ଚାଷୀଙ୍କ ଆତ୍ମବିଶ୍ବାସ ବଢାଇଲେ ନବୀନ

ଭୁବନେଶ୍ବର (ନିପ୍ର): ଆସନ୍ତା ସାଧାରଣ ନିର୍ବାଚନକୁ ଚାଷୀ ଓ ଚାଷ ପ୍ରସଙ୍ଗ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ ହେବାକୁ ଯାଉଛି । ମହାନଦୀର ଉପରମୁଣ୍ଡରେ ଛତିଶଗଡ ସରକାର ଏକାଧିକ ଡ୍ୟାମ ଓ ବ୍ୟାରେଜ ପ୍ରକଳ୍ପ ନିର୍ମାଣ କରିବା ଯୋଗୁ ଓଡ଼ିଶାର ହୀରାକୁଦ ତଳମୁଣ୍ଡରେ ଥିବା ୧୫ଟି ଜିଲ୍ଲା ପ୍ରଭାବିତ ହେଉଛି । ଏହିସବୁ ଜିଲ୍ଲାରେ ଚାଷୀମାନେ ହିଁ ସର୍ବାଧିକ କ୍ଷତିଗ୍ରସ୍ଥ ହେବେ । ମହାନଦୀ ତଳମୁଣ୍ଡରେ ରହିଥିବା ଜିଲ୍ଲାଗୁଡିକର ଚାଷୀ ଚାଷ ପାଇଁ ମହାନଦୀ ପାଣି ଉପରେ ହିଁ ନିର୍ଭର କରିଥାନ୍ତି । ଏଥିସହିତ ଧାନର ଏମ୍ଏସ୍ପି ବୃଦ୍ଧି ପ୍ରସଙ୍ଗ ମଧ୍ୟ ଯୋଡି ହୋଇଛି ।

ଦୁଇଟିଯାକ ପ୍ରସଙ୍ଗ ଚାଷୀକୂଳକୁ ପ୍ରଭାବିତ କରୁଛି । ରାଜ୍ୟଠାରୁ ଜାତୀୟସ୍ତର ପର୍ଯ୍ୟନ୍ତ ସବୁଠି ଚାଷୀମାନେ ହିଁ ହେଉଛନ୍ତି ସବୁଠାରୁ ବଡ ଭୋଟବ୍ୟାଙ୍କ । କାରଣ ଓଡ଼ିଶା ହେଉ କି ଭାରତ ପାଖାପାଖି ୭୦ପ୍ରତିଶତ ଭୋଟର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଚାଷ ଉପରେ ନିର୍ଭର କରିଥାନ୍ତି । ସେହି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଲୋଭନୀୟ ଯୋଜନା ଘୋଷଣା କରୁଛନ୍ତି । ଏହିସବୁ ଯୋଜନାର ସୁଫଳ ଲୋକଙ୍କ ପାଖରେ କେତେ ପହଞ୍ଚୁଛି ତାହା ନିଶ୍ଚିତଭାବେ ବିତର୍କର ବିଷୟ । କିନ୍ତୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଚାଷୀଙ୍କ ଦୁଃଖ ଓ ସମସ୍ୟା କିଏ ଶୁଣୁଛି ଓ ସମାଧାନ ପାଇଁ ଚେଷ୍ଟା କରୁଛି । କେନ୍ଦ୍ର ସରକାର ଯାହା ଘୋଷଣା କରୁଛନ୍ତି ତାହା ଘୋଷଣା ସର୍ବସ୍ବ ହୋଇ ରହିଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସିଧାସଳଖ ଭାବେ ଚାଷୀଙ୍କ ସହ ସମ୍ପର୍କ ଯୋଡିଛନ୍ତି । ଗତକାଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟରେ ଚାଷୀ ସଚେତନତା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ବିଭିନ୍ନ ବ୍ଲକର ଚାଷୀଙ୍କୁ ଭେଟିବା ଆରମ୍ଭ କରିଛନ୍ତି ।

ଆଜି ଆନନ୍ଦପୁର ବ୍ଲକର ଚାଷୀମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସଠାରେ ଭେଟିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସେମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ସେମାନଙ୍କ ଅଂଚଳର ଚାଷବାସ ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ବିଭିନ୍ନ ଯୋଜନାରେ ସଫଳ ବିନିଯୋଗ କରିବାପାଇଁ ପରାମର୍ଶ ଦେଇଥିଲେ । ଆନନ୍ଦପୁରର ୫୧ ଜଣ ଚାଷୀ ଭାଗ ନେଇଥିଲେ ଏବଂ ଏଥିରେ ୧୧ ଜଣ ମହିଳା ଚାଷୀ ମଧ୍ୟ ଅଛନ୍ତି । ସେମାନେ ଉଦ୍ୟାନ କୃଷି, ମତ୍ସ୍ୟ ଚାଷ  ଓ ଅନ୍ୟାନ୍ୟ ଆଧୁନିକ କୃଷି ପ୍ରଣାଳୀ ସମ୍ପର୍କିତ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ପ୍ରଶିକ୍ଷଣ ପାଇଛନ୍ତି ।

ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଆଉଏକ ରାଜନୈତିକ ଚାଲ୍ ବୋଲି ଅଭିଯୋଗ କରିଛନ୍ତି । ନିର୍ବାଚନ ଦୃଷ୍ଟିକୋଣରୁ ବିରୋଧୀଙ୍କ ଅଭିଯୋଗରେ ସତ୍ୟତା ଥାଇପାରେ, ଏଥିରେ ସନ୍ଦେହ ନାହିଁ । କିନ୍ତୁ ସରକାରୀ ସ୍ତରରେ ଜଣେ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ସିଧାସଳଖ ଭେଟି ସେମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ଯୋଜନା ସମ୍ପର୍କରେ ଆଲୋଚନା କରିବା ଏବଂ ଲାଭଦାୟକ ଫସଲ ଉତ୍ପାଦନ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଅଫିସରମାନେ ଚାଷୀଙ୍କୁ ପ୍ରଶିକ୍ଷଣ ଦେବା ଘଟଣା ଓଡ଼ିଶା ଇତିହାସରେ ପ୍ରଥମ । ଏହାଦ୍ବାରା କେବଳ ଯେ ଚାଷୀମାନେ ନୂଆ ଚାଷ ପ୍ରଣାଳୀ ସମ୍ପର୍କରେ ସଚେତନ ହେଉଛନ୍ତି ତାହା ନୁହେଁ । ସରକାର ଓ ପ୍ରଶାସନ ସେମାନଙ୍କ ସହ ଅଛନ୍ତି ଓ ସେମାନଙ୍କୁ ଶୁଣୁଛନ୍ତି, ଏଭଳି ଏକ ଆତ୍ମବିଶ୍ବାସ ସେମାନଙ୍କୁ ଆଗାମୀ ଦିନରେ ମହାନଦୀ ପାଣିସଂକଟ ହେଉ କି ଏମ୍ଏସ୍ପି ବୃଦ୍ଧି ନେଇ କେନ୍ଦ୍ରର ଟାଳଟୁଳ ନୀତି ବିରୁଦ୍ଧରେ ଲଢେଇ କରିବାକୁ ମାନସିକ ଶକ୍ତି ଯୋଗାଉଛି ।

Share

Leave a Reply

Your email address will not be published. Required fields are marked *

three × 4 =