Friday, October 30, 2026
Latestରାଜ୍ୟ

ଖଣ୍ଡପଡାରେ “ମୁଁ ବଘେଲ” ପକ୍ଷରୁ ପଠାଣି ସାମନ୍ତଙ୍କ ୧୮୮ ତମ ଜୟନ୍ତୀ ଅନୁଷ୍ଠିତ

ବିଶ୍ୱ ବିଖ୍ୟାତ ଜ୍ୟୋର୍ତିବିଦ ପଠାଣି ସାମନ୍ତଙ୍କ ୧୮୮ ତମ ଜନ୍ମ ଜୟନ୍ତୀ ଖଣ୍ଡପଡା ସ୍ଥିତ “ମୁଁ ବଘେଲ” ପରିବାର ପକ୍ଷରୁ ଆୟୋଜିତ ହୋଇଯାଇଛି । ଖଣ୍ଡପଡ଼ା ସ୍ଥିତ ରାଜବାଟୀ ପରିସରର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ “ମୁଁ ବଘେଲ ପରିବାର” ମିଳିତ ଆନୁକୂଲ୍ୟରେ ଚଳିତ ମାସ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି ।
ଚଳିତ ବର୍ଷ ପୌଷ ମାସ କୃଷ୍ଣ ଅଷ୍ଟମୀ ତିଥି ଅନୁଯାୟୀ ସାମନ୍ତଙ୍କ ଜନ୍ମ ଜୟନ୍ତୀ ପାଳନ କରାଯିବା ସହ ଏହି ଅବସରରେ “ବଘେଲ ସମ୍ମାନ ୨୦୨୨-୨୩” ମଧ୍ୟ ପ୍ରଦାନ କରାଯାଇଛି ।
କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଭିନ୍ନ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ଝୋଟି ଓ ବକ୍ତୃତା ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ସଭା ଆରମ୍ଭ ହେବା ପୂର୍ବରୁ ରଥଗଡ଼ାଛକ ଠାରେ ଥିବା ସାମନ୍ତଙ୍କ ପ୍ରତିମୂର୍ତୀରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଅପରାହ୍ଣରେ ଆୟୋଜିତ ସଭାରେ କନ୍ଧମାଳର ପୂର୍ବତନ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ସାମନ୍ତଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବେ ଆଇନଜୀବୀ ତଥା ସ୍ତମ୍ଭକାର ଶ୍ରୀ ଗିରିଜା ଶଙ୍କର ତରାସିଆ, ସାହିତିଁକ କୁଳମଣି ଷଢ଼ଙ୍ଗୀ ଓ ମୁଁ ବଘେଲ୍ ପରିବାରର ଆବାହକ ଶ୍ରୀ ଧନେଶ୍ୱର ମହାପାତ୍ର ପ୍ରମୁଖ ମଂଚାସିନ ଥିଲେ ।
ସେହିପରି ଦ୍ୱିତୀୟ ଦିନ ତଥା ୧୬ ତାରିଖ ସାମନ୍ତଙ୍କ ଜନ୍ମ ଜୟନ୍ତୀରେ ବିଶିଷ୍ଟ ବୈଜ୍ଞାନିକ ତଥା ଏସିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ହେଲ୍‌ଥର କୁଳପତି ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ତିରୁପତି ସ୍ଥିତ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟିାଳୟର କୁଳାନୁଶାସକ ତଥା ସାହିତ୍ୟ ବିଭାଗର ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ସମ୍ମାନିତ ଅତିଥି ରୂପେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପୂର୍ବତନ ଉପ-ବାଚସ୍ପତି ତଥା ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ସିଂହ ମର୍ଦ୍ଦରାଜ, ପଣ୍ଡିତ ମନୋଜ ଦାଶ, ଅଧିବକ୍ତା ତଥା ସ୍ତମ୍ଭକାର ଶ୍ରୀ ଗିରିଜା ଶଙ୍କର ତରାସିଆ, ମୁଁ ବଘେଲର ଆବାହକ ଶ୍ରୀ ଧନେଶ୍ୱର ମହାପାତ୍ର ଓ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଶିଶିର କୁମାର ସାହୁ ପ୍ରମୁଖ ମଂଚାସିନ ଥିଲେ । କାର୍ଯ୍ୟକ୍ରମରେ ଅତିଥିମାନେ ବିଶ୍ୱ ବିଖ୍ୟାତ ଜ୍ୟୋର୍ତିବିଦ୍ ପଠାଣି ସାମନ୍ତଙ୍କ ସ୍ମୃତିଚାରଣ କରିଥିଲେ । ସାହିତ୍ୟିକ କୁଳମଣି ଷଢ଼ଙ୍ଗୀ ସଭାରେ ପୌରହିତ୍ୟ କରିଥିଲେ ।
