ଲୋକାର୍ପିତ ହେଲା ସମ୍ ଅଲ୍ଟିମେଟ୍ ମେଡିକେୟାର୍

ଭୁବନେଶ୍ୱର() ଆଜି ପୂର୍ବ ଭାରତର ଅନ୍ୟତମ ଅତ୍ୟାଧୁନିକ ସୁପର ସ୍ପେସାଲିଟି ଡାକ୍ତରଖାନା ସମ୍ ଅଲ୍ଟିମେଟ୍ ମେଡିକେୟାର୍ ‘ସମ୍ମମ୍’ଲୋକାର୍ପିତ ହୋଇଛି। ଦିନ ୧୧ଟା ୨୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ‘ସମ୍ମମ୍’ ଉଦ୍‌ଘାଟିତ ହେଇଛି । ଏହି ଅବସରରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର ଡଃ ମନୋଜ ରଞ୍ଜନ ନାୟକ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ସିଇଓ ଡ. ଶ୍ୱେତପଦ୍ମା ଦାସ ହସ୍ପିଟାଲ୍ ବାବଦରେ ତଥ୍ୟ ଉପସ୍ଥାପନ କରିଥିଲେ।

ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏବଂ ନୂତନ ଉଦ୍ୟୋଗ ପାଇଁ ଶିକ୍ଷା-ଅନୁସନ୍ଧାନ କୁ ନିଜର ଶୁଭେଚ୍ଛା ଜଣାଇଛନ୍ତି ଗୃହ ମନ୍ତ୍ରୀ ଅମିତ ଶାହା।

ସୋଆ ପକ୍ଷରୁ କୁହାଯାଇଛି ଯେ, ଦେଶବାସୀଙ୍କୁ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାର ଉଦ୍ଦେଶ୍ୟ ରଖି ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ମୂଳଦୁଆ ସ୍ଥାପନ କରାଯାଇଛି । ସେହିପରି ରୋଗୀଙ୍କ ଚିକିତ୍ସା ପାଇଁ ସର୍ବୋତ୍ତମ ବ୍ୟବସ୍ଥା ଓ ଜ୍ଞାନ କୌଶଳ ପର୍ୟ୍ୟବସିତ ଉଚ୍ଚମାନର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ହାତକୁ ନିଆଯାଇଛି । ରୋଗୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ମୂଳ ଲକ୍ଷ୍ୟ । ରୋଗୀମାନଙ୍କ ଚିକିତ୍ସା, ସେବା ଓ ଯତ୍ନ ନିମନ୍ତେ ସମସ୍ତ ଉଦ୍ୟମ ପ୍ରସ୍ତୁତ ହୋଇଛି । ୧୦ ଏକର ଜମିରେ ନିର୍ମିତ ଏହି ନୂତନ ହସ୍ପିଟାଲ୍ର ଉଦ୍ଦେଶ୍ୟ ହେଲା ଆନ୍ତର୍ଜାତିକ ସ୍ତରର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଚିକିତ୍ସାକୁ ବିଶ୍ୱସ୍ତରୀୟ ହସ୍ପିଟାଲ୍ ଭାବେ ପରିଗଣିତ କରିବା । ୯ ମହଲା ବିଶିଷ୍ଟ ଏହି ହସ୍ପିଟାଲ୍ ନେକ୍ସଟ ଜେନରେସନ୍ ଟ୍ରିଟ୍‌ମେଣ୍ଟ୍ ସହିତ ନୂତନ ଜ୍ଞାନକୌଶଳ ପଦ୍ଧତିରେ ରୋଗୀ ସେବା କରିବାର ଲକ୍ଷ୍ୟ ରଖିଛି ।

