ବଢିବ ବାୟୁସେନାର ଶକ୍ତି

ବଢିବ ବାୟୁସେନାର ଶକ୍ତି । ଭାରତୀୟ ବାୟୁସେନା ପାଇଁ ୩ ହଜାର କୋଟି ଟଙ୍କା ମୂଲ୍ୟର ଅସ୍ତ୍ର ମାକ୍-୧ କ୍ଷେପଣାସ୍ତ୍ର ପ୍ରଣାଳୀ କିଣିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାରତ ଡାଇନାମିକ୍ସ ସହ ଚୁକ୍ତି କରିଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ର ଏକ ବିୟୋଣ୍ଡ ଭିଜୁଆଲ ରେଞ୍ଜ କ୍ଷେପଣାସ୍ତ୍ର ଯାହାକୁ ଆକାଶମାର୍ଗରୁ ନିକ୍ଷେପ କରିହେବ । ଏହି କ୍ଷେପଣାସ୍ତ୍ରର ଜ୍ଞାନକୌଶଳକୁ ଭାରତୀୟ ପ୍ରତିରକ୍ଷା ଗବେଷଣା ସଂଗଠନ (ଡିଆରଡିଓ) ପକ୍ଷରୁ ବିକଶିତ କରାଯାଇଛି । ଆକାଶ ମାର୍ଗରେ ଶତ୍ରୁର ବିମାନର ମୁକାବିଲା କରିବାକୁ ଭାରତୀୟ ବାୟୁସେନା ପୂର୍ବରୁ ବିଦେଶରୁ ଆସୁଥିବା ବିୟୋଣ୍ଡ ଭିଜୁଆଲ ରେଞ୍ଜ କ୍ଷେପଣାସ୍ତ୍ର ଉପରେ ନିର୍ଭର କରୁଥିଲା । ବାୟୁସେନାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡିଆରଡିଓ ଏହି କ୍ଷେପଣାସ୍ତ୍ରର ବିକାଶ କରିଛି ।
ଡିଆରଡିଓର ଟେକନଲୋଜୀକୁ ବ୍ୟବହାର କରି ଭାରତ ଡାଇନାମିକ୍ସ ଏହି କ୍ଷେପଣାସ୍ତ୍ରର ଉତ୍ପାଦନ କରୁଛି । ଏହି କ୍ଷେପଣାସ୍ତ୍ର ସୁଖୋଇ, ମିଗ-୨୯, ମିରେଜ-୨୦୦୦, ତେଜସ ଆଦି ଲଢୁଆ ବିମାନ ସହ ସଂଯୁକ୍ତ କରିହେବ । ଏହା ଦ୍ରୁତ ଗତିରେ ଯାଉଥିବା ଶତ୍ରୁପକ୍ଷର ସୁପରସୋନିକ ଲଢୁଆ ବିମାନକୁ ଧ୍ବଂସ କରିପାରିବ । ଏହା ଉଭୟ ଦିନ ଓ ରାତିରେ କାମ କରିପାରିବ । ଏହାର ରେଞ୍ଜ ହେଉଛି ୧୦୦ କିଲୋମିଟର ଓ ଏହା ଅତ୍ୟାଧୁନିକ ନାଭିଗେସନ ଓ ଗାଇଡାନ୍ସ ବ୍ୟବସ୍ଥାରେ ସଜ୍ଜିତ ।୨୦୧୯ରେ ଓଡ଼ିଶାର ଚାନ୍ଦିପୁରଠାରେ ଡିଆରଡିଓ ପକ୍ଷରୁ ଏକ ସୁଖୋଇ-୩୦ ଏମକେଆଇ ବିମାନରୁ ଅସ୍ତ୍ର-ମାକ୍-୧ର ସଫଳ ପରୀକ୍ଷଣ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

thirteen − 10 =