ସୋସିଆଲ ମିଡିଆ କ୍ଷେତ୍ରରେ ପଛରେ ପଡିଛି । ହେଲେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନକୁ ନେଇ ନିରଞ୍ଜନଙ୍କ ସଚିତ୍ର ଟୁଇଟ୍‍ ଏବେ ଦୁଇ ଦଳର ନିଦ ହଜାଇ ଦେଇଛି । କଂଗ୍ରେସ ଏଭଳି ଢଙ୍ଗରେ ସୋସିଆଲ ମିଡିଆରେ ଆକ୍ରମଣ କରୁଛି ଯେ ତାହାକୁ ମୁକାବିଲା କରିବାକୁ ବେଳ ନାହିଁ । ଲୋକଙ୍କ ମନକୁ ବି କଂଗ୍ରେସର ସଚିତ୍ର ସୋସିଆଲ ମିଡିଆ ବାର୍ତ୍ତା ଛୁଉଁଥିବା ଲକ୍ଷ୍ୟ କରାଯାଉଛି ।

ତେବେ ରାଜନୈତିକ ବିଶ୍ଳେଷକମାନଙ୍କ ମତରେ ରାଜ୍ୟ ବିଜେପି ଯେଉଁ ଭୁଲ୍‍ କରିଛି ତାହା କଂଗ୍ରେସ ଦୋହରାଇବାକୁ ଚାହୁଁନାହିଁ । ବିଜେପିର ସେନାପତିମାନେ ଅତି ଉତ୍ସାହିତ ହୋଇ ନିଜର ରଣନୀତି ବାହାରେ ପ୍ରଘଟ କରିବା ଯୋଗୁଁ କ୍ଷମତାରେ ଥିବା ବିଜେଡି ତାହାକୁ ଅତି ସହଜରେ ପ୍ରତିହତ କରିପାରୁଛି । ବିଜେପୁର ଉପନିର୍ବାଚନ ପରଠାରୁ ଏହା ଲକ୍ଷ୍ୟ କରାଯାଉଛି । ତେଣୁ ଅତ୍ୟନ୍ତ ଅଭିଜ୍ଞ ନେତା ଓ ସଫଳ ସେନାପତି ହିସାବରେ ନିରଞ୍ଜନ ତାଙ୍କ ରଣନୀତିକୁ ଅତ୍ୟନ୍ତ ଗୁପ୍ତ ରଖୁଛନ୍ତି । ତାଙ୍କର ଚୋଟିଚାଳନା ଏବେ ଧିରେ ଧିରେ ଜୋରଦାର ହେଉଥିବାବେଳେ ବିରୋଧି ଏହାର ଟେର୍‍ ନପାଇବା ଆଗାମୀ ଦିନରେ କଂଗ୍ରେସ  ଅକ୍ରମଣକୁ ଅଧିକ ଶାଣିତ କରିବ ବୋଲି ମତପ୍ରକାଶ ପାଉଛି ।

Share

Leave a Reply

Your email address will not be published. Required fields are marked *

2 + 19 =