ବିଜେପି ଓ ମୋଦିଙ୍କୁ ଜବାବ ମାଗିଲା ବିଜେଡ଼ି

୧୪ ବର୍ଷରେ ଓଡ଼ିଶା ପାଇଁ କ’ଣ କରିଛ ଜଣାଅ : ବିଜେଡି

ଭୁବନେଶ୍ବର (): ଆଜି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ପ୍ରଚାର ଭାଷଣ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜୁ ଜନତା ଦଳ । ଦଳର ମୁଖପାତ୍ର ଡ. ସସ୍ମିତ୍ ପାତ୍ର ମୋଦିଙ୍କୁ ଜବାବ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଏଭଳି ଗୋଟିଏ ଦିନରେ ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ, ଯେଉଁଦିନ ଜଣେ ବିଜେପି ପ୍ରାର୍ଥୀ ବିଜେପି ଛାଡ଼ି ବିଜେଡ଼ିରେ ଯୋଗଦେଇଛନ୍ତି । ଏହା ସ୍ପଷ୍ଟ ବୁଝାଉଛି ଯେ ରାଜ୍ୟରେ ବିଜେପି ଅତି ଦ୍ରୁତଗତିରେ ଭାଙ୍ଗିରୁଜି ଯାଉଛି । ବିଜେଡ଼ି ସହ ବିଜେପି ୯ ବର୍ଷ କାଳ ମେଣ୍ଟ ଶାସନରେ ଥିଲା । ବିଗତ ୫ ବର୍ଷ ବିଜେପି କେନ୍ଦ୍ରରେ ଶାସନ କରୁଛି । ଏହିଭଳି ୧୯ ବର୍ଷ ଭିତରେ ବିଜେପି ୧୪ ବର୍ଷ କାଳ ଶାସନ କ୍ଷମତାରେ ରହିଛି । ଏହି ସମୟରେ ଓଡ଼ିଶା ପାଇଁ ବିଜେପି କ’ଣ କରିଛି ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ଜଣାନ୍ତୁ ବୋଲି ସେ ଆହ୍ବାନ ଦେଇଛନ୍ତି ।

ଡ. ପାତ୍ର କହିଛନ୍ତି, ବିଗତ ୫ ବର୍ଷରେ ବିଜେପି ଅନେକ ପ୍ରତିଶ୍ରୁତି ଦେଇ ପାଳନ କରିନାହିଁ । କୋଷ୍ଟାଲ୍ ହାଇୱେ ନିର୍ମାଣ କାହିଁକି ହୋଇପାରିନାହିଁ ଓଡ଼ିଶାବାସୀ ପ୍ରଧାନମନ୍ତ୍ରୀଙ୍କଠାରୁ ଶୁଣିବାକୁ ଚାହୁଁଥିଲେ । ଦ୍ବିତୀୟ ବ୍ରାହ୍ମଣୀ ସେତୁ ଏବଂ ଇସ୍ପାତ ମେଡ଼ିକାଲ୍ କଲେଜର ପ୍ରତିଶ୍ରୁତି କାହିଁକି ପାଳନ ହୋଇନାହିଁ ପ୍ରଧାନମନ୍ତ୍ରୀଙ୍କଠାରୁ ଶୁଣିବାକୁ ଚାହୁଁଥିଲେ । ବିଜେପିର ନିର୍ବାଚନୀ ଇସ୍ତାହାରରେ ଥିବା ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରତିଶ୍ରୁତି କାହିଁକି ପୂରଣ ହେଲାନି ପ୍ରଧାନମନ୍ତ୍ରୀଙ୍କଠାରୁ ଶୁଣିବାକୁ ଚାହୁଁଥିଲେ । ବିଜେପିର ଏହିସବୁ ପ୍ରତିଶ୍ରୁତି ପାଳନ ହୋଇନି ବୋଲି ପ୍ରଧାନମନ୍ତ୍ରୀ ନ କହିଲେ ନାଇଁ, କେବେ ହେବ ତାହା ବି ଜଣାଇଲେନି ।

