ଗାଁ ଗାଁ ସଚେତନ କରିବ ମିଶନ ଶକ୍ତି ରଥ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ମିଶନ ଶକ୍ତିର ରଥର ଶୁଭାରମ୍ଭ କରିଛନ୍ତି । ମିଶନ ଶକ୍ତି କାର୍ଯ୍ୟକ୍ରମର ପ୍ରଚାର ଓ ପ୍ରସାର ତଥା ଏହାର ସଫଳ କାହାଣୀ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରିବା ପାଇଁ ସ୍ବତନ୍ତ୍ର ଏଇଡି ସଂଲଗ୍ନ ଗାଡି ସମସ୍ତ ପଂଚାୟତ ଓ ସହରାଞ୍ଚଳକୁ ଯାତ୍ରା କରିବ ଏବଂ ମହିଳାମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗୀତା, ଅଡିଓ ଭିଡିଓ କାହାଣୀ ଓ ଗୋଷ୍ଠୀ ନେତ୍ରୀମାନଙ୍କ ବାର୍ତ୍ତା ମଧ୍ୟ ପ୍ରସାରଣ କରିବ । ଆଜି 25ଟି ରଥକୁ ମୁଖ୍ୟମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ସମୁଦାୟ 60ଟି ରଥ ପ୍ରଚାର ପ୍ରସାର କରିବ ।

ସୂଚନାଯୋଗ୍ୟ ଯେ, ମହିଳାମାନଙ୍କୁ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସଂଗଠିତ କରି ସଶକ୍ତ କରିବା ନିମନ୍ତେ ରାଜ୍ୟରେ 2001 ମାର୍ଚ୍ଚ 8 ତାରିଖରେ ମିଶନ ଶକ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 6 ଲକ୍ଷ ଗୋଷ୍ଠୀ ମାଧ୍ୟମରେ 70 ଲକ୍ଷ ମହିଳା ମିଶନଶକ୍ତି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 30 ଲକ୍ଷ ମହିଳା ନୂତନ ସଦସ୍ୟା ଅଟନ୍ତି । ରାଜ୍ୟରେ ଏପରି କୌଣସି ଗ୍ରାମ ବା ପଡା ନାହିଁ ଯେଉଁଠାରେ ମିଶନ ଶକ୍ତିର ସ୍ବୟଂ ସହାୟକ ଗୋଷ୍ଠୀ ବା ସଦସ୍ୟା ନାହାଁନ୍ତି । ସ୍ବୟଂ ସହାୟକ ଗୋଷ୍ଠୀମାନେ ବିଭିନ୍ନ ରୋଜଗାର ଭିତ୍ତିକ ଓ ଅର୍ଥନୈତିକ କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରୁଛନ୍ତି ।

ମହିଳା ଓ ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ବିଭାଗ ଅଧିନରେ 2017 ମସିହାରେ ଏକ ସ୍ବତନ୍ତ୍ର ମିଶନ ଶକ୍ତି ନିର୍ଦ୍ଦେଶାଳୟ ଗଠନ କରାଯାଇଛି । ମହିଳାମାନଙ୍କ ସାମାଜିକ, ଆର୍ଥିକ ଓ ରାଜନୈତିକ ସଶକ୍ତିକରଣ ମିଶନ ଶକ୍ତିର ପ୍ରମୁଖ ଲକ୍ଷ୍ୟ । ଆଜିର ଏହି କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସମାଲ, ଉନ୍ନୟନ କମିଶନର ଅସିତ ତ୍ରିପାଠୀ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ମିଶନ ଶକ୍ତି ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟ ପ୍ରମୁଖ ଉପସ୍ଥିତ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ମିଶନ ଶକ୍ତି ଦ୍ବାରା ବିନା ସୁଧରେ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଶନ ଶକ୍ତି ଋଣ ପ୍ରଦାନ କରାଯାଉଛି । ମହିଳାମାନଙ୍କ ଉପରେ ସୁଧ ଭାର ଲାଘବ କରି ଉଦ୍ୟୋଗ ପ୍ରତିଷ୍ଠା କରିବାକୁ ପ୍ରୋତ୍ସାହିତ କରିବାକୁ ସରକାର ମିଶନ ଶକ୍ତି ଋଣ ଯୋଜନା ଆରମ୍ଭ କରିଛନ୍ତି । ସେହିଭଳି ପ୍ରତ୍ୟେକ ପଂଚାୟତରେ ମିଶନ ଶକ୍ତି ଗୃହ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ଏହି ଗୃହକୁ ବୈଠକ କରିବା ଓ ଗୋଷ୍ଠୀମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରୟ ପାଇଁ ବ୍ୟବହାର କରାଯିବ । ମହିଳା ଗୋଷ୍ଠୀମାନଙ୍କ ସଂଚୟ ପାଣ୍ଠିକୁ ବୃଦ୍ଧି କରି ଗୋଷ୍ଠୀମାନଙ୍କର ଋଣ ପାଇବା ଓ ନିବେଶ କରିବାର ସାମର୍ଥ୍ୟକୁ ବୃଦ୍ଧି କରିବା ପାଇଁ ନୂତନ ଭାବେ ଗଠିତ 3 ଲକ୍ଷ ମିଶନ ଶକ୍ତି ଗୋଷ୍ଠୀକୁ 15ହଜାର ଲେଖାଏଁ ସୀଡମନି ବାବଦରେ 450 କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଉଛି ।

ସେହିପରି ମହିଳାମାନଙ୍କୁ ଡିଜିଟାଲ ସଶକ୍ତିକରଣ ପାଇଁ 6 ଲକ୍ଷ ଗୋଷ୍ଠୀକୁ ନିଜ ପସନ୍ଦର ସ୍ମାର୍ଟଫୋନ କିଣିବା ପାଇଁ ଗୋଷ୍ଠୀ ପିଛା 3ହଜାର ଟଙ୍କାର ସହାୟତା ଦିଆଯାଉଛି । ଏହାଦ୍ବାରା ସେମାନେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ଏବଂ ଯୋଜନା ସମ୍ପର୍କରେ ତଥ୍ୟ ଓ ସେବା ପାଇପାରିବେ । ଏଥିପାଇଁ ଏକ ସ୍ବତନ୍ତ୍ର ଆପ୍ଲିକେସନ ମଧ୍ୟ ପ୍ରସ୍ତୁତ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

five × 1 =