ବେଦାନ୍ତ ପକ୍ଷରୁ ବିବିଧ ବ୍ୟବସାୟର ଡିମର୍ଜର ଘୋଷଣା, ୬ଟି ସ୍ୱତନ୍ତ୍ର ତାଲିକାଭୁକ୍ତ କଂପାନିରେ ରୂପାନ୍ତରିତ ହେବ

ଭୁବନେଶ୍ୱର: ଭାରତର ସର୍ବବୃହତ ବିବିଧ ପ୍ରାକୃତିକ ସମ୍ବଳ କଂପାନି ବେଦାନ୍ତ ଲିମିଟେଡ୍ ପକ୍ଷରୁ ଡିମର୍ଜର (କଂପାନିକୁ ଅଲଗା ଅଲଗା ଭାଗ କରିବା ପ୍ରକ୍ରିୟା) ଘୋଷଣା କରାଯାଇଛି । ଏହି ପ୍ରକ୍ରିୟାରେ ବେଦାନ୍ତ ଲିମିଟେଡ୍‌କୁ ୬ଟି ସ୍ୱାଧୀନ ତାଲିକାଭୁକ୍ତ ସଂସ୍ଥାରେ ଭାଗ କରାଯିବ । ଏହା ଜରିଆରେ ପ୍ରତିଟି କଂପାନିର ବାସ୍ତବ ମୂଲ୍ୟକୁ ହାସଲ କରିପାରିବ ବୋଲି କଂପାନି ଆଶା ରଖିଛି । ଏହା ଦ୍ୱାରା ପ୍ରତି ବ୍ୟବସାୟର ସମ୍ପ୍ରସାରଣ ଓ ଅଭିବୃଦ୍ଧି ଲାଗି ବଡ଼ ଧରଣର ପୁଞ୍ଜିନିବେଶ ଆସିପାରିବ । ଶ୍ରେଷ୍ଠ ମାନର ଇଏସ୍‌ଜି ଅଭ୍ୟାସ ଲାଗି ବେଦାନ୍ତ ପ୍ରତିବଦ୍ଧ ରହିଥିବା ବେଳେ ସବୁଜ ଅର୍ଥନୀତି ଆଡ଼କୁ ରୂପାନ୍ତରିତ ହେବା ଲାଗି ଗୁରୁତ୍ୱପୂର୍ଣ୍ଣ ଧାତବ ଉପରେ ଧ୍ୟାନ ଦେଉଛି ।
ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତ ଦୁତ ଅଭିବୃଦ୍ଧିଶୀଳ ବଡ଼ ଅର୍ଥନୀତି ଭାବେ ଉଭା ହେବ ବୋଲି ଆକଳନ କରାଯାଉଥିବା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଏହି ଘୋଷଣା କରାଯାଇଛି । ବେଦାନ୍ତର ୯୦ ପ୍ରତିଶତ ଲାଭ ଭାରତରୁ ହାସଲ ହେଉଛି । ଭାରତ ବିଶ୍ୱସ୍ତରୀୟ ଭିତିଭୂମି ନିର୍ମାଣ କରିବାକୁ ଯାଉଥିବାରୁ ସାମଗ୍ରୀ ଚାହିଦାରେ ବଡ଼ ଧରଣର ବୃଦ୍ଧି ଘଟିବ । ଭାରତ ସରକାର ଆତ୍ମନିର୍ଭରଶୀଳତା ଉପରେ ଜୋର ଦେଉଥିବାରୁ ଭାରତୀୟ କଂପାନିଗୁଡ଼ିକ ଦ୍ରୁତ ଅଭିବୃଦ୍ଧି ହାସଲ କରିପାରିବେ ।
