ମୋଦିଙ୍କ ବିଫଳତା ବିରୋଧୀଙ୍କୁ ଯୋଗାଇଛି ଖୋରାକ୍

ଭୁବନେଶ୍ବର (ନିପ୍ର): କେନ୍ଦ୍ରରେ ମୋଦି ସରକାର ୪ବର୍ଷ ପୂରଣ କରିସାରିଛି । ସରକାରର ଶେଷ ବର୍ଷରେ ଆଗାମୀ ନିର୍ବାଚନ ପାଇଁ ବିଭିନ୍ନ ବିଭାଗର ବିଜ୍ଞାପନ ଆସିବାରେ ଲାଗିଲାଣି । ଏହି ସବୁ ବିଜ୍ଞାପନରେ କଂଗ୍ରେସର ୪୮ବର୍ଷ ବନାମ ମୋଦି ସରକାରର ୪୮ ମାସ ଶାସନର ତୁଳନା କରାଯାଇଛି । ଅପରପକ୍ଷରେ ବିରୋଧିମାନେ ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କରିଦେଇଛି । କେନ୍ଦ୍ର ସରକାର ଦୁର୍ନୀତି, କଳାଧନ, ଦରଦାମ ବୃଦ୍ଧି, ଆତଙ୍କବାଦ ଓ ବିଦେଶ ନୀତିରେ ସମ୍ପୁର୍ଣ୍ଣ ବିଫଳ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସିଂ ସୁରଜେୱାଲ କହିଛନ୍ତି ।

ଏବେ ବିରୋଧିଦଳ କେନ୍ଦ୍ରର ବିଜେପି ସରକାରକୁ ୨୦୧୪ନିର୍ବାଚନ ପ୍ରତିଶ୍ରୁତିରେ ତାକୁ ଘେରିବା ପାଇଁ ଯୋଜନା କରିଛନ୍ତି । ୨୦୧୪ ନିର୍ବାଚନରେ କଂଗ୍ରେସର ୬୦ବର୍ଷ ଶାସନକୁ ତୁଳନା କରି ୬୦ମାସ ପାଇଁ କ୍ଷମତା ଦେବାକୁ ମତଦାତାଙ୍କୁ ନିବେଦନ କରିଥିଲା । ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ପ୍ରତ୍ୟେକ ନିର୍ବାଚନ ସଭାରେ ଏହି କଥା କହିଥିଲେ । କ୍ଷମତା ଆସିବା ପରେ ମୋଦି ସରକାର ନିଜ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି । ଏହି କାରଣରୁ ବିରୋଧିଙ୍କ ସହିତ ବିଜେପିର ମେଣ୍ଟଦଳ ଓ କେତେକ ଦଳୀୟ ନେତା ସରକାରଙ୍କୁ ସମାଲୋଚନା କରିବାରେ ଲାଗିଛନ୍ତି । ଗତ ନିର୍ବାଚନରେ ୫୪୩ଲୋକସଭା ଆସନରେ ଲଢି ବିଜେପି ଏକାକୀ ୨୮୨ ଆସନରେ ବିଜୟୀ ହୋଇଥିଲା । କିନ୍ତୁ ୨୦୧୯ ନିର୍ବାଚନ ପାଇଁ ଏବେ ବିଜେପି ଉପରୋକ୍ତ ପ୍ରସଙ୍ଗରେ ସଂଘର୍ଷ କରୁଛି ।

କଂଗ୍ରେସର ମନମୋହନ ସରକାର ୧୦ବର୍ଷ ଧରି ରୋଜଗାର ସୃଷ୍ଟି କରିପାରନାହାନ୍ତି ବୋଲି ବିଜେପି ଅଭିଯୋଗ କରିଥିଲା । କିନ୍ତୁ ବିଜେପି ୪ବର୍ଷ କ୍ଷମତାରେ ରହିବା ପରେ ବେରୋଜଗାର ସଂଖ୍ୟା କମିବା ପରିବର୍ତେ ବଢିବାରେ ଲାଗିଛି । ସରକାରୀ ଓ ଘରୋଇ କ୍ଷେତ୍ରରେ ନିଯୁକ୍ତି ହ୍ରାସ ପାଇଛି । ବିମୁଦ୍ରୀକରଣ ଓ ଜିଏସଟି ପାଇଁ ଲକ୍ଷାଧିକ ଲୋକ ରୋଜଗାର ହରାଇଛନ୍ତି । ୨୦୧୩ରେ ନିଯୁକ୍ତି ହାର ୦.୭୪% ଥିବାବେଳେ ୨୦୧୫ରେଏହା ୦.୫୭%କୁ ହ୍ରାସ ପାଇଛି । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାରେ ୩୦.୬୭ଲକ୍ଷ ଲୋକଙ୍କୁ ପ୍ରଶିକ୍ଷିତ କରାଯାଇଥିଲେ ହେଁ ଏମାନଙ୍କ ମଧ୍ୟରୁ ମାତ୍ର ୨ଲକ୍ଷ ୯୦ହଜାର ଲୋକଙ୍କୁ ନିଯୁକ୍ତ ମିଳିଛି ।

