କିଏ କହୁଛି ସତ ? ମୋଦି ନା ଶାହା ?

ଓଡ଼ିଶାର ଏବେ ଆଞ୍ଚଳିକ ପ୍ରଶ୍ନ ‘ଉଜ୍ଜ୍ୱଳା’ ଯୋଜନାର ସତ କ’ଣ? ମହିଳାଙ୍କ ପାଇଁ ମୋଦି ସରକାରଙ୍କ ସବୁଠାରୁ ବଡ଼ ଯୋଜନା ଉଜ୍ଜ୍ୱଳାରେ ରାଜ୍ୟର କେତେ ମହିଳାଙ୍କୁ ମାଗଣାରେ ଗ୍ୟାସ୍ ମିଳିଛି ସେ ଅଙ୍କକୁ ନେଇ ଦ୍ୱନ୍ଦ ବଢ଼ିବାରେ ଲାଗିଛି । କାରଣ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ‘ଉଜ୍ଜ୍ୱଳା’ ଗଣିତ ଏବେ ରାଜ୍ୟ ରାଜନୀତି ଓ ରାଜ୍ୟବାସୀଙ୍କ ମଧ୍ୟରେ ତୁମ୍ଭି ତୋଫାନ ସୃଷ୍ଟି କରିଛି ।

ଘଟଣାଟି ଏପରି କି, ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗଜପତି ଗସ୍ତରେ ଆସି ଉଜ୍ଜ୍ୱଳା ହିସାବ ଦେଇ କହିଥିଲେ “ଏହି ଯୋଜନା ଆରମ୍ଭ ହେବାଠାରୁ ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ୪୮ ଲକ୍ଷ ମହିଳାଙ୍କୁ ମାଗଣା ଏଲପିଜି ଗ୍ୟାସ କନେକସନ୍ ଦିଆଯାଇଛି । ଆଉ ଏହାକୁ ସଫଳ କରିଛନ୍ତି ମୋଦି ସରକାର । ” ସେପଟେ ଏହାର ଠିକ୍ ୨୪ ଘଣ୍ଟା ପରେ ଖୋଦ୍ ପ୍ରଧାନମନ୍ତ୍ରୀ ମୋଦି କଳାହାଣ୍ଡି ଗସ୍ତରେ ଆସି ଦମ୍ଭୋକ୍ତି ବାଢ଼ି କହିଛନ୍ତି ଯେ, “ଓଡ଼ିଶାରେ ୪୦ ଲକ୍ଷ ମା’ ମାନଙ୍କୁ ଉଜ୍ଜ୍ୱଳା ବିଜେପି ସରକାର ଦେଇଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ସରକାରୀ ଦସ୍ତାବିଜ୍ ତଥ୍ୟ ମୁତାବକ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଗତକାଲି ସୁଦ୍ଧା ମୋଟ୍ ୪୨ ଲକ୍ଷ ୨୬ ହଜାର ୨୫୨ ଜଣ ମହିଳାଙ୍କୁ ମାଗଣା ଗ୍ୟାସ୍ ଚୁଲା ପ୍ରଦାନ କରାଯାଇଛି । ହେଲେ ଶାହା ଓ ମୋଦିଙ୍କ ଅଙ୍କକୁ ନେଇ ଏବେ ଆରମ୍ଭ ହୋଇଛି ତର୍କ ବିତର୍କ । ଆଉ ସତ କହୁଛି କିଏ? ପ୍ରଧାନମନ୍ତ୍ରୀ ମୋଦି ନା ବିଜେପି ଚାଣକ୍ୟ ଅମିତ ଶାହା ? କାହାର ‘ଉଜ୍ଜ୍ୱଳା’ ତଥ୍ୟ ଠିକ୍ ତାହାକୁ ନେଇ ରାଜ୍ୟବାସୀଙ୍କ ମନରେ ଦ୍ୱନ୍ଦ ବଢ଼ିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

3 × two =