ନବୀନଙ୍କ ନୂଆ ଟିମରେ 20 ମନ୍ତ୍ରୀ, 10 ନୂଆ ମୁହଁ

ଭୁବନେଶ୍ୱର (): ପଞ୍ଚମ ଟର୍ମରେ ନବୀନ ପଟ୍ଟନାୟକ ଆସନ୍ତାକାଲି  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ତାଙ୍କ ସହ ୨୦ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେବେ । ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳର ଶପଥଗ୍ରହଣ ଉତ୍ସବ ରାଜଭବନ ବାହାରେ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବିରାଟ ଆୟୋଜନ କରାଯାଇଛି ।

ଏହି ଟର୍ମରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ କେଉଁମାନେ ସାମିଲ ହେବେ ତାକୁ ନେଇ ଗତ ସପ୍ତାହେ ଧରି ଚାଲିଥିବା କଳ୍ପନାଜଳ୍ପନାର ଅବସାନ ପଡିଛି । ମନ୍ତ୍ରୀମଣ୍ଡଳରେ ୧୧ ଜଣ କ୍ୟାବିନେଟ୍ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି । ଅନୁଭବୀ, ଅଭିଜ୍ଞ ଓ ନୂଆ ଚେହେରାଙ୍କୁ ନେଇ ମନ୍ତ୍ରିମଣ୍ଡଳ ଗଠନ କରାଯାଇଛି । ମନ୍ତ୍ରିମଣ୍ଡଳରେ 10 ଜଣ ନୂଆ ମୁହଁ ସାମିଲ ହୋଇଥିଲା ବେଳେ ତିନିଜଣ ପ୍ରଥମ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ମନ୍ତ୍ରୀ ପଦ ପାଇଛନ୍ତି ।

ନବୀନଙ୍କ ଏହି ଟିମକୁ ପୁଣି ଥରେ ଫେରିଛନ୍ତି ବରିଷ୍ଠ ନେତା ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା । କ୍ୟାବିନେଟ୍ ମନ୍ତ୍ରୀ ଭାବେ ଏହି ଦୁଇ ନେତା ଆସନ୍ତାକାଲି ଶପଥ ନେବେ । ତାଙ୍କ ସହ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ କୁମାର ମଲ୍ଲିକ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ମାହାଙ୍ଗା ବିଧାୟକ ପ୍ରତାପ ଜେନା, ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ଭଟଲି ବିଧାୟକ ସୁଶାନ୍ତ ସିଂ, ଝାରସୁଗୁଡା ବିଧାୟକ ନବକିଶୋର ଦାସ ଓ ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେବେ ।

ସେହିଭଳି ଏକାମ୍ର-ଭୁବନେଶ୍ୱର ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା, ନିମାପଡା ବିଧାୟକ ସମୀର ରଞ୍ଜନ ଦାସ, ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ, ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ, କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ୍, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା ଓ ବିଷମକଟକ ବିଧାୟକ ଜଗନ୍ନାଥ ସାରକା ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେବେ ।