ଏବେ ଦେଶରେ କୃଷି କ୍ଷେତ୍ରରେ ଆଖିଦୃଶିଆ ସଫଳତା ମିଳିନାହିଁ । ୨୦୧୪ରେ ୧୨,୩୬୦କୃଷକ ଆତ୍ମହତ୍ୟା କରିଥିବାବେଳେ ୨୦୧୫ରେ ଏହା କମିବା ପରିବର୍ତେ ୧୨,୬୦୧କୁ ବୃଦ୍ଧି ପାଇଛି । କୃୃଷକମାନଙ୍କ ଆୟରେ ୧୬% ହ୍ରାସ ପାଇଥିବାବେଳେ କୃଷି ସାମଗ୍ରୀ ଖର୍ଚ୍ଚ ୩.୭% ବୃଦ୍ଧି ପାଇଛି । ଦେଶରେ ୨୦୧୪ ତୁଳନାରେ ଏବେ ଦରଦାମ ବୃଦ୍ଧି ଯଥେଷ୍ଟ ହୋଇଛି । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ମୋଦି ସରକାର କୌଣସି ପଦକ୍ଷେପ ନେଇନାହାନ୍ତି ବୋଲି ବିରୋଧି ଅଭିଯୋଗ କରିଛନ୍ତି । ଆତଙ୍କବାଦ ମୁକାବିଲା କ୍ଷେତ୍ରରେ ମଧ୍ୟ ସରକାର ବିଫଳ ହୋଇଛନ୍ତି । ୨୦୧୩ରେ ନକ୍ସଲ ଆକ୍ରମଣରେ ୪୨୧ଜଣ ମୃତ୍ୟୁବରଣ କରିଥିବାବେଳେ ୨୦୧୬ରେ ୪୩୩ଜଣ ମୃତ୍ୟୁବରଣ କରିଥିବାବେଳେ ୨୦୧୭ରେ ୩୩୩ ଜଣ ମୃତ୍ୟୁବରଣ କରିଛନ୍ତି ।

୨୦୧୪ ନିର୍ବାଚନରେ କଳାଧନ ପ୍ରମୁଖ ପ୍ରସଙ୍ଗ ଥିଲା । ବିଦେଶ ବ୍ୟାଙ୍କରେ ଥିବା କଳାଧନକୁ ଫେରାଇ ଆଣିବା ପାଇଁ ବିଜେପି ତାର ଘୋଷଣା ପତ୍ରରେ ଉଲେଖ କରିଥିଲା । ସରକାର ୪ବର୍ଷ ଶାସନ କ୍ଷମତାରେ ରହିବା ପରେ ବିଦେଶରୁ କଳା ଧନ ଫେରାଇ ଆଣିବାରେ ବିଫଳ ହୋଇଛନ୍ତି । ଅପରପକ୍ଷରେ ସରକାର ବିମୁଦ୍ରୀକରଣ କରି ଜନଧନ ଖାତାରେ ବହୁପରିମାଣରେ କଳାଧନକୁ ସଫେଦ କରିବାର ସୁଯୋଗ ଦେଇଛନ୍ତି । ଏହାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ‘ସଂଘଠିତ ଲୁଟ’ ବୋଲି କହିଛନ୍ତିି । ସରକାରଙ୍କ ବହୁ ପ୍ରଚାରିତ ଜିଏସଟି ଯୋଗୁଁ ଛୋଟ ଓ ମଧ୍ୟମ ଧରଣର ବ୍ୟବସାୟୀମାନେ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି ।

ରାଜନୀତିକ ସମୀକ୍ଷକମାନଙ୍କ ମତ ଅନୁସାରେ ଏହି ସବୁ ପ୍ରସଙ୍ଗରେ ମୋଦି ସରକାର ତୁରନ୍ତ ପଦକ୍ଷେପ ନ ନେଲେ ବିରୋଧିଦଳମାନେ ଏହାକୁ ଆଗାମୀ ନିର୍ବାଚନରେ ପ୍ରସଙ୍ଗ କରିବେ । ଯାହା ଫଳରେ ସରକାର ଅଡୁଆରେ ପଡିବା ସହିତ ନିର୍ବାଚନ ପ୍ରଚାରରେ ପଛୁଆ ରହିବ ।

Share

Leave a Reply

Your email address will not be published. Required fields are marked *

15 − 9 =