ଶିକ୍ଷାର ମାନ : ନୀତି ଆୟୋଗ ରିପୋର୍ଟରେ ଓଡିଶାରେ 12.4% ଉନ୍ନତି

ଭୁବନେଶ୍ବର () ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଆଖିଦୃଶିଆ ଉନ୍ନତି ଘଟିଛି । ନୀତି ଆୟୋଗଙ୍କ ବିଦ୍ୟାଳୟ ଶିକ୍ଷା ମାନ ସୂଚଙ୍କାକରେ 2015-16ରେ ଓଡିଶା 13 ନମ୍ବର ସ୍ଥାନରେ ଥିବା ବେଳେ 2016-17ରେ 7 ନମ୍ବର ସ୍ଥାନକୁ ଉନ୍ନିତ ହୋଇଛି ।

ଓଡିଶା ସହ ହରିଆନା, ଆସାମ, ଉତ୍ତର ପ୍ରଦେଶ ଓ ଗୁଜୁରାଟରେ 2015-16ରୁ 2016-17 ମଧ୍ୟରେ ଶିକ୍ଷାଦାନର ମାନରେ ସର୍ବାଧିକ ବୃଦ୍ଧି ହୋଇଛି । ଶିକ୍ଷାର ମାନ ବୃଦ୍ଧି ହାରରେ ଓଡିଶା ଚତୁର୍ଥ ରାଜ୍ୟର ମାନ୍ୟତା ପାଇଛି । ସାମଗ୍ରୀକ ମାନ ବୃଦ୍ଧି 2015-15ରେ 47.8 ପ୍ରତିଶତରୁ 2016-17ରେ 60.2 ପ୍ରତିଶତକୁ ଅର୍ଥାତ 12.4 ପ୍ରତିଶତ ଅଭିବୃଦ୍ଧି ହୋଇଛି ।

ନୀତି ଆୟୋଗଙ୍କ ପକ୍ଷରୁ ଆଜି ବିଦ୍ୟାଳୟ ଶିକ୍ଷା ମାନକ ପ୍ରକାଶ ପାଇଛି । ସ୍କୁଲ ସ୍ତରରେ ଶିକ୍ଷାର ମାନକୁ ଯାଞ୍ଚ କରିବାକୁ ନୀତି ଆୟୋଗ ଏହି ସର୍ଭେକ୍ଷଣ କରିଥାନ୍ତି । ଏହି ରିପୋର୍ଟ ଅନୁଯାୟୀ ଶିକ୍ଷାର ମାନରେ କେରଳ ଏକ ନମ୍ବର ସ୍ଥାନରେ ରହିଛି । ଅନ୍ୟ ରାଜ୍ୟଗୁଡିକ ଶିକ୍ଷାର ମାନ ବୃଦ୍ଧି ସମ୍ପର୍କିତ ବିଭିନ୍ନ ମାନଦଣ୍ଡରେ ସକରାତ୍ମକ ଅଗ୍ରଗତି କରିଛନ୍ତି, ଯାହାକି ସେମାନଙ୍କ ପ୍ରଦର୍ଶନକୁ ସଂକେତ କରୁଛି ।

ଏହି ମାନକ ଜରିଆରେ ନୀତି ଆୟୋଗ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଶିକ୍ଷାର ମାନକୁ ପରଖିବା ସହ ଶିକ୍ଷାର ବିକାଶରେ ରହିଥିବା ଚ୍ୟାଲେଂଜଗୁଡିକୁ ଚିହ୍ନଟ କରି ଏହାର ସମାଧାନ ପାଇଁ ସୂତ୍ର ବାହାର କରିଥାନ୍ତି । ଏହି ମାନଦଣ୍ଡରେ ନୀତି ଆୟୋଗ ରାଜ୍ୟମାନଙ୍କୁ ତିନି ଭାଗରେ ବିଭକ୍ତ କରିଛନ୍ତି – ବଡ ରାଜ୍ୟ, କ୍ଷୁଦ୍ର ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଂଚଳ । ତଦନୁଯାୟୀ 20ଟି ବଡ ରାଜ୍ୟ ମଧ୍ୟରୁ 18ଟି ରାଜ୍ୟରେ ଶିକ୍ଷା ଦାନର ମାନରେ ବୃଦ୍ଧି ହୋଇଛି । ଏବଂ ବଡ ରାଜ୍ୟମାନଙ୍କ ମଧ୍ୟରେ କେରଳର ପ୍ରଦର୍ଶନ ସବୁଠୁ ଆଗରେ ରହିଛି ।

ଅନ୍ୟ ବଡ ରାଜ୍ୟମାନଙ୍କ ମଧ୍ୟରେ ହରିଆନା, ଆସାମ, ଉତ୍ତର ପ୍ରଦେଶ, ଓଡିଶା ଓ ଗୁଜୁରାଟରେ ଯଥାକ୍ରମେ 18.5, 16.8, 13.7, 12.4 ଓ 10.6 ପ୍ରତିଶତ ଅଭିବୃଦ୍ଧି ହୋଇଛି । ସେପଟେ କର୍ଣ୍ଣାଟକ ଓ ଉତ୍ତରାଖଣ୍ଡର ପ୍ରଦର୍ଶନ ହ୍ରାସ ପାଇଛି । ଛୋଟ ରାଜ୍ୟମାନଙ୍କ ମଧ୍ୟରେ ତ୍ରିପୁରା, ଗୋଆ, ମଣିପୁର, ମେଘାଳୟ ଓ ନାଗାଲାଣ୍ଡର ପ୍ରଦର୍ଶନ ଭଲ ରହିଥିବା ବେଳେ ମିଜୋରାମ, ସିକିମ ଓ ଅରୁଣାଚଳ ପ୍ରଦେଶ ଶିକ୍ଷା ଦାନ ମାନରେ ନକରାତ୍ମକ ପ୍ରଦର୍ଶନ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 4 =