ଭାବୀ ଜ୍ବାଇଁଙ୍କ ପାଇଁ ଦଲାଲ ସାଜିଥିଲେ ପ୍ରଦୀପ

ଭୁବନେଶ୍ବର () କ୍ରାଇମବ୍ରାଞ୍ଚ ଖୋଲିଲା ପ୍ରଦୀପ ପାଣିଗ୍ରାହୀଙ୍କ ନିଯୁକ୍ତି ଜାଲିଆତିର ଆଉ ଏକ ଫର୍ଦ୍ଦ । ଭାବୀ ଜ୍ବାଇଁ ପାଇଁ ଦଲାଲ ସାଜିଥିଲେ ପ୍ରଦୀପ ପାଣିଗ୍ରାହୀ । ଲୋକଙ୍କୁ ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ଲୁଟୁଥିଲେ ମୋଟା ଅଙ୍କର ଅର୍ଥ । ଠକାମୀର ଶିକାର ହୋଇ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିବା ଯୁବକଯୁବତୀ ଏଭଳି ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି ।

ଭାବୀ ଜ୍ବାଇଁଙ୍କ ଜାଲିଆତିରେ ସିଧାସଳଖ ସଂପୃକ୍ତ ଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀମାନେ । ଅନେକ ଆଶାୟୀଙ୍କଠାରୁ ନିଜେ ଟଙ୍କା ଆଦାୟ କରୁଥିଲେ ପ୍ରଦୀପ । ୬ଜଣ ଅଭିଯୋଗକାରୀଙ୍କ ମଧ୍ୟରୁ ୨ଜଣ ସିଧାସଳଖ ପ୍ରଦୀପଙ୍କ ଆକାଉଣ୍ଟଙ୍କୁ ଟଙ୍କା ଦେଇଥିବା ବେଳେ ଅନ୍ୟ ୪ଜଣ ସହଯୋଗୀଙ୍କ ଆକାଉଣ୍ଟରେ ଦେଇଛନ୍ତି ଟଙ୍କା ।

ନିଯୁକ୍ତିର ମିଛ ମାୟାଜାଲ ବିଛାଇଥିଲେ ଆକାଶ ପାଠକ । ଟାଟାର ଜାଲ୍ ଆଇଡି କାର୍ଡ, ଭିଜିଟିଂ କାର୍ଡ, ଇମେଲ୍ ଆଇଡି କରି ଭୁଆଁ ବୁଲାଉଥିଲେ । ଚାକିରି ନାଁରେ ଭାବୀ ଶ୍ବଶୂରଙ୍କ ସହଯୋଗରେ ଆଦାୟ କରୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଆଉ ବଦଳରେ ନିୟୁକ୍ତିର ଜାଲ କାଗଜପତ୍ର ଧରାଉଥିଲେ ଜୁନିଅର ପାଠକ । ଏପରିକି ମିଛ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଅନ୍‌ଲାଇନ୍‌ରେ ଟ୍ରେନିଂ ବି ଦିଆଯାଇଥିଲା । ଭାବୀ ଜ୍ବାଇଁଙ୍କ ମିଛ ଉପରେ ସତର ଖୋଳପା ମଡାଉଥିଲେ ପ୍ରଦୀପ ପାଣିଗ୍ରାହୀ । ଆକାଶଙ୍କ ପିଏସ୍‌ ପିଟରଙ୍କୁ ଜେରା ବେଳେ ଏନେଇ ଖୁଲାସା ହୋଇଛି ।

ମହାଜାଲିଆତିର ଖୁଲାସା ସରିଛି । ଠକେଇର ଜାଲରେ ଫସି ଅନେକ ଚଞ୍ଚକତାର ଶିକାର ହୋଇଛନ୍ତି । ତେବେ ଭୟ କିମ୍ବା ସଙ୍କୋଚ ଯୋଗୁଁ ଏବେବି ସାମନାକୁ ଆସୁନାହାନ୍ତି ଠକାମୀର ଶିକାର ହୋଇଥିବା ଯୁବକଯୁବତୀ । ସେମାନଙ୍କୁ ନିର୍ଭୟରେ ମୁହଁ ଖୋଲିବାକୁ ଅପିଲ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି।

ଆକାଶଙ୍କ ଠକେଇର ମାଧ୍ୟମ ସାଜିଥିଲେ ପ୍ରଦୀପ ପାଣିଗ୍ରାହୀ । ମିଛ ନିଯୁକ୍ତିର ପ୍ରହେଳିକା ପାଇଁ ସହଯୋଗ କରିଥିଲେ । ଟାଟା ମୋଟର୍ସ ଜାମସେଦପୁରର ଡେପୁଟି ଜେନେରାଲ ମ୍ୟାନେଜର ତ୍ରିଲୋଚନ ମହାନ୍ତିଙ୍କ ରିପୋର୍ଟ ଆଧାରରେ ଗତ ସେପ୍ଟେମ୍ବର ୨୩ରେ କ୍ରାଇମବ୍ରାଞ୍ଚର ସାଇବର ଥାନାରେ ଆକାଶଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ବିଧାୟକ ଓ ତାଙ୍କ ସହଯୋଗୀଙ୍କୁ ରିମାଣ୍ଡରେ ନେଇପାରେ କ୍ରାଇମବ୍ରାଞ୍ଚ ।

Share

Leave a Reply

Your email address will not be published. Required fields are marked *

2 + seven =