ବେଦାନ୍ତ ପାଖରେ ବିଭିନ୍ନ ପ୍ରକାର କାରଖାନା ରହିଥିବା ବେଳେ ଧାତବ ଓ ଖଣିରେ ରହିଛି – ଜିଙ୍କ, ସିଲ୍‌ଭର, ଲିଡ, ଆଲୁମିନିୟମ, କ୍ରୋମିଅମ୍‌, କପର, ନିକେଲ, ତୈଳ ଓ ଗ୍ୟାସ୍ ଏବଂ ପାରମ୍ପରିକ ଖଣିଜରେ ରହିଛି ଲୁହାପଥର ଓ ଇସ୍ପାତ ଏବଂ ବିଦ୍ୟୁତ ଶକ୍ତି । ଏଥି ସହିତ ରହିଛି କୋଇଲା ଓ ଅକ୍ଷୟଶକ୍ତି । ବର୍ତମାନ ବେଦାନ୍ତ ସେମିକଣ୍ଡକ୍ଟର ଓ ଡିସ୍‌ପ୍ଲେ ଗ୍ଲାସ୍ ନିର୍ମାଣ କ୍ଷେତ୍ରରେ ପ୍ରବେଶ କରିଛି । ଥରେ କଂପାନିର ଡିମର୍ଜର ହେବା ପରେ ସ୍ୱାଧୀନ ସଂସ୍ଥାଗୁଡ଼ିକ ନିଜ ଦମ୍‌ରେ ଆଗକୁ ବଢ଼ିବା ଲାଗି ଅଧିକ ସ୍ୱାଧୀନତା ପାଇପାରିବେ । ସ୍ୱାଧୀନ କର୍ତୃପକ୍ଷ ଜରିଆରେ ପରିଚାଳିତ ହେବା ସହ ପାଣ୍ଠି ଆବଂଟନ କରିପାରିବେ ଓ ନିଜ ଲାଗି ଅଭିବୃଦ୍ଧି ରଣନୀତି ପ୍ରସ୍ତୁତ କରିପାରିବେ । ସେହି କଂପାନିଗୁଡ଼ିକରେ ପୁଞ୍ଜିନିବେଶ କରିବା ଲାଗି ଭାରତୀୟ ଓ ବିଦେଶୀ ନିବେଶକମାନେ ସୁଯୋଗ ପାଇପାରିବେ ।
କଂପାନି ପକ୍ଷରୁ ଏହାର ବ୍ୟବସାୟକୁ ମୁଖ୍ୟତଃ ଛଅଟି ଭାଗରେ ବିଭକ୍ତ କରାଯିବ । ତାହା ହେଉଛି ବେଦାନ୍ତ ଆଲୁମିନିୟମ, ବେଦାନ୍ତ ତୈଳ ଓ ଗ୍ୟାସ୍‌, ବେଦାନ୍ତ ପାୱାର, ବେଦାନ୍ତ ଷ୍ଟିଲ୍ ଆଣ୍ଡ୍ ଫେରସ୍ ମ୍ୟାଟେରିଆଲ୍‌, ବେଦାନ୍ତ ବେସ୍ ମେଟାଲ୍‌ସ ଓ ବେଦାନ୍ତ ଲିମିଟେଡ୍ । ଡିମର୍ଜର ଯୋଜନାରେ ବେଦାନ୍ତ ଲିମିଟେଡ୍‌ର ପ୍ରତି ସେୟାର ପିଛା ଅଂଶଧନକାରୀମାନେ ନୂତନ ଭାବେ ଗଠିତ ପାଂଚଟି କଂପାନିର ଗୋଟିଏ ଲେଖାଏଁ ସେୟାର ପାଇପାରିବେ । ସେହିପରି ବେଦାନ୍ତ ଲିମିଟେଡ୍‌ର ସହାୟକ କଂପାନି ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ୍ ପକ୍ଷରୁ ଏହାର କର୍ପୋରେଟ୍ ଢ଼ାଂଚାର ବ୍ୟାପକ ସମୀକ୍ଷା କରିବା ଲାଗି ଘୋଷଣା କରଯାଇଛି । ଜିଙ୍କ ଓ ଲିଡ୍‌, ସିଲ୍‌ଭର ଓ ରିସାଇକ୍ଲିଂ ବ୍ୟବସାୟ ପାଇଁଏହା ଅଲଗା ସଂସ୍ଥା ସୃଷ୍ଟି କରିବ ।
