Business

ଆଇଡିବିଆଇ ବ୍ୟାଙ୍କକୁ ବିଶ୍ୱସ୍ତରୀୟ ଆର୍ଥିକ ସଂସ୍ଥାରେ ପରିଣତ କରିବ ଫେୟାରଫ୍ୟାକ୍ସ

ଭୁବନେଶ୍ୱର: ଭାରତୀୟ ବ୍ୟାଙ୍କିଂ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ସ୍ୱରୂପ ଆଇଡିବିଆଇ ବ୍ୟାଙ୍କକୁ ଏକ ବିଶ୍ୱସ୍ତରୀୟ ଆର୍ଥିକ ସେବା ସଂସ୍ଥାରେ ପରିଣତ କରିବାକୁ କାନାଡାର ନିବେଶକ କମ୍ପାନି ଫେୟାରଫ୍ୟାକ୍ସ ଫାଇନାନ୍ସିଆଲ ହୋଲ୍ଡିଂସ ଯୋଜନା କରିଛି । ବ୍ୟାଙ୍କର ୬୦.୭୨ ପ୍ରତିଶତ ଅଂଶଧନକୁ ୫୨,୮୭୮ କୋଟି ଟଙ୍କାରେ କିଣିବା ପାଇଁ ଏହା ପ୍ରସ୍ତାବ ଦେଇଛି । ଏହି କାରବାର ସଫଳ ହେଲେ ବ୍ୟାଙ୍କର ପରିଚାଳନା ନିୟନ୍ତ୍ରଣ ଫେୟାରଫ୍ୟାକ୍ସ ହାତକୁ ଆସିଯିବ । ଫେୟାରଫ୍ୟାକ୍ସ କେବଳ ବ୍ୟାଙ୍କିଂ କ୍ଷେତ୍ରରେ ସୀମିତ ନ ରହି ଏକ ବଡ଼ ଆର୍ଥôକ ସେବା ଗୋଷ୍ଠୀ ଗଠନ କରିବାକୁ ଲକ୍ଷ୍ୟ ରଖିଛି । ବ୍ୟାଙ୍କିଂ ସହିତ ଜୀବନ ବୀମା, ସାଧାରଣ ବୀମା, ନିବେଶ ବ୍ୟାଙ୍କିଂ ଓ ସମ୍ପତି ପରିଚାଳନା ସେବାକୁ ଗୋଟିଏ ବ୍ୟବସ୍ଥାରେ ଉପଲବ୍ଧ କରିବ । ଫେୟାରଫ୍ୟାକ୍ସର ମୁଖ୍ୟ ପରିଚାଳନା ଅଧିକାରୀ ପିଟର କ୍ଲାର୍କ କହିଛନ୍ତି ଯେ ଭାରତର ଏକ ପ୍ରମୁଖ ବ୍ୟାଙ୍କ ହେବାରେ ଆଇଡିବିଆଇ ବ୍ୟାଙ୍କର ସାମର୍ଥ୍ୟ ରହିଛି ।
ଏହି ଅଧିଗ୍ରହଣ ପାଇଁ ଫେୟାରଫ୍ୟାକ୍ସ ପ୍ରତି ସେୟାର ପିଛା ୮୧ ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛି । ଏହା ସରକାରଙ୍କ ଧାର୍ଯ୍ୟ ୭୫.୯୯ ଟଙ୍କାର ମୂଲ୍ୟାୟନଠାରୁ ଅଧିକ । ସେହିପରି ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ବ୍ୟାଙ୍କର ପ୍ରତି ସେୟାର ବୁକ ଭାଲ୍ୟୁ ୫୧.୮୫ ଟଙ୍କା ଥିବାବେଳେ ଅଫର ମୂଲ୍ୟ ତାହାଠାରୁ ପ୍ରାୟ ୫୬ ପ୍ରତିଶତ ଅଧିକ । ଅଧିଗ୍ରହଣ ପରେ ଫେୟାରଫ୍ୟାକ୍ସ ନିଜର ଅନ୍ୟ ଆର୍ଥôକ ବ୍ୟବସାୟଗୁଡ଼ିକୁ ମଧ୍ୟ ଆଇଡିବିଆଇ ସହ ଯୋଡ଼ିବାକୁ ଯୋଜନା କରିଛି । ଏଥିରେ ଗୋ ଡିଜିଟ୍ ଜେନେରାଲ ଇନ୍ସ୍ୟୁରାନ୍ସ, ଗୋ ଡିଜିଟ୍ ଲାଇଫ୍ ଇନ୍ସ୍ୟୁରାନ୍ସ ଓ ଆଇଆଇଏଫ୍ଏଲ୍ କ୍ୟାପିଟାଲ ସର୍ଭିସେସ୍ ରେ ଏହାର ଅଂଶଧନକୁ ସାମିଲ କରିବା ପ୍ରସ୍ତାବ ରହିଛି । ଏଥିପାଇଁ ବିଭିନ୍ନ ନିୟାମକ ସଂସ୍ଥାର ଅନୁମତି ଆବଶ୍ୟକ ।
