କାଳିଆ ବିବାଦରେ ସ୍ପଷ୍ଟିକରଣ ମାଗିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ବର (): ନିର୍ବାଚନ ସମୟରେ କାଳିଆ ସହାୟତା ପ୍ରଦାନ ଉପରେ ନିର୍ବାଚନ କମିଶନଙ୍କ ଅଙ୍କୁଶକୁ  ନେଇ ରାଜ୍ୟ ସରକାର ବାରମ୍ବାର ଅଭିଯୋଗ ଉଠାଉଛନ୍ତି । ଏ ନେଇ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ଯୋଜନା ସଂପର୍କରେ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ସାଂପ୍ରତିକ ସ୍ଥିତି ସଂପର୍କରେ ଜଣାଇ ଦିଆଯାଇଛି । ବିଧି ବ୍ୟବସ୍ଥା ଅନୁଯାୟୀ ନିର୍ବାଚନ ଆଚରଣବିଧି ଲାଗୁ ହୋଇଥିବା ସମୟରେ ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତାବ ମୁଖ୍ୟ ଶାସନ  ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କ୍ରିନିଂ କମିଟି ମାଧ୍ୟମରେ ଆସିବା ଆବଶ୍ୟକ ।

ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ଗତ ମାର୍ଚ୍ଚ ୧ ତାରିଖରେ ପ୍ରକାଶିତ ହୋଇଥିବା ଦରଖାସ୍ତ ମଧ୍ୟରୁ ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ କାଳିଆ ଯୋଜନା ଅଧିନରେ ଆର୍ଥିକ ସୁବିଧା ପାଇପାରିନଥିବା ୫ ଲକ୍ଷ ୬୪ ହଜାର ହିତାଧିକାରୀଙ୍କୁ ଏହି ସୁବିଧା ଯୋଗାଇ ଦେବା ପାଇଁ ଏକ ପ୍ରସ୍ତାବ ସ୍କ୍ରିନିଂ କମିଟି ଜରିଆରେ ନ ଦେଇ ସିଧାସଳଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ପାଇଁ ସେହିମାସ ୨୩ ତାରିଖରେ ପଠାଯାଇଥିଲା । ୧ ତାରିଖରେ ପ୍ରକାଶିତ ଦରଖାସ୍ତ ମଧ୍ୟରୁ ୨ ଲକ୍ଷ ୫୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୫ ଲକ୍ଷ ଭୂମିହୀନ କୃଷି ପରିବାରଙ୍କୁ ଏପ୍ରିଲ୍ ୧ ତାରିଖରୁ ଖରିଫ ସହାୟତା ଯୋଗାଇ ଦେବା ପାଇଁ ଅନୁମତି ଲୋଡ଼ାଯାଇଥିଲା । ଏହି ପ୍ରସ୍ତାବରେ ଉଲ୍ଲେଖ କରାଯାଇଥିଲା ଯେ,  ନିର୍ବାଚନ ଆଚରଣବିଧି ଲାଗୁ ହେବା ପୂର୍ବରୁ ଏଥିପାଇଁ ଆବଶ୍ୟକ ପ୍ରଶାସନିକ ତଥା ଆର୍ଥିକ ମଞ୍ଜୁରୀପ୍ରାପ୍ତ କରାଯାଇଥିଲା । କୃଷକମାନଙ୍କ ସମ୍ବନ୍ଧିତ ତଥ୍ୟ ସବୁଜ ଫର୍ମ ମାଧ୍ୟମରେ ସଂଗ୍ରହ କରାଯାଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ତଥା ଅନ୍ୟ ସର୍ବସାଧାରଣ ସ୍ଥାନମାନଙ୍କରେ ମାର୍ଚ୍ଚ ୧ ତାରିଖରୁ ପ୍ରକାଶିତ ହୋଇଥିଲା ।

ପ୍ରସ୍ତାବଟିକୁ ଯାଞ୍ଚ କରିବାରୁ ଦେଖାଗଲା ଯେ, ଏହି ବିଷୟରେ କୌଣସି ମତାମତ ଦେବା ପାଇଁ ତଥା ପ୍ରସ୍ତାବ ପ୍ରକ୍ରିୟା ନିମନ୍ତେ କେତେକ ତଥ୍ୟ ସଂପର୍କରେ ଅଧିକ ସ୍ପଷ୍ଟିକରଣର ଆବଶ୍ୟକତା ଥିଲା । ତେଣୁ ପ୍ରସ୍ତାବଟିକୁ ରାଜ୍ୟ ସରକାରଙ୍କୁ ରିଗ୍ରେଟ୍ କରି ଫେରାଇ ଦିଆଯାଇଥିଲା । ପୁନର୍ବାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସ୍କ୍ରିନିଂ କମିଟି ଜରିଆରେ କାଳିଆ ଯୋଜନା ପ୍ରସ୍ତାବକୁ ରାଜ୍ୟ ସରକାର ମାର୍ଚ୍ଚ ୨୭ ତାରିଖରେ ଦୁଇଟି ଅନୁରୋଧ ସହ ପ୍ରଦାନ କରିଥିଲେ । ଅନୁରୋଧରେ ମାର୍ଚ୍ଚ ୧ ତାରିଖରେ ପ୍ରକାଶିତ ଅତିରିକ୍ତ  ୫ ଲକ୍ଷ ୬୦ ହଜାର ହିତାଧିକାରୀଙ୍କୁ ୨୦୧୮-୧୯ ରବି ସହାୟତା ପ୍ରଦାନ ପାଇଁ ଅନୁମତି ଲୋଡ଼ାଯାଇଥିଲା । ଏଥିସହିତ ୨ ଲକ୍ଷ ୫୦ ହଜାର କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୫ ଲକ୍ଷ ଭୂମିହୀନ କୃଷି ପରିବାରକୁ ଏପ୍ରିଲ୍ ୧ ତାରିଖରୁ ଖରିଫ ସହାୟତା ଯୋଗାଇ ଦେବା ପାଇଁ ଅନୁମତି ମଗାଯାଇଥିଲା ।

ଏହି ପ୍ରସ୍ତାବକୁ ଅନୁଧ୍ୟାନ କରିବା ପରେ ମୁଖ୍