ପ୍ରତ୍ୟେକ ବିଭାଗରେ ବିଚକ୍ଷଣ ଏବଂ ଅନୁଭୂତି ସମ୍ପନ୍ନ ମେଡିକାଲ୍ କେୟାର ବିଶେଷଜ୍ଞଙ୍କୁ ଏହି ନୂତନ ହସପିଟାଲ୍ ‘ସମ୍ମମ୍’ରେ ସାମିଲ୍ କରାଯାଇଛି । ନୂତନ ଜ୍ଞାନ କୌଶଳ ସମ୍ପନ୍ନ ‘ସମ୍ମମ୍’ରେ ଏମର୍ଜେନ୍ସି କେୟାର, ହାର୍ଟ କେୟାର, ଆଡଭାନସ୍ ସର୍ଜିକାଲ ବ୍ୟବସ୍ଥା, ଡାଏଗ୍ନୋଷ୍ଟିକ୍ ଇମେଜିଂ, ମ୍ୟାଟରନିଟି କେୟାର୍ ଓ ରିହାବିଲିଟେସନ୍ ସର୍ଭିସେସ୍ ଭଳି କ୍ଷେତ୍ରରେ ଅଧିକ ଦୃଷ୍ଟି ଦିଆଯାଉଛି । ପ୍ରାୟ ୩୦ଟି ସ୍ପେସାଲିଟି କ୍ଷେତ୍ରରେ ଚିକିତ୍ସା ଯୋଗାଇ ଦିଆଯିବାର ଲକ୍ଷ୍ୟ ରହିଛି । ଏକ ୱାନ୍ ଷ୍ଟପ୍, ନେକ୍ସଟ ଜେନରେସନ୍, ମଲ୍ଟି ସୁପର ସ୍ପେଶାଲିଟି ଓ କ୍ୱାର୍ଟରନାରୀ କେୟାର ହସ୍ପିଟାଲ୍ ଭାବେ ପରିଗଣିତ ସମ୍ମମ୍ କାର୍ଡିଆକ୍ ସାଇନ୍‌ସେସ୍, ନ୍ୟୁରୋ ସାଇନ୍ସେସ୍, କ୍ରିଟିକାଲ୍ କେୟାର, ପଲ୍‌ମୋନୋଲୋଜି, ଗ୍ୟାଷ୍ଟ୍ରୋ ସାଇନ୍‌ସେସ୍, ଜଏଂଟ ରିପ୍ଲେସ୍‌ମେଂଟ ଏବଂ ଅର୍ଥୋପେଡିକ୍ସ, ରେନାଲ୍ ସାଇନ୍ସେସ୍ ଏବଂ ଅଙ୍କୋ ସାଇନ୍ସେସ୍ ଭଳି ଚିକିତ୍ସା କ୍ଷେତ୍ରରେ “ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ’ ସ୍ଥାପନ କରିବାର ଯୋଜନା ରହିଛି ।

ହସ୍ପିଟାଲ୍‌ରେ ୧୪ଟି ମୋଡୁଲାର ଓଟି ସହିତ ଟ୍ରମା ଆଇସିୟୁ ତଥା ଆନ୍ତର୍ଜାତିକ ଜ୍ଞାନ କୌଶଳ ପର୍ୟ୍ୟବେସିତ ପେଟ୍ ସିଟି ସ୍କାନ୍, ଥ୍ରୀ ଟେଲ୍ସା ଏମ୍‌ଆର୍ଆଇ ଏବଂ ଏଚ୍‌ଡିଆର୍ ବ୍ରାଭୋସ୍ ବ୍ରାକିଥେରାପି ଭଳି ଅତ୍ୟାଧୁନିକ କ୍ୟାନ୍ସର ଚିକିତ୍ସା ପଦ୍ଧତିର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାର୍ର ସିଇଓ ଡ. ଦାସ । “ସମ୍ମମ୍’ ଏଭଳି ଏକ ପ୍ଲାଟଫର୍ମ ହେବ ଯେଉଁଠାରେ କି ଆମେ ସମାଜର ସମସ୍ତ ବର୍ଗଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇପାରିବୁ । ସ୍ୱାସ୍ଥ୍ୟସେବା କ୍ଷେତ୍ର ଏବଂ ଲୋକଙ୍କ ମନରେ ‘ସମ୍ମମ’କୁ ନେଇ ଏକ ଆଶା ରହିଛି । ଏହି ଆଶା ଓ ଶକ୍ତିକୁ ପାଥେୟ କରି ଆମେ ରୋଗୀଙ୍କୁ ଉତ୍ତମଧରଣର ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଉଦ୍ୟମ କରିବୁ ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × two =