ଏକଦା ଆର୍ଥôକ ସଙ୍କଟରେ ଫସିଥିବା ଆଇଡିବିଆଇ ବ୍ୟାଙ୍କ ଏବେ ଲାଭଜନକ ସ୍ଥିତିକୁ ଫେରିଛି । ଅନାଦେୟ ଋଣ ବୃଦ୍ଧି ଓ ପୁଂଜି ଅଭାବ ଯୋଗୁଁ ୨୦୧୭ ମେ’ରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାୟ ଚାରି ବର୍ଷ ଧରି ବ୍ୟାଙ୍କ ରିଜର୍ଭ ବ୍ୟାଙ୍କର ପ୍ରମ୍ପଟ କରେକ୍ଟିଭ୍ ଆକ୍ସନ୍ (ପିସିଏ) ବ୍ୟବସ୍ଥାରେ ରହିଥିଲା । ଏହି ସମୟରେ ସରକାର ଓ ଏଲଆଇସିକୁ ବ୍ୟାଙ୍କରେ ପୁଂଜିନିବେଶ କରିବାକୁ ପଡ଼ିଥିଲା । ପରବର୍ତ୍ତୀ ସମୟରେ ଏହାର ଆର୍ଥôକ ସ୍ଥିତିରେ ସୁଧାର ଆସିଛି । ଗତ ଆର୍ଥôକ ବର୍ଷରେ ବ୍ୟାଙ୍କ ପ୍ରାୟ ୯ ହଜାରରୁ ୧୦ ହଜାର କୋଟି ଟଙ୍କା ଲାଭ କରିଛି ।
ବ୍ୟାଙ୍କ ଲାଭ କରୁଥିବା ସତ୍ତ୍ୱେ ଏହାକୁ ଘରୋଇ ସଂସ୍ଥାକୁ ବିକ୍ରି କରିବାର ଆବଶ୍ୟକତା କାହିଁକି, ତାହାକୁ ନେଇ ପ୍ରଶ୍ନ ଉଠୁଛି । ସରକାରଙ୍କ ଯୁକ୍ତି ହେଉଛି, ଆଇଡିବିଆଇର ସୁଧାର ହୋଇଥିବା ଆର୍ଥିକ ସ୍ଥିତି ସହ ଫେୟାରଫ୍ୟାକ୍ସର ଅଭିଜ୍ଞତା ମିଶିଲେ ଏକ ବଡ଼ ଆର୍ଥôକ ସେବା ସଂସ୍ଥା ଗଢ଼ିଉଠିପାରିବ । ଏହାଦ୍ୱାରା ବ୍ୟାଙ୍କ ନିଜର ପାରମ୍ପରିକ ଜମା ଓ ଋଣ କାରବାର ବାହାରେ ଅନ୍ୟ କ୍ଷେତ୍ରରେ ମଧ୍ୟ ବ୍ୟବସାୟ ବଢ଼ାଇପାରିବ । ତେବେ ଘରୋଇକରଣ ପରେ ବ୍ୟାଙ୍କର ଗ୍ରାହକ ସେବା, ଋଣ ନୀତି ଓ କର୍ମଚାରୀଙ୍କ ଉପରେ କି ପ୍ରଭାବ ପଡ଼ିବ, ତାହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ ।
ଭାରତରେ ଫେୟାରଫ୍ୟାକ୍ସର ନିବେଶ ଅଭିଜ୍ଞତା ଦୀର୍ଘ ଦିନର । ୨୦୦୧ରୁ ଏହା ଭାରତୀୟ ବଜାରରେ ନିବେଶ କରିଆସୁଛି । ଆଇସିଆଇସିଆଇ ବ୍ୟାଙ୍କ, ଗ୍ରୀସର ୟୁରୋବ୍ୟାଙ୍କ, ଇଜିପ୍ଟର ସିଆଇବି ବ୍ୟାଙ୍କ ଓ ବ୍ୟାଙ୍କ ଅଫ୍ ଆୟର୍ଲାଣ୍ଡ ଭଳି ସଂସ୍ଥାରେ ଏହାର ନିବେଶ ରହିଛି । ଥୋମାସ୍ କୁକ୍ ଇଣ୍ଡିଆ, କ୍ୱେସ୍ କର୍ପ, ଆଇଆଇଏଫଏଲ ଗ୍ରୁପ୍ ଓ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଭଳି ସଂସ୍ଥା ସହ ମଧ୍ୟ ଏହାର ବ୍ୟବସାୟିକ ସମ୍ପର୍କ ରହିଛି ।