ନବୀନଙ୍କ ଏହି ଟିମ୍ରେ ଏଥର ୨ଜଣ ମହିଳା ମନ୍ତ୍ରୀ ରହିବେ । ଗତଥର ମନ୍ତ୍ରିମଣ୍ଡଳରେ ଥିବା ପ୍ରଫୁଲ୍ଲ ମଲ୍ଲିକ, ଅଶୋକ ପଣ୍ଡା, ପ୍ରତାପ ଜେନା, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂଙ୍କୁ ଆଉ ଥରେ  ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି । ୨୦୧୭ ପଞ୍ଚାୟତ ନିର୍ବାଚନ ପରେ ମନ୍ତ୍ରୀ ପଦ ଛାଡି ସାଙ୍ଗଠନିକ ଦାୟିତ୍ୱ ନେଇଥିବା ଅରୁଣ କୁମାର ସାହୁ ଓ ସୁଦାମ ମାରାଣ୍ଡି ପୁଣି ଥରେ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି । ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନଙ୍କ ୧୯ ବର୍ଷର ମୁଖ୍ୟମନ୍ତ୍ରୀତ୍ୱରେ ୪ ବର୍ଷ ମନ୍ତ୍ରୀ ରହିଥିଲେ । ୨୦୦୦-୦୪ ପରେ ସେ ଆଉ ମନ୍ତ୍ରିମଣ୍ଡଳକୁ ଫେରିନଥିଲେ । ସେହିଭଳି ପଦ୍ମନାଭ ବେହେରା କିଛି ସମୟ ପାଇଁ ଇସ୍ପାତ୍ ଓ ଖଣି, ସଂସଦୀୟ ବ୍ୟାପାର, ଅନୁସୂଚିତ ଜାତି, ଜନଜାତି କଲ୍ୟାଣ, ଅବକାରୀ ବିଭାଗର ମନ୍ତ୍ରୀ ରହିଥିଲେ । ୨୦୦୭ ପରେ ସେ ପୁଣି ଥରେ ମନ୍ତ୍ରିମଣ୍ଡଳକୁ ଫେରିଛନ୍ତି ।

ନବୀନଙ୍କ ଏହି ଟିମରେ ଗଞ୍ଜାମ ଜିଲ୍ଲାର ବରିଷ୍ଠ ନେତା ସୂର୍ଯ୍ୟନାରାୟଣ ପାତ୍ର ସାମିଲ ହୋଇନଥିଲେ ବି ତାଙ୍କୁ ବାଚସ୍ପତି ପଦରେ ଅଧିଷ୍ଠିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇଛି । ସେ ନବୀନଙ୍କ ପୂର୍ବ ଚାରୋଟି ମନ୍ତ୍ରିମଣ୍ଡଳରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିଭଳି ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ସରକାରୀ ମୁଖ୍ୟ ସଚେତକ ଦାୟିତ୍ୱ ତୁଲାଇବେ । ନବୀନଙ୍କ ୧୯ ବର୍ଷର ମୁଖ୍ୟମନ୍ତ୍ରୀତ୍ୱ କାଳରେ ପ୍ରଥମ ଥର ପାଇଁ ଜଣେ ମହିଳା  ଏଭଳି ଏକ ଗୁରୁଦାୟିତ୍ୱ ବହନ କରିବାକୁ ଯାଉଛନ୍ତି ।

ତେବେ ଏଥର କେନ୍ଦ୍ରାପଡା, ଭଦ୍ରକ, ମାଲକାନଗିରି, ନବରଙ୍ଗପୁର, ବୌଦ, ନୂଆପଡ଼ା, ଅନୁଗୁଳ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଗଜପତି, ଯାଜପୁର ଓ କନ୍ଧମାଳ ଜିଲ୍ଲାରୁ କେହି ଜଣେ ହେଲେ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ କରୁନାହାଁନ୍ତି । ତେବେ ଯାଜପୁର ଜିଲ୍ଲାରୁ ପ୍ରମିଳା ମଲ୍ଲିକଙ୍କୁ ସରକାରୀ ମୁଖ୍ୟ ସଚେତକ ଭାବେ କ୍ୟାବିନେଟ୍ ପାହ୍ୟା ଦିଆଯାଇଛି । ଏହି ଜିଲ୍ଲାରୁ ପ୍ରଣବ ପ୍ରକାଶ ଦାଶ ପୁଣି ଥରେ ମନ୍ତ୍ରିମଣ୍ଡଳକୁ ଫେରିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ସେ ଦଳୀୟ ସଂଗଠନ ପାଇଁ ମନ୍ତ୍ରୀ ହେବାକୁ ଅନିଚ୍ଛା ପ୍ରକାଶ କରିଥିବା ଶୁଣିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

nine + 9 =