ରାଜ୍ୟ

ବଙ୍ଗୋପସାଗରରେ ଭୟଙ୍କର ବାତ୍ୟା ଆଶଙ୍କା

ବଙ୍ଗୋପସାଗରରେ ଭୟଙ୍କର ବାତ୍ୟା ଆଶଙ୍କା । ୧୯ ତାରିଖ ସୁଦ୍ଧା ପବନର ବେଗ ଛୁଇଁପାରେ ୧୪୫ କିମି!। ୧୬ରେ ବାତ୍ୟା , ୧୭ରେ ଭୀଷଣ ବାତ୍ୟା ଓ ୧୯ରେ ଅତି ଭୀଷଣ ବାତ୍ୟାର ରୂପ ନେବା ସମ୍ଭାବନା । ଉତ୍ତର ଆନ୍ଧ୍ର ଉପକୂଳ ଆଡ଼କୁ ଗତି କରିପାରେ ବାତ୍ୟା । ବଙ୍ଗୋପସାଗରରେ ଘନୀଭୂତ ହେଉଛି ବାତ୍ୟା । ଆସନ୍ତା ୧୯ ନଭେମ୍ବର ସୁଦ୍ଧା ଏହା ଅତି ଭୀଷଣ ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ । ସେତେବେଳେ ପବନର ସର୍ବାଧିକ ସ୍ଥାୟୀ ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିବା ସହ ଝଟକା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ ।

ଭେମ୍ବର ୧୫ ତାରିଖରେ ଜାରି ହୋଇଥିବା ଆଞ୍ଚଳିକ ସ୍ୱତନ୍ତ୍ର ପାଣିପାଗ କେନ୍ଦ୍ର, ନୂଆଦିଲ୍ଲୀର ପୂର୍ବାନୁମାନରେ ଏଭଳି ଆଶଙ୍କା ପ୍ରକାଶ ପାଇଛି ।୧୪ ନଭେମ୍ବରରେ ସୃଷ୍ଟି ହୋଇଥିବା ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ୧୫ ନଭେମ୍ବର ସକାଳ ସୁଦ୍ଧା ଏହା ଦକ୍ଷିଣପୂର୍ବ ଓ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଅବପାତଟି ଗୋପାଳପୁରଠାରୁ ପ୍ରାୟ ୧୧୬୦ କିଲୋମିଟର ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଥିବା ବେଳେ ବିଶାଖାପାଟଣାଠାରୁ ୧୦୪୦ କିଲୋମିଟର ଏବଂ ଚେନ୍ନାଇଠାରୁ ପ୍ରାୟ ୮୬୦ କିଲୋମିଟର ଦୂରରେ ରହିଛି ।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଅବପାତ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ୧୬ ନଭେମ୍ବରରେ ଏହା ସାମୁଦ୍ରିକ ବାତ୍ୟାର ରୂପ ନେଇପାରେ । ୧୭ ତାରିଖରେ ଭୀଷଣ ସାମୁଦ୍ରିକ ବାତ୍ୟା ଏବଂ ୧୯ ତାରିଖ ବେଳକୁ ଅତି ଭୀଷଣ ସାମୁଦ୍ରିକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି । ଅଧିକାଂଶ ପାଣିପାଗ ମଡେଲ୍ ଅନୁସାରେ, ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିପାରେ । ତେବେ ଏହା କେଉଁଠି ସ୍ଥଳଭାଗ ଅତିକ୍ରମ କରିବ ଏବଂ ସେତେବେଳେ ଏହାର ତୀବ୍ରତା କେତେ ରହିବ, ସେନେଇ ଏବେ ବି ଅନିଶ୍ଚିତତା ରହିଛି ।

ବିଶେଷକରି ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଭଳି ଜିଲ୍ଲାରେ ସମ୍ଭାବ୍ୟ ପ୍ରଭାବକୁ ନେଇ ଆଗାମୀ ପୂର୍ବାନୁମାନ ଗୁରୁତ୍ୱପୂର୍ଣ୍ଣ ହେବ । ତେବେ ଓଡ଼ିଶାରେ ବାତ୍ୟାର ସିଧାସଳଖ ପ୍ରଭାବ କିମ୍ବା ନିର୍ଦ୍ଦିଷ୍ଟ ବର୍ଷା ଓ ପବନର ତୀବ୍ରତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବଙ୍ଗୋପସାଗରରେ ଅନୁକୂଳ ବାୟୁମଣ୍ଡଳୀୟ ପରିସ୍ଥିତି ଯୋଗୁଁ ବାତ୍ୟା ଦ୍ରୁତ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି । ଆଗାମୀ ୪୮ରୁ ୭୨ ଘଣ୍ଟା ମଧ୍ୟରେ ଏହାର ଗତିପଥ ଓ ତୀବ୍ରତା ସମ୍ପର୍କରେ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରେ ।

Share

Leave a Reply

Your email address will not be published. Required fields are marked *

9 + sixteen =