୨୦୧୮ରେ ଫେୟାରଫ୍ୟାକ୍ସ ଭାରତର ସିଏସବି ବ୍ୟାଙ୍କରେ ନିବେଶ କରିଥିଲା । ସେତେବେଳେ ବ୍ୟାଙ୍କଟି ଖରାପ ଋଣ ଓ ପୁଞ୍ଜି ଅଭାବ ସମସ୍ୟାରେ ରହିଥିଲା । ଫେୟାରଫ୍ୟାକ୍ସ ପୁଂଜି ଯୋଗାଇବା ସହ ପ୍ରଯୁକ୍ତିବିଦ୍ୟା, ପରିଚାଳନା ବ୍ୟବସ୍ଥା ଓ କାର୍ଯ୍ୟପ୍ରଣାଳୀରେ ସୁଧାର ଆଣିଥିବା କୁହାଯାଉଛି । ଏହା ପରେ ସିଏସ୍ୱି ବ୍ୟାଙ୍କ ଲାଭଜନକ ସ୍ଥିତିକୁ ଫେରିଥିବା ଫେୟାରଫ୍ୟାକ୍ସ ଦାବି କରିଛି । ଏହି ଅଭିଜ୍ଞତାକୁ ଆଧାର କରି ଆଇଡିବିଆଇ ବ୍ୟାଙ୍କରେ ମଧ୍ୟ ପୁଂଜି, ପ୍ରଯୁକ୍ତି ଓ ପରିଚାଳନାଗତ ସୁଧାର ଆଣିବାକୁ କମ୍ପାନି ଯୋଜନା କରିପାରିବ ।
ଏହି କାରବାର ପରେ କେନ୍ଦ୍ର ସରକାର ଓ ଏଲ୍ଆଇସି ମିଳିତ ଭାବେ ଆଇଡିବିଆଇ ବ୍ୟାଙ୍କର ପ୍ରାୟ ୩୪ ପ୍ରତିଶତ ଅଂଶଧନ ରଖିବେ । ଅର୍ଥାତ୍ ଅଧିକାଂଶ ଅଂଶଧନ ଘରୋଇ ନିବେଶକଙ୍କ ହାତକୁ ଯିବା ପରେ ମଧ୍ୟ ସରକାର ଓ ଏଲ୍ଆଇସି ବ୍ୟାଙ୍କର ଅଂଶୀଦାର ରହିବେ । ଆଇଡିବିଆଇର ଘରୋଇକରଣ ପ୍ରକ୍ରିୟା ୨୦୨୨ ଅକ୍ଟୋବରରେ ଆରମ୍ଭ ହୋଇଥିଲା । ତେବେ ଏହି ଅଧିଗ୍ରହଣ ଓ ଅନ୍ୟ ଆର୍ଥôକ ବ୍ୟବସାୟଗୁଡ଼ିକର ପ୍ରସ୍ତାବିତ ମିଶ୍ରଣ ପାଇଁ ଆବଶ୍ୟକ ନିୟାମକ ଓ ଅନ୍ୟାନ୍ୟ ଅନୁମତି ମିଳିବା ବାକି ରହିଛି । ବିଶେଷକରି ବୀମା ଓ ନିବେଶ ସଂସ୍ଥାଗୁଡ଼ିକୁ ବ୍ୟାଙ୍କ ସହ ଯୋଡ଼ିବା ସମୟରେ ସେମାନଙ୍କର ମୂଲ୍ୟାୟନ, ପୁଂଜିର ବ୍ୟବହାର ଓ ପରିଚାଳନାର ସ୍ୱଚ୍ଛତା ଉପରେ ନଜର ରହିବ । ଆଇଡିବିଆଇ ବ୍ୟାଙ୍କର ଗ୍ରାହକ ଓ ଅଂଶୀଦାରଙ୍କ ସ୍ୱାର୍ଥ ସୁରକ୍ଷିତ ରହିବା ମଧ୍ୟ ଏହି କାରବାରର ଏକ ପ୍ରମୁଖ ଦିଗ ହେବ ।

Share

Leave a Reply

Your email address will not be published. Required fields are marked *

16 − 14 =