ଆଇନଜୀବୀ ତଥା ଅନୁଷ୍ଠାନର ସମ୍ପାଦକ ଶ୍ରୀ ବିକ୍ରମ କେଶରୀ ଦେଓ ଅତିଥି ପରିଚୟ ପ୍ରଦାନ କରିବା ସହ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ ।
ଡିସେମ୍ବର ୧୬ ତାରିଖ ଦିନ ଏହି କାର୍ଯ୍ୟକ୍ରମ ଅବସରରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା ।
କାର୍ଯ୍ୟକ୍ରମ ପ୍ରଥମ ଦିନରେ ଖଣ୍ଡପଡ଼ା ଅଚଂଳର ଦିବଂଗତ କଳାକାର କଟାକ୍ଷ କିଶୋର ଭାବେ ପରିଚିତ ଶ୍ରୀ କିଶୋର ରଥ ଏବଂ ଧୁମ୍ପା ସଂଗୀତରେ ସ୍ୱତନ୍ତ୍ର ଅବଦାନ ନିମନ୍ତେ ସ୍ୱର୍ଗତ ସୁରେଶ ମହାପାତ୍ର ଏବଂ ସ୍ୱର୍ଗତ ଗିରିଧାରୀ ବାରିକ ଏବଂ ଦ୍ୱିତୀୟ ସାଲବେଗ ଭାବେ ପରିଚିତ ସ୍ୱର୍ଗତ ଭିକାରୀ ମହମ୍ମଦଙ୍କ ସମେତ ଅନ୍ୟ ଦିବଂଗତ କଳାକାରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ସଂଗୀତ ଆସର ଅନୁଷ୍ଠିତ ହୋଇଥିଲା । ଏଥି ସହିତ ବ୍ୟଙ୍ଗ କବି ଜ୍ଞାନ ହୋତା ଓ ଅନ୍ୟ ବ୍ୟଙ୍ଗ କଳାକାରମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।
ସେହପରି କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅନ୍ତଃରାଷ୍ଟ୍ରୀୟ ଖ୍ୟାତି ସମ୍ପନ୍ନା ଓଡ଼ିଶୀ ନୃତ୍ୟ ଗୁରୁ ଶ୍ରୀମତି ପୁଷ୍ପିତା ମିଶ୍ର ଓ କଳିଙ୍ଗାୟନ ତୌର୍ଯ୍ୟତ୍ରୀକମ୍‌, ଭୁବନେଶ୍ୱରର କଳାମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଓ ଫ୍ରାନ୍ସରୁ ଆସିଥିବା ଓଡ଼ିଶୀ ନୃତ୍ୟାଙ୍ଗନା ବାର୍‌ବରା ଖଣ୍ଡାପଡା ଆସି ସାମନ୍ତ ଜୟନ୍ତୀରେ ପହଂଚିବା ଏହି ଉତ୍ସବକୁ ଅଧିକ ସରସ ସୁନ୍ଦର କରିଥିଲା । ଖଣ୍ଡପଡ଼ା ଗଡଜାତ କଳା ସଂସ୍କୃତି ସହିତ ଓଡ଼ିଶୀ ନୃତ୍ୟ ଏବଂ ଓଡ଼ିଶାର ସଂସ୍କୃତିକୁ ନେଇ ଗବେଷଣା କରିବା ସମସ୍ତ ଉପସ୍ଥିତ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମୁଁ ବଘେଲ୍ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସେ ମଧ୍ୟ ଅନୁରୂପ ଭାବେ ଖଣ୍ଡପଡ଼ାର କୁନି କୁନି ପ୍ରତିଭାଙ୍କୁ ସମ୍ମାନିତ କରିଥିଲେ ।
କାର୍ଯ୍ୟକ୍ରମ ଶେଷରେ ଖଣ୍ଡପଡାର ପୂର୍ବତନ ବିଧାୟକ ଶ୍ରୀ ସିଦ୍ଧାର୍ଥ ଶେଖର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ଶ୍ରୀ ସିଂହଙ୍କ ତତ୍ୱାବଧାନରେ ଦୁଇ ଦିନ ଧରି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସ୍ଥାନୀୟ ଅଂଚଳର ଶତାଧିକ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

Share

Leave a Reply

Your email address will not be published. Required fields are marked *

one × five =