ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବିଜୁ ମହିଳା ଜନତା ଦଳର ବିକ୍ଷୋଭ 

ଭୁବନେଶ୍ୱର () ଦର ବୃଦ୍ଧି ଓ , ଗ୍ୟାସ୍ ସିଲିଣ୍ଡର କଳାବଜାରୀ ଉଜ୍ଜ୍ୱଳା ଯୋଜନା ଦୁର୍ନୀତି ପ୍ରତିବାଦରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ଅଇଓସିଏଲ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ମହିଳା ଅଫିସ୍ ସମ୍ମୁଖରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  ।
ବିକ୍ଷୋଭସ୍ଥଳରେ ପ୍ରମିଳା ମଲ୍ଲିକ କହିଥିଲେ ଯେ ଉଜ୍ଜ୍ୱଳା ଯୋଜନା ଆମ ରାଜ୍ୟରେ ସଫଳ ହୋଇଛି ବୋଲି ବିପଣନ କମ୍ପାନୀଗୁଡିକ ପକ୍ଷରୁ ଏହାର ରାଜ୍ୟ ସଂଯୋଜକ ଯେଉଁ ଦାବି କରିଛନ୍ତି, ତାହା କେବଳ ଧୂଆଁବାଣ । ରାଜ୍ୟସଭାରେ କେନ୍ଦ୍ର ତୈଳମନ୍ତ୍ରୀ ଇତିମଧ୍ୟରେ ଜଣାଇସାରିଛନ୍ତି, ରାଜ୍ୟରେ ଉଜ୍ଜ୍ୱଳା ଯୋଜନାରେ ୩୦ଲକ୍ଷ ୪୮ ହଜାର ହିତାଧିକାରୀ ୨୦୧୮ ଜୁଲାଇ ୩୦ ସୁଦ୍ଧା ସାମିଲ ହୋଇଥିଲେ ହେଁ ଦ୍ୱିତୀୟଥର ରିଫିଲ କରୁଥିବା ହିତାଧିକାରୀଙ୍କ ସଂଖ୍ୟା କମି କମି ଯାଉଛି । ୨୦୧୬-୧୭ରେ ମାତ୍ର ୮୧୮୭୮୬ ହିତାଧିକାରୀ ରିଫିଲ ଦ୍ୱିତୀୟଥର କରିଥିବା ବେଳେ ୨୦୧୭-୧୮ରେ ଏହା ଆହୁରି କମିଯିବା ସହ ୬୪୫୨୬୫ରେ ପହଂଚିଛି । ଏପରିକି ଖୋଦ ତୈଳମନ୍ତ୍ରୀଙ୍କ ନିଜ ଜିଲ୍ଲା ଅନୁଗୁଳରେ ପରିସଂଖ୍ୟାନ ଅନୁଯାୟୀ ୧୫ ପ୍ରତିଶତ ହିତାଧିକାରୀ ରିଫିଲିଂ କରୁଥିବା ବେଳେ ୮୫ ପ୍ରତିଶତ ହିତାଧିକାରୀ କେବଳ ପରିସଂଖ୍ୟାନଭୁକ୍ତ ହୋଇ ରହିଯାଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ହୋଇଥିବା ମହାଦୁର୍ନୀତି ଯୋଗୁ ମହିଳାମାନଙ୍କୁ ଲାଭ ମିଳିବା ପରିବର୍ତେ ଦଲାଲମାନଙ୍କୁ ମୁନାଫା ଦେବା ସାର ହୋଇଛି । ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନନେଇ କେନ୍ଦ୍ର ସରକାର ତାଙ୍କ ଦଳୀୟ କର୍ମୀମାନଙ୍କ ଜରିଆରେ ଉଜ୍ଜ୍ୱଳା ଯୋଜନାରେ ଭୂତ ହିତାଧିକାରୀମାନଙ୍କ ନାମରେ ପଞ୍ଜିକୃତ କରାଇଛନ୍ତି । ଓଡ଼ିଶାର ଓଡ଼ିଆ ଲୋକ ହୋଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି, ଯାହା କ୍ଷୋଭ ଓ ପରିତାପର ବିଷୟ । ସେହିପରି ଉଜ୍ଜ୍ୱଳା ଯୋଜନା ସବସିଡି ଅର୍ଥ ଠିକ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନଥିବା ଅଭିଯୋଗ ହେଉଛି । କେନ୍ଦ୍ର ତୈଳ ମନ୍ତ୍ରୀ ଏଥିରେ କାହିଁକି ନିରବ ରହିଛନ୍ତି? ଆନ୍ତର୍ଜାତିକ ବଜାରରେଅଶୋଧିତ ତୈଳ ଦର ହ୍ରାସ ପାଇଚାଲିଥିବା ବେଳେ ବିଜେପି ସରକାର ଅମଳରେ ବିଗତ ୪ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସର ମୂଲ୍ୟ ୨୨ଥର ବଢ଼ିଛି କାହିଁକି? କେନ୍ଦ୍ର ସରକାର ବିଶେଷକରି ତୈଳ ମନ୍ତ୍ରାଳୟ ଏବେ ଅପାରଗ ଓ ସ୍ଥାଣୁ ପାଲଟିଯାଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ବୋଲି ସେ କହିଥିଲେ ।
ତାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର ମହାନ୍ତି, ରାଜଶ୍ରୀ ମଲ୍ଲିକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ମହିଳା ବିଜେଡିର ସମସ୍ତ ରାଜ୍ୟ ଉପ-ସଭାନେତ୍ରୀ, ସାଧାରଣ ସଂପାଦିକା, ସଂପାଦିକା, ଭୁବନେଶ୍ୱର ମହିଳା ସଭାନେତ୍ରୀ ଭାରତୀ ସିଂହ, କର୍ପୋରେଟରଙ୍କ ସମେତ ସମସ୍ତ ଜିଲ୍ଲାର ସଭାନେତ୍ରୀ ଓ କର୍ମକର୍ତା ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ମହିଳା ବିଜେଡିର ବିକ୍ଷୋଭ ସମ୍ପର୍କରେ ପ୍ରତିକ୍ରିୟା ଦେଇ  ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ରାଜ୍ୟରେ ଉଜ୍ଜଳା ଏକ ସଫଳ ଯୋଜନାରେ ପରିଣତ ହୋଇଛି  । ଯାହା  ବିଜେଡି ମହିଳାକର୍ମୀଙ୍କ ପାଇଁ ଜ୍ୱାଳା ହୋଇଛି ।
Share

Leave a Reply

Your email address will not be published. Required fields are marked *

three + fifteen =