କ୍ରୀଡା

ଆଜି ବିରାଟ-ଗିଲ ଟକ୍କର

ଚଳିତ ଆଇପିଏଲ୍‌ରେ ୪୨ତମ ଲିଗ୍ ମୁକାବିଲାରେ ଆଜି ଗୁଜରାଟ ଘରୋଇ ଗ୍ରାଉଣ୍ଡରେ ଡିଫେଣ୍ଡିଂ ଚାମ୍ପିଅନ ବେଙ୍ଗାଲୁରୁକୁ ଭେଟିବ । ପଏଣ୍ଟ ତାଲିକାର ପଞ୍ଚମ ସ୍ଥାନରେ ରହିଥିବା ଗୁଜରାଟ ଆଜି ବିଜୟ ଜାରି ରଖିବା ସହ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ବେଙ୍ଗାଲୁରୁ ପାଇଁ ଶୀର୍ଷ ସ୍ଥାନରେ ପହଞ୍ଚିବାର ସୁଯୋଗ ରହିଛି । ୧୨ ପଏଣ୍ଟ ଅର୍ଜନ କରି ସାରିଥିବା ବେଙ୍ଗାଲୁରୁ ଆଜିର ମ୍ୟାଚ୍‌ ଜିତିଲେ ଟେବୁଲ ଟପ୍ପର ପଞ୍ଜାବ କିଙ୍ଗ୍ସକୁ ପଛରେ ପକାଇ ପାରିବ ।

ଗତ ୨୪ ତାରିଖରେ ଉଭୟ ଦଳ ଚିନ୍ନାସ୍ୱାମୀ ଷ୍ଟାଡ଼ିୟମରେ ପରସ୍ପରକୁ ଭେଟିଥିଲେ । ବେଙ୍ଗାଲୁରୁ ୫ ୱିକେଟରେ ଉକ୍ତ ମ୍ୟାଚ ଜିତିଥିଲା । ଉକ୍ତ ମ୍ୟାଚରେ ସାଇ ସୁଦର୍ଶନ ଶତକ ଅର୍ଜନ କରିଥିଲେ ହେଁ ଜବାବରେ ବିରାଟ କୋହଲି ଓ ଦେବଦତ୍ତ ପାଡ଼ିକଲ ବିସ୍ଫୋରକ ବ୍ୟାଟିଂ କରି ଗୁଜରାଟ ଠାରୁ ବିଜୟ ଛଡ଼ାଇ ନେଇଥିଲେ ।

ଆଜି ନିଜ ଘରୋଇ ଗ୍ରାଉଣ୍ଡ ଓ ସମର୍ଥକଙ୍କ ଗହଣରେ ଖେଳୁଥିବା ଗୁଜରାଟ ଶୃଙ୍ଖଳିତ ବୋଲିଂ କରି ବେଙ୍ଗାଲୁରୁ ବ୍ୟାଟରଙ୍କୁ ଅଟକାଇବାକୁ ଚେଷ୍ଠା କରିବ । ଦଳର ଭାଗ୍ୟ ମୁଖ୍ୟତଃ ରସିଦ ଖାନ, ପ୍ରସିଦ୍ଧ କ୍ରିଷ୍ଣା ଓ ମସମ୍ମଦ ସିରାଜଙ୍କ ବୋଲିଂ ଉପରେ ନିର୍ଭର କରିବ ।

ଆଇପିଏଲରେ ଉଭୟ ଦଳ ପରସ୍ପରକୁ ୭ଥ ଭେଟିଛନ୍ତି । ଏଥିରୁ ବେଙ୍ଗାଲୁରୁ ୪ଟି ମ୍ୟାଚ ଜିତିଥିବାବେଳେ ୩ଟି ମ୍ୟାଚରେ ପରାଜିତ ହୋଇଛି । ଚମତ୍କାର ଫର୍ମରେ ରହିଥିବା ବେଙ୍ଗାଲୁରୁ ଆଜି ମଧ୍ୟ ଆଧିପତ୍ୟ ଜାରି ରଖିବା ଆଶା କରାଯାଉଛି ।

ଗୁଜରାଟ ପକ୍ଷରୁ ଶୁଭମନ ଗିଲଙ୍କ ଉପରେ ନଜର ରହିବା ସ୍ୱାଭାବିକ । ସେ ଇତି ମଧ୍ୟରେ ୩୩୦ ରନ ସଂଗ୍ରହ କରିସାରିଛନ୍ତି । ସେହିପରି ସୁଦର୍ଶନଙ୍କୁ ମଧ୍ୟ ଶାନ୍ତ ରଖିବାକୁ ବେଙ୍ଗାଲୁରୁ ରଣନୀତି ପ୍ରସ୍ତୁତ କରିବ । ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଓ ରଜତ ପାତିଦାରଙ୍କ ଉପରେ ଦର୍ଶକଙ୍କ ନଜର ରହିବା ନିଶ୍ଚିତ । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚରେ କାଗିସୋ ରାବାଡ଼ା ୱିକେଟ୍ ହାତେଇ ପାରି ନଥିଲେ । ମାତ୍ର ସେ ଚମତ୍କାର ଫର୍ମରେ ରହିଛନ୍ତି ଓ ଇତି ମଧ୍ୟରେ ୧୩ଟି ୱିକେଟ୍ ଅକ୍ତିଆର କରିସାରିଛନ୍ତି । ଦିଲ୍ଲୀ ବିପକ୍ଷ ମୁକାବିଲା ଭଳି ବେଙ୍ଗାଲୁରୁର ଦୁଇ ପେସ୍ ବୋଲର ଜୋସ ହାଜେଲଉଡ୍ ଓ ଭୁବନେଶ୍ୱର କୁମାର ପୁଣିଥରେ ଘାତକ ସାବ୍ୟସ୍ତ ହୋଇପାରନ୍ତି । ତେଣୁ ଗୁଜରାଟ ବ୍ୟାଟରଙ୍କୁ ଉଭୟଙ୍କ ପ୍ରତି ସତର୍କ ରହିବାକୁ ପଡ଼ିବ ।

ଆଜିର ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ । ମାତ୍ର ବୋଲରମାନେ ମଧ୍ୟ ନିୟମିତ ବ୍ୟବଧାନରେ ୱିକେଟ୍ ହାସଲ କରିପାରିବେ । ଟସ୍ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ରାତ୍ରିରେ ମ୍ୟାଚ ଖେଳା ଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି।

Share

Leave a Reply

Your email address will not be published. Required fields are marked *

twelve − nine =