ଏହି ଅବସରରେ ବେଦାନ୍ତର ଅଧ୍ୟକ୍ଷ ଅନିଲ ଅଗ୍ରୱାଲ କହିଛନ୍ତି ଯେ, “ବେଦାନ୍ତ ଓ ଭାରତ ପାଇଁ ଏହା ଏକ ବଡ଼ ଘୋଷଣା । ଆମ ଦେଶ ଅତୁଳନୀୟ ଅଭିବୃଦ୍ଧି ପଥରେ ରହିଛି ଏବଂ ଚଳିତ ଦଶନ୍ଧି ଶେଷ ହେବାପୂର୍ବରୁ ଏହା ବିଶ୍ୱର ତୃତୀୟ ବଡ଼ ଅର୍ଥନୀତି ହୋଇଯିବ । ଖଣିଜ, ଧାତବ, ତୈଳ ଓ ଗ୍ୟାସ୍‌, ବିଦ୍ୟୁତ ଶକ୍ତିର ଚାହିଦା ଦ୍ରୁତ ଗତିରେ ବଢ଼ିବ ଏବଂ ଏହି ଚାହିଦାଗୁଡ଼ିକୁ ପୂରଣ କରିବା ଏବଂ ଆମଦାନି ଉପରୁ ନିର୍ଭରଶୀଳତା କମ୍ କରିବା ଲାଗି ବେଦାନ୍ତର ବ୍ୟବସାୟଗୁଡ଼ିକ ବହୁତ ଭଲ ସ୍ଥାନରେ ରହିଛନ୍ତି । ସେମିକଣ୍ଡକ୍ଟର ଓ ଡିସ୍‌ପ୍ଲେ ଗ୍ଲାସ୍ ଉତ୍ପାଦନ କ୍ଷେତ୍ରରେ ବେଦାନ୍ତ ପ୍ରବେଶ କରିଛି ଯାହା ଭାରତ ପାଇଁ ବେଶ ଗୁରୁତ୍ୱ ବହନ କରୁଛି ।
ବ୍ୟବସାୟକୁ ଅଲଗା କରିବା ସହ ଆମର ବିଶ୍ୱାସ ରହିଛି ଯେ ପ୍ରତି ସଂସ୍ଥା ଦ୍ରୁତ ଗତିରେ ଆଗକୁ ବଢ଼ିବାର ସମ୍ଭାବନା ସୃଷ୍ଟି ହେବ ଓ ସେଗୁଡ଼ିକର ଅନ୍ତର୍ନିହୀନ ମୂଲ୍ୟ ଆଗକୁ ଆସିବ । ସେଗୁଡ଼ିକ ସବୁ କିଛି ପ୍ରାକୃତିକ ସମ୍ବଳର ବୃହତ କ୍ଷେତ୍ର ଅଧୀନରେ ରହିବେ ଏବଂ ପ୍ରତିଟି ସଂସ୍ଥାର ନିଜସ୍ୱ ବଜାର, ଚାହିଦା, ଯୋଗାଣ ଧାରା ଏବଂ ଉତ୍ପାଦକତା ବଢ଼ାଇବା ଲାଗି ପ୍ରଯୁକ୍ତି ମୂତୟନ କରିବାର ସମ୍ଭାବନା ରହିବ ।
ବେଦାନ୍ତର ମୂଲ୍ୟବୋଧ ଅନୁସାରେ ପ୍ରତିଟି କଂପାନି ନିଜର ଶ୍ରମଶକ୍ତି, ଆମ ଗୋଷ୍ଠୀ ସମୁଦାୟ ଓ ଗ୍ରହର କଲ୍ୟାଣ ପାଇଁ ଦୃଢ଼ ପ୍ରତିବଦ୍ଧତା ବଜାୟ ରଖିବେ । ବ୍ୟବସାୟକୁ ଚଲାଇବା ଲାଗି ନୂଆ ପଥ ଆଡ଼କୁ ଆମେ ଅଗ୍ରସର ହେଉଥିବା ବେଳେ ଭଲ ପାଇଁ ରୂପାନ୍ତରୀତ ହେବାକୁ ଆମେ ତ୍ୱରାନ୍ୱିତ କରିବୁ ।”

Share

Leave a Reply

Your email address will not be published. Required fields are marked *

5 − three =