ପୁଣି ଥରେ ରାଜ୍ୟ ବିଜେପି ନେତାଙ୍କୁ ହତାସ କଲେ ମୋଦି

‘ଆଗ ଅର୍ଥ ଦିଅ, ଖର୍ଚ୍ଚ କଥା ଚିନ୍ତା କରାଯିବ’

ବଲାଙ୍ଗିର () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ସଂକ୍ଷିପ୍ତ ଓଡ଼ିଶା ଗସ୍ତରେ ଆସି ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହିସବୁ ପ୍ରକଳ୍ପ ଶିକ୍ଷା, ସଂସ୍କୃତି, ରେଳପଥ, ଭିତିଭୂମି ଏବଂ ସହଜ ଜୀବନଧାରଣ ସଂକ୍ରାନ୍ତ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ । ଗତ ତିନି ସପ୍ତାହର ମଧ୍ୟରେ ତୃତୀୟ ଥର ଓଡିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଏଥର ମଧ୍ୟ ରାଜ୍ୟ ବିଜେପି ନେତାଙ୍କୁ ହତାସ କରିଛନ୍ତି ।

ଖୋର୍ଦ୍ଧା ଓ ବଲାଙ୍ଗୀର ସାଧାରଣ ସଭା ପରି ବଲାଙ୍ଗୀରରେ ମଧ୍ୟ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଆକ୍ରମଣାତ୍ମକ ଭାଷଣ ଦେଇନଥିଲେ । ଏପରିକି ତାଙ୍କର ପୂର୍ବ ରାଜନୈତିକ ସଭାଗୁଡିକରେ ସେ ଯେଭଳି ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରନ୍ତି, ସେଭଳି ଆକ୍ରମଣ ଗତ ତିନୋଟି ଯାକ ସଭାରେ ଦେଖିବାକୁ ମିଳୁନି । ବରଂ ସେ କଂଗ୍ରେସକୁ କଟୁ ସମାଲୋଚନା କରିଛନ୍ତି । ଗୋଟେ ପଟେ ରାଜ୍ୟ ବିଜେପି ନେତାମାନେ ଦୈନିକ ଦୁଇ ତିନି ଥର ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ ଛିଡା କରିଦେଉଥିବା ବେଳେ ଦଳର ଶୀର୍ଷ ନେତାମାନେ ରାଜ୍ୟ ସରକାରଙ୍କ ପ୍ରତି ସେଭଳି ଜଟିଳ ମନୋଭାବ ନେଉନାହଁନ୍ତି ।

ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଓଡ଼ିଶାର ବିକାଶ ପ୍ରତି କେନ୍ଦ୍ର ସରକାର ପ୍ରତିବଦ୍ଧ ଥିବା ପୁନଃ ଘୋଷଣା କରିଥିଲେ । ସେ କହିଥିଲେ ଯେ ନୂଆ ଓଡ଼ିଶାର ବିକାଶ ଦ୍ବାରା ପୂର୍ବ ଭାରତର ବିକାଶ ହେବ । ନୂତନ ଓଡ଼ିଶା ବିକାଶ ଲାଗି ନୂତନ ବଲାଙ୍ଗୀର, ନୂତନ ସୋନପୁରର ବିକାଶ ଆବଶ୍ୟକ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛିମାସ ମଧ୍ୟରେ ଓଡ଼ିଶାରେ ୨୦ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପମାନ ଉଦ୍ଘାଟିତ ତଥା କାର୍ଯ୍ୟାରମ୍ଭ କରାଯାଇଛି ।

ସେ କହିଥିଲେ ଯେ ବିଗତ ସାଢେ ୪ ବର୍ଷ ମଧ୍ୟରେ ୬ କୋଟିରୁ ଅଧିକ ନକଲି ଲାଭାର୍ଥୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ବିଦା କରାଯାଇଛି । ସେମାନେ ପୂର୍ବ ସରକାର ଅମଳରେ ଦେଶକୁ ଲୁଟି ଚାଲିଥିଲେ । ଆଧାର କାର୍ଡ, ଡିବିଟି, ଜାମ୍ ଆଦି ପ୍ରୟୋଗ ଫଳରେ ୯୦ ହଜାର କୋଟି ଟଙ୍କାରୁ ଅଧିକ ସରକାରୀ ସବ୍ସିଡି ଅର୍ଥ ସଂଚୟ କରାଯାଇଛି । ହଜାର ହଜାର କୋଟି ଟଙ୍କାର ବାଟମାରଣା ବନ୍ଦ ହୋଇଯାଇଛି । ଚୋରମାନେ ଧରା  ପଡୁଛନ୍ତି । ବିଗତ ସରକାର ଅମଳରେ ଲୁଟ୍ପାଟ୍ କରୁଥିବା ଚୋରମାନେ ଏବେ ଚୌକିଦାର ପଛରେ ଲାଗିଛନ୍ତି ।

ଓଡ଼ିଶାରେ ଜିଲ୍ଲା ଖଣିଜ ପାଣ୍ଠିକୁ ମିଳିଥିବା ପ୍ରାୟ ୪ ହଜାର କୋଟି ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ିରହିଛି । ଆଦିବାସୀମାନଙ୍କ ଅଂଚଳର କଲ୍ୟାଣ ଲାଗି ଏହି ଅର୍ଥ ଖର୍ଚ୍ଚ କରାଯିବା କଥା । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପରିମାଣର ଅର୍ଥ ଦେଉଥିଲେ ମଧ୍ୟ ରାଜ୍ୟ ସରକାର ତାହା ଖର୍ଚ୍ଚ କରୁନାହାନ୍ତି । ଫଳରେ ଆଦିବାସୀମାନଙ୍କ କଲ୍ୟାଣ ଠିକଭାବେ ହୋଇପାରୁ ନାହିଁ । ସେମାନେ ଉପଯୁକ୍ତ ନ୍ୟାୟ ପାଇପାରୁ ନାହାନ୍ତି ।

Share

Leave a Reply

Your email address will not be published. Required fields are marked *

2 + five =