ଓଡ଼ିଶାର ବିକାଶ ପାଇଁ ବିଜେପି ଧ୍ୟାନ ଦେବା ପରିବର୍ତ୍ତେ ଆଖି ବୁଜି ଦେଇଥିବା ପ୍ରଧାନମନ୍ତ୍ରୀ ଭୁଲିଯିବା ଉଚିତ ନୁହେଁ ବୋଲି ଡ. ପାତ୍ର କହିଛନ୍ତି । ଦୁର୍ଭାଗ୍ୟର କଥା, ମହାନଦୀ ଓ ପୋଲାଭରମ୍ ପ୍ରସଙ୍ଗରେ କେନ୍ଦ୍ର ସରକାର ଓଡ଼ିଶାକୁ ସମର୍ଥନ କରିନାହାନ୍ତି । ୩୩ଟି ଯୋଜନାରେ ଅର୍ଥକାଟ କରାଯାଇଛି । ବିଆରଜିଏଫ, ଆଇଏପି ଏବଂ କେବିକେ ଭଳି ୮ଟି ଯୋଜନାକୁ ବନ୍ଦ କରି ଦିଆଯାଇଛି । ଓଡ଼ିଶାବାସୀ ବିଜେପିକୁ ସେଥିପାଇଁ କ୍ଷମା ଦେବେ ନାହିଁ । ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ କଥା ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ତାହା କେତେ ସଫଳ ତାହା ତାଙ୍କ ଦଳ ଦ୍ବାରା ଶାସିତ ରାଜ୍ୟମାନଙ୍କଠାରୁ ବୁଝିନେବା ଉଚିତ । ବିଜେପି ଶାସିତ ରାଜ୍ୟମାନଙ୍କରେ ଆୟୁଷ୍ମାନ ଯୋଜନା ସମ୍ପୂର୍ଣ୍ଣ ଫେଲ୍ ହୋଇଛି । ବରଂ ଓଡ଼ିଶାରେ ରାଜ୍ୟ ସରକାରଙ୍କ ନିଜସ୍ବ ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା’ ଯେଉଁଥିରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ମିଳୁଛି ତାହା ଆର୍ନ୍ତଜାତୀୟସ୍ତରରେ ଆଦୃତ ଲାଭ କରିଛି । ‘କାଳିଆ’ ଯୋଜନାକୁ ଦେଶ ବିଦେଶର ବିଶିଷ୍ଟ ଅର୍ଥନୀତିଜ୍ଞ ଓ କୃଷି ବିଶାରଦମାନେ ଉଚ୍ଚ ପ୍ରଶଂସା କରି ରୋଲ୍ ମଡ଼େଲ ଭାବେ ଗ୍ରହଣ କରିଛନ୍ତି । ଦୁର୍ଭାଗ୍ୟର କଥା ବିଜେପି ଚାପରେ ଏହି ଯୋଜନା ଏବେ ବନ୍ଦ ରହିବା ଯୋଗୁଁ ୨୦ ଲକ୍ଷ ଚାଷୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।

ଡ. ପାତ୍ର କହିଛନ୍ତି, ବିଜେପି ପାର୍ଟିରେ ବିଶ୍ବାସ କରେ, ମାଟିରେ ନୁହେଁ । ମାତ୍ର ବିଜୁ ଜନତା ଦଳ ମାଟିରେ ବିଶ୍ବାସ କରେ, ପାର୍ଟିରେ ନୁହେଁ । ଓଡ଼ିଶାବାସୀ ଏହା ବୁଝିସାରିଛନ୍ତି । ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କ ଦୃଢ଼ ଓ ବଳିଷ୍ଠ ନେତୃତ୍ବ ଉପରେ ପୁନର୍ବାର ଆସ୍ଥା ପ୍ରକଟ କରି ରେକର୍ଡ ପଞ୍ଚମ ଥର ପାଇଁ ନିର୍ବାଚିତ କରିବେ ଏବଂ ୨୧ ଟି ଲୋକସଭା ଆସନରେ ବିଜେଡ଼ିକୁ ଆଶୀର୍ବାଦ କରିବେ ।

Share

Leave a Reply

Your email address will not be published. Required fields are marked *

fifteen + 8 =