କର୍ମୀଙ୍କ ମନୋବଳ ବଢାଇବାକୁ ମିଛ କହୁଛନ୍ତି ବିଜେପି ନେତ୍ରୀ: ବିଜେଡି

ଭୁବନେଶ୍ୱର () ଦୁଇ ଦୁଇଟି ଉପନିର୍ବାଚନରେ ହାରିଥିବା ବିଜେପି କର୍ମକର୍ତ୍ତାଙ୍କ ମନୋବଳ ବଢାଇବାପାଇଁ ରାଜ୍ୟ ଗସ୍ତରେ ଆସିଥିବା ବିଜେପିର ଓଡିଶା ପ୍ରଭାରୀ ଡି.ପୁରେନ୍ଦେଶ୍ୱରୀ ଲୋକଙ୍କୁ ମିଛ କହୁଛନ୍ତି । ଏଭଳି ପ୍ରବଞ୍ଚନା ଓଡିଶାବାସୀଙ୍କ ନିକଟରେ କାମ ଦେବନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ରାଜ୍ୟ ବିଜେପି ପ୍ରଭାରୀଙ୍କ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନରେ ଶୋଚନୀୟ ପରାଜୟ ପରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାପାଇଁ ସେ ଏଠାକୁ ଆସିଛନ୍ତି । ବିଶେଷକରି ବାଲେଶ୍ୱର ପରାଜୟ ରାଜ୍ୟ ବିଜେପି ନେତା ଓ କର୍ମୀଙ୍କ ମନୋବଳ ଭାଙ୍ଗି ଦେଇଛି ।

ଡକ୍ଟର ପାତ୍ର କହିଛନ୍ତି ଯେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ବଦଳରେ ଯଦି ଶ୍ରୀମତୀ ପୁରେନ୍ଦେଶ୍ୱରୀ ଚାଷୀ ପ୍ରସଙ୍ଗରେ ଅଧିକ କହିଥାନ୍ତେ ତେବେ ଭଲ ହୋଇଥାନ୍ତା । ବିଶେଷକରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୪୭୦ ଟଙ୍କାରୁ ୨୯୩୦ ଟଙ୍କା ବୃଦ୍ଧିପାଇଁ ଓଡିଶା ବିଧାନସଭାରେ ୨୦୧୭ ମାର୍ଚ୍ଚ ୨୫ ତାରିଖରେ ଯେଉଁ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଥିଲା ସେ ସଂକ୍ରାନ୍ତରେ ମତ ରଖିବାର ଥିଲା । ବିଜେପିର ଧାମନଗର ବିଧାୟକ ବିଷ୍ଣୁ ସେଠୀ ଗତକାଲି ସାଧାରଣ ସଭାରେ ଜଣେ ମହିଳା ସମାଜସେବୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିଛନ୍ତି ଓ ସେଥିପାଇଁ ପୁଲିସ୍‍ରେ ଅଭିଯୋଗ ହୋଇଥିବା ନେଇ ବୋଧେ ପୁରେନ୍ଦେଶ୍ୱରୀ ଅବଗତ ନାହାନ୍ତି ।

ଅତୀତରେ ଇତିଶ୍ରୀ ପ୍ରଧାନ ମୃତ୍ୟୁ ଘଟଣାରେ ଜୟରାମ ପାଙ୍ଗିଙ୍କ ସମ୍ପୃକ୍ତିର ତଦନ୍ତ ସିବିଆଇ ଦ୍ୱାରା କରିବାଲାଗି ବିଜେପି ଲଗାତାର ଆନ୍ଦୋଳନ ଚଳାଇଥିଲା । ହେଲେ ପରବର୍ତ୍ତୀ ସମୟରେ ଶ୍ରୀ ପାଙ୍ଗି ବିଜେପିରେ ଯୋଗଦେଲେ ଏବଂ ବିଜେପି ତାଙ୍କୁ ସ୍ୱାଗତ କରିବା ସହିତ ଟିକଟ ଦେଇ ନିର୍ବାଚନ ଲଢାଇଲା । ଓଡିଶା ବିଜେପି ବୋଧହୁଏ ତାଙ୍କ ରାଜ୍ୟ ପ୍ରଭାରୀଙ୍କୁ ଏ ସଂକ୍ରାନ୍ତରେ ଅବଗତ କରିନାହାନ୍ତି ବୋଲି ଡକ୍ଟର ପାତ୍ର କହିଛନ୍ତି ।

ଦେଶର ଅନ୍ୟ ରାଜ୍ୟ ତୁଳନାରେ ସର୍ବାଧିକ ଘର ତିଆରି କରିଥିବାରୁ କେନ୍ଦ୍ରରେ ଶାସନ କରୁଥିବା ତାଙ୍କରି ଦଳ ଓଡିଶାକୁ ୫ଟି ପୁରସ୍କାର ଦେଇଥିବା ନେଇ ଶ୍ରୀମତୀ ପୁରେନ୍ଦେଶ୍ୱରୀ ଅବଗତ ନଥିବା ଲକ୍ଷ୍ୟ କରାଯାଉଛି । ଏଭଳି ସ୍ଥିତିରେ ନିଜ ସ୍ତରରେ ଦଳୀୟ କର୍ମୀଙ୍କ ମନୋବଳ ବଢାଇବାପାଇଁ ସେ ଯେଭଳି ମିଛ କହୁଛନ୍ତି ଓଡିଶାବାସୀ ତାହାକୁ ଆଦୌ ଗ୍ରହଣ କରିବେ ନାହିଁ ବୋଲି ଡକ୍ଟର ପାତ୍ର ସ୍ପଷ୍ଟ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

fifteen + 4 =