ଆମେରିକାରେ ବିମାନ ଚଳାଚଳକୁ ନେଇ ଦେଖାଦେଇଛି ବଡ଼ ସଙ୍କଟ
ଆମେରିକାରେ ବିମାନ ଚଳାଚଳକୁ ନେଇ ଦେଖାଦେଇଛି ବଡ଼ ସଙ୍କଟ। ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ବ୍ୟବସ୍ଥାରେ ବୈଷୟିକ ତ୍ରୁଟି ଯୋଗୁଁ ହଜାର ହଜାର ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ଫଳରେ ବିଭିନ୍ନ ବିମାନବନ୍ଦରରେ ଫସି ରହିଛନ୍ତି ହଜାର ହଜାର ଯାତ୍ରୀ । ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଏହି ସମସ୍ୟା ଶନିବାର ମଧ୍ୟ ଜାରି ରହିଛି ।
ଆମେରିକାର ଫେଡେରାଲ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ ବା FAAର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଯୋଗାଯୋଗ ବ୍ୟବସ୍ଥାରେ ଗୁରୁତର ତ୍ରୁଟି ଦେଖାଦେବା ପରେ ସୁରକ୍ଷା ଦୃଷ୍ଟିରୁ ବିମାନ ଉଡ଼ାଣ ଉପରେ ଅସ୍ଥାୟୀ ରୋକ୍ ଲଗାଯାଇଥିଲା । ପ୍ରାୟ ୫ ଘଣ୍ଟା ଧରି ବିମାନ ଚଳାଚଳ ବନ୍ଦ ରହିଥିଲା । ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ ଫ୍ଲାଇଟ୍ଆୱେରର ତଥ୍ୟ ଅନୁସାରେ, ଶନିବାର ସନ୍ଧ୍ୟା ସୁଦ୍ଧା ୬ ହଜାର ୧୫୦ରୁ ଅଧିକ ବିମାନ ବାତିଲ୍ ହୋଇଥିବା ବେଳେ ୭ ହଜାର ୩୦୦ରୁ ଅଧିକ ବିମାନ ବିଳମ୍ବରେ ଚଳାଚଳ କରିଥିଲା । ଶୁକ୍ରବାର ମଧ୍ୟ ପ୍ରାୟ ୯ ହଜାର ୨୦୦ ବିମାନ ବାତିଲ୍ ହୋଇଥିଲା । ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଡେନଭର ଅନ୍ତର୍ଜାତୀୟ ବିମାନବନ୍ଦର । ଯେଉଁଠାରେ ଶନିବାର ୪୩୦ରୁ ଅଧିକ ବିମାନ ବିଳମ୍ବିତ ହୋଇଥିବା ବେଳେ ୩୮୦ରୁ ଅଧିକ ବିମାନ ବାତିଲ୍ ହୋଇଛି।
ଅନ୍ୟପଟେ ଏହି ଘଟଣାକୁ ନେଇ FAA ମୁଖ୍ୟ ବ୍ରାଏନ୍ ବେଡଫୋର୍ଡ ଯାତ୍ରୀମାନଙ୍କୁ କ୍ଷମା ମାଗିଛନ୍ତି । ସେପଟେ ଆମେରିକାର ପରିବହନ ସଚିବ ଶନ୍ ଡଫି କହିଛନ୍ତି ଯେ, ଏୟାର ଟ୍ରାଫିକ୍ କଣ୍ଟ୍ରୋଲରେ ବ୍ୟବହୃତ ପୁରୁଣା ହାର୍ଡୱେର୍ରେ ତ୍ରୁଟି ଯୋଗୁଁ ଏଭଳି ସ୍ଥିତି ଉପୁଜିଛି। ତେବେ ଏହା କୌଣସି ସାଇବର ଆକ୍ରମଣ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ୨୦୦୧ ମସିହା ସେପ୍ଟେମ୍ବର ୧୧ ଆତଙ୍କବାଦୀ ଆକ୍ରମଣ ପରେ ଏହା ଆମେରିକାର ସବୁଠାରୁ ଦୀର୍ଘ ସମୟର ବିମାନ ଚଳାଚଳ ବାଧା ବୋଲି କୁହାଯାଉଛି । ଏବେ ବିମାନ ସେବାକୁ ସ୍ୱାଭାବିକ କରିବା ସହ ବିମାନ, ପାଇଲଟ୍ ଏବଂ କର୍ମଚାରୀଙ୍କ ଡ୍ୟୁଟି ପୁନଃନିର୍ଦ୍ଧାରଣ କରିବା ବିମାନ କମ୍ପାନୀଗୁଡ଼ିକ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

