66 ପୌର ପରିଷଦରେ ପ୍ରଶାସକ ନିଯୁକ୍ତ

ଭୁବନେଶ୍ୱର () ରାଜ୍ୟର ଗୋଟିଏ ମହାନଗର ନିଗମ ସମେତ ୬୬ଟି ପୌର ପରିଷଦର କାର୍ଯ୍ୟକାଳ ଆଜି ଶେଷ ହୋଇଥିବାରୁ ଏହିସବୁ ପୌର ପରିଷଦର ପରିଚାଳନା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରଶାସକ ନିଯୁକ୍ତି ଦେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମର ପ୍ରଶାସକ ଭାବେ ଜିଲ୍ଲାପାଳଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିଭଳି ଅନ୍ୟ ପୌର ପରିଷଦ ପାଇଁ ମଧ୍ୟ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ, ଉପଜିଲ୍ଲାପାଳ କିମ୍ବା ଏଡିଏମଙ୍କୁ ପ୍ରଶାସକ ଭାବେ ନିଯୁକ୍ତି ଦିଆଯାଇଛି । ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଆଜି ବ୍ରହ୍ମପୁର ମହାନଗର ନିଗମ ସମେତ ୬୬ଟି ପୌର ପାଳିକାର କାର୍ଯ୍ୟକାଳ ଶେଷ ହୋଇଛି ।  ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏହିସବୁ ପୌର ପାଳିକା ନିର୍ବାଚନ ଆଜି ସୁଦ୍ଧା ଶେଷ ହୋଇ ନୂଆ ପରିଷଦ ଗଠନ ହେବା କଥା । ପରିଷଦର କାର୍ଯ୍ୟକାଳ ସରିଯାଇଥିବାରୁ ରାଜ୍ୟ ନିର୍ବାଚନ କମିଶନ ପରବର୍ତ୍ତି ପଦକ୍ଷେପ ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଚିଠି ଲେଖିଥିଲେ ।
ନିର୍ବାଚନ ପାଇଁ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ଚୂଡାନ୍ତ ହେବା ଆବଶ୍ୟକ । କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ କମିଶନଙ୍କୁ ସୀମା ପୁନଃର୍ନିଦ୍ଧାରଣ ଏବଂ ସଂରକ୍ଷଣ ସଂପର୍କିତ ତାଲିକା ପ୍ରଦାନ କରିନାହାଁନ୍ତି । ଯେଉଁଥିପାଇଁ ପୌର ପରିଷଦର କାର୍ଯ୍ୟକାଳ ଆଜି ସରିଯାଉଥିଲେ ବି ନିର୍ବାଚନ ହୋଇପାରିଲା ନାହିଁ । ଏବେ ମଧ୍ୟ ନିର୍ବାଚନ କମିଶନ ଆଉ ନିର୍ବାଚନ କରିବା ସ୍ଥିତିରେ ନାହାଁନ୍ତି । ସଂରକ୍ଷଣକୁ ନେଇ ରାଜ୍ୟ ସରକାର ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପୌର ନିର୍ବାଚନ ପାଇଁ ରାଜ୍ୟ ସରକାର ୬୦ ପ୍ରତିଶତ ସଂରକ୍ଷଣ ରଖିଥିଲେ । କିନ୍ତୁ ହାଇକୋର୍ଟ ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୋଧରେ ସରକାର ସୁପ୍ରିମକୋର୍ଟକୁ ଯାଇଥିଲେ । ଗତକାଲି ସୁପ୍ରିମ କୋର୍ଟ ତାଙ୍କ ରାୟରେ ସଂରକ୍ଷଣକୁ ୫୦ ପ୍ରତିଶତ ମଧ୍ୟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଏବେ ରାଜ୍ୟ ସରକାର କାର୍ଯ୍ୟକାଳ ସରିଥିବା ଏହି ୬୬ଟି ପୌର ପରିଷଦର ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ରାଜ୍ୟ ନିର୍ବାଚନ କମିଶନ ଗୃହ ଓ ନଗର ଉନ୍ନୟନ ବିଭାଗର କମିଶନରଙ୍କୁ ଚିଠି ଲେଖିଥିଲେ । ପରବର୍ତ୍ତି ପର୍ଯ୍ୟାୟରେ ନିର୍ବାଚନ ପାଇଁ କମିଶନଙ୍କୁ ସୀମା ପୁନଃନିର୍ଦ୍ଧାରଣ ଓ ସଂରକ୍ଷଣ ତାଲିକା ମିଳିବା ପରେ ଅନ୍ୟୁନ ଚାରି ମାସ ଆବଶ୍ୟକ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ସ୍ୱତନ୍ତ୍ର ସଚିବ କହିଛନ୍ତି ।
ଅନୁଗୁଳ ଜିଲ୍ଲାର ୩ଟି, ବାଲେଶ୍ୱରର ୪ଟି, ଭଦ୍ରକର ୨ଟି, ବୌଦ୍ଧର ଗୋଟିଏ, କଟକର ତିନୋଟି, ଢେଙ୍କାନାଳର ତିନୋଟି, ଗଜପତିର ଦୁଇଟି, ଗଂଜାମର ବ୍ରହ୍ମପୁର ମହାନଗର ନିଗମ ସମେତ ୧୮ଟି, ଜଗତସିଂହପୁରର ଗୋଟିଏ, ଯାଜପୁରର ୨ଟି, କେନ୍ଦ୍ରାପଡାର ଗୋଟିଏ, କେନ୍ଦୁଝରର ୪ଟି, ଖୋର୍ଦ୍ଧାର ୪ଟି, କୋରାପୁଟର ୩ଟି, ମାଲକାନଗିରିର ଗୋଟିଏ, ମୟୁରଭଂଜର ୩ଟି, ନବରଙ୍ଗପୁରର ୨ଟି, ପୁରୀର ଦୁଇ, ନୟାଗଡର ୪ଟି ଓ ରାୟଗଡାର ୩ଟି ପୌର ପରିଷଦର କାର୍ଯ୍ୟକାଳ ଅ ।ଜି ଶେଷ ହୋଇଛି ।
Share

Leave a Reply

Your email address will not be published. Required fields are marked *

3 × 4 =