ପୁରୀ ବିଧାୟକ ନିରବ କାହିଁକି

ଭୁବନେଶ୍ବର (ନିପ୍ର): ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣା ହେଉ କି ସେବାୟତଙ୍କ ଦାନ ଗ୍ରହଣ ଉପରେ କଟକଣା ହେଉ, ଏହାକୁ ନେଇ ପୁରୀ ସମେତ ସମଗ୍ର ରାଜ୍ୟ ଉଠୁଥିବା ପଡୁଥିବାବେଳେ ପୁରୀ ବିଧାୟକ ତଥା ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଏକ ପ୍ରକାର ମୌନବ୍ରତ ଅବଲମ୍ବନ କରିଛନ୍ତି । ମହେଶ୍ବରଙ୍କ ଏଭଳି ଆଚରଣ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ରାଜ୍ୟ କ୍ୟାବିନେଟ୍ର ଏହି ବରିଷ୍ଠ ମନ୍ତ୍ରୀ ହେଉଛି ଖୋଦ୍ ପୁରୀ ବିଧାୟକ । ତାଙ୍କ ବିନା ନିର୍ଦ୍ଦେଶରେ ପୁରୀରେ ପତ୍ରଟିଏ ହଲିବା ମଧ୍ୟ କଷ୍ଟକର ବୋଲି କୁହାଯାଏ । ହେଲେ ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ମହେଶ୍ବର ନିରବ । ପଦୁଟିଏ କଥା ତାଙ୍କ ମୁହଁରୁ ବାହାରୁ ନାହିଁ । ଗଣମାଧ୍ୟମ ଠାରୁ ଏକ ରକମ ଦୂରରେ ରହୁଛନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ଘୋଷଣା ଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସକଙ୍କୁ ବଦଳାଇ ନାକେଦମ ହେଉଥିବାବେଳେ ମହେଶ୍ବର କାହିଁକି ମୁହଁ ଖୋଲୁ ନାହାନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ।

ସେହିଭଳି ସେବାୟତଙ୍କ ଦାନ ଗ୍ର୍ରହଣ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବାପରେ ଏହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ସେମାନେ ବି ଆଗାମୀ ରଥଯାତ୍ରାକୁ ଦୃଷ୍ଟିରେ ରଖି ପରୋକ୍ଷ ଚେତାବନୀ ଦେଲେଣି । ବରିଷ୍ଠ ସେବାୟତମାନେ ହେଉଛନ୍ତି ବିଜେଡି ସମର୍ଥକ । ଏମାନଙ୍କ ମଧ୍ୟରୁ କେତେକ ବିଜେହି ସରକାର ଅମଳରେ ରାଜ୍ୟର ବିଭିନ୍ନ ନିଗମରେ ବି ନିଯୁକ୍ତି ପାଇଛନ୍ତି । ସେବାୟତଙ୍କୁ ନେଇ ସରକାର କାଠଗଡାରେ ଛିଡା ହୋଇଥିବାବେଳେ ମହେଶ୍ବର କିନ୍ତୁ ପାଟି ଖୋଲୁ ନାହାନ୍ତି ।

କେବଳ ଏହି ଦୁଇଟି ଘଟଣା ନୁହେଁ ଶ୍ରୀମନ୍ଦିରରେ ଭକ୍ତ ମାଡଖାଇବା ଠାରୁ ଆରମ୍ଭକରି ମହିଳା ଭକ୍ତ ଅସଦାଚରଣର ଶିକାର ହେଉଛନ୍ତି । ଏହି ଘଟଣାକୁ ନେଇ ଜଗନ୍ନାଥ ସେନା ରାଜରାସ୍ତାରେ ସରକାରଙ୍କୁ ହଲାପଟା କରୁଛି । ପୁରୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଏହାକୁ ନେଇ ଅସନ୍ତୋଷ ବଢିବାପରେ ଖୋଦ୍ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିଛନ୍ତି । ହେଲେ ପୁରୀର ଲୋକ ପ୍ରତିନିଧି ହିସାବରେ କିମ୍ବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ହିସାବରେ ମହେଶ୍ବର ନିରବ । ଅନ୍ତତଃ ପକ୍ଷେ ବିଜେପିର ଶାଣିତ ଆକ୍ରମଣ ବିରୁଦ୍ଧରେ ମହେଶ୍ବରଙ୍କ ତୁଣ୍ଡରୁ ପଦୁଟିଏ ବାହାରୁନାହିଁ ।

ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା ନବକଳେବର ସମୟରେ । ସେତେବେଳେ ନବକଳେବର ପାଇଁ ଆସିଥିବା କୋଟି କୋଟି ଟଙ୍କା ବାଟମାରଣା ଅଭିଯୋଗ ହୋଇଥିଲା । ଏହାକୁ ନେଇ ସରକାର ଚାରିଆଡୁ ସମାଲୋଚନାର ଶିକାର ହୋଇଥିଲେ । ହେଲେ ମହେଶ୍ୱର ସପକ୍ଷରେ କିମ୍ବା ବିପକ୍ଷରେ ପଦୁଟିଏ କହିଲେ ନାହିଁ । ରଥଯାତ୍ରା ସମୟରେ ସେବାୟତ-ପ୍ରଶାସକ ବାଡିଆପିଟାରେ ମଧ୍ୟ ମହେଶ୍ବର ନିରବ ରହିଲେ । ମହେଶ୍ବରଙ୍କ ଏଭଳି ନିରବତା କଣ ପାଇଁ ବୋଲି ଏବେ ପ୍ରଶ୍ନ । ଭୋଟ ପାଇଁ ନା ଆଉ କିଛି ବୋଲି ଚର୍ଚ୍ଚା ଚାଲିଛି ।

Share

Leave a Reply

Your email address will not be published. Required fields are marked *

sixteen + sixteen =