୧୫ହଜାର କୋଟି ଟଙ୍କାର ଅତିରିକ୍ତ ବଜେଟ

ଋଣ ଭାର ୯୧ ହଜାର କୋଟି ଟପିବ

ଭୁବନେଶ୍ବର () : ସମ୍ଭବତଃ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବିଧାନସଭା । କାରଣ ସାଧାରଣତଃ ବିଧାନସଭାର ଶୀତ ଅଧିବେସନରେ ଅତିରିକ୍ତ ବଜେଟ ଆଗତ ହେବାର ପରମ୍ପରା ରହିଛି । ଚଳିତ ବର୍ଷ କିନ୍ତୁ ରାଜ୍ୟ ସରକାର ମୌସୁମୀ ଅଧିବେଶନରେ ଅତିରିକ୍ତ ବଜେଟ ଆଗତ କରୁଛନ୍ତି । ବଜେଟ ପୂର୍ବରୁ ସରକାର ଘୋଷଣା କରିଥିବା ଏକାଧିକ କଲ୍ୟାଣମୂଳକ ଯୋଜନାକୁ ଦେଖିଲେ ଏହା ଏକ ଲୋକାଭିମୁଖୀ ବଜେଟ ହେବ ବୋଲି ଆକଳନ କରାଯାଉଛି ।

ମୂଳ ବଜେଟରେ ରାଜ୍ୟ ସରକାର ୧ କୋଟି ୨୦ ଲକ୍ଷ ୨୮ହଜାର କୋଟି ଟଙ୍କାର ବ୍ୟୟ ଅଟକଳ କରିଥିଲେ । ବିଭିନ୍ନ ନୂଆ ଯୋଜନାର ଆକାରକୁ ଦେଖିଲେ ଲାଗୁଛି ଅତିରିକ୍ତ ବଜେଟର ଆକାର ୧୫ ହଜାର କୋଟି ଟଙ୍କା ଛୁଇଁବ । ଗତ ଆର୍ଥିକ ବର୍ଷରେ ରାଜ୍ୟ ସରକାର ୯ହଜାର ୮୨୮ କୋଟି ୫୭ ଲକ୍ଷ ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଥିଲେ । ଏଥର ଅତିରିକ୍ତ ବଜେଟର ଆକାର ଗତ ବର୍ଷ ତୁଳନାରେ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି ପାଇବାର ଆକଳନ କରାଯାଉଛି ।

ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ବିଧାନସଭାରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ । ଅତରିକ୍ତ ବଜେଟର ରୂପରେଖ ଏବଂ କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ ତାକୁ ନେଇ ଅର୍ଥନୈତିକ ବିଶେଷଜ୍ଞମାନେ ଅଙ୍କ କଷୁଛନ୍ତି । ତେବେ ଗୋଟିଏ କଥା ସ୍ପଷ୍ଟ ଯେ, ଏହା ନିର୍ବାଚନ ବର୍ଷ ହୋଇଥିବାରୁ ରାଜ୍ୟ ସରକାର ଘୋଷଣା ହୋଇଥିବା ନୂଆ ଯୋଜନା ବାଦ କିଛି ଆଉ କିଛି ଜନସ୍ୱାର୍ଥ ଯୋଜନା ପାଇଁ ଅତିରିକ୍ତ ବଜେଟରେ ଅର୍ଥର ବ୍ୟବସ୍ଥା କରିବେ ।

ଏହା ଭିତରେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୫ଶହ କୋଟି, ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ପାଇଁ ୨୨୦ କୋଟି, ଆଶାକର୍ମୀଙ୍କ ପାଇଁ ୫୦ କୋଟି ଖର୍ଚ୍ଚ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ମୂଳ ବଜେଟେରେ ଏସବୁ ପାଇଁ ଯୋଜନା ପାଇଁ ଅର୍ଥ ବ୍ୟବସ୍ଥା ହୋଇନଥିଲା । ତେଣୁ ଅତିରିକ୍ତ ବଜେଟରେ ନେଇ ଆର୍ଥର ପ୍ରାବଧାନ କରାଯିବ । ଏଥିସହ ଆଗକୁୁ ନିର୍ବାଚନ ଥିବାରୁ ରାଜ୍ୟ ସରକାର ଆଉ କିଛି ନୂଆ ଯୋଜନା ଆଣିବାକୁ ବ୍ୟୟବରାଦ ହୋଇପାରେ ।

ବଜେଟେରେ ସାମାଜିକ କ୍ଷେତ୍ର, ଶିଳ୍ପ, ଭି ିଭୂମି, କୃଷି, ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି । ଜୁଲାଇ ସୁଦ୍ଧା ଗତ ଆର୍ଥିକ ବର୍ଷ ତୁଳନାରେ ଯୋଜନା ଓ ପ୍ରକଳ୍ପ ବାବଦ ଅର୍ଥ ବିନିଯୋଗ ୧୦ ପ୍ରତିଶତ ଅଧିକ ହୋଇଛି ।

ଚଳିତ ଆର୍ଥିକ ବର୍ଷ ଜୁଲାଇ ଶେଷ ସୁଦ୍ଧା ରାଜ୍ୟର ରାଜସ୍ୱ ସଂଗ୍ରହ ଗତବର୍ଷ ଅପେକ୍ଷା ୩୩ ପ୍ରତିଶତ ବଢିଛି । ଖଣି ଓ ଇସ୍ପାତ କ୍ଷେତ୍ରରୁ ୭୨ ପ୍ରତିଶତ ଓ ଯାନବାହନ ଟିକସ ଆଦାୟ ଗତବର୍ଷ ଅପେକ୍ଷା ୪୨ ପ୍ରତିଶତ ବୃଦ୍ଧି ପାଇଛି । ସେପଟେ ରାଜ୍ୟ ସରକାର ଓଡ଼ିଶା ଆକସ୍ମିକ ପାଣ୍ଠିକୁ ୪ଶହ କୋଟିରୁ ୧୪ଶହ କୋଟିକୁ ବୃଦ୍ଧି କରିଛନ୍ତି । ବିଭିନ୍ନ ଯୋଜନା ପାଇଁ ରାଜ୍ୟ ସରକାର ଋଣ ବି କରିଚାଲିଛନ୍ତି । ଖୋଲାବଜାରରୁ ବି ଋଣ ହୋଉଛି । ୨୦୧୮-୧୯ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ମୋଟ ଋଣ ଭାର ୯୧ହଜାର ୯୪୩ କୋଟି ଟପିବାର ଆକଳନ କରିଛନ୍ତି ସରକାର । ଏହି ଋଣଭାର ଜିଏସଡିପିର ୨୦.୭୩ ପ୍ରତିଶତ ହେବ । ମାର୍ଚ୍ଚ ମାସ ଶେଷ ସୁଦ୍ଧା ରାଜ୍ୟ ସରକାର ଖୋଲା ବଜାରରୁ ୮ହଜାର କୋଟି ଟଙ୍କାର ଋଣ ଉଠାଇସାରିଥିଲେ ।

Share

Leave a Reply

Your email address will not be published. Required fields are marked *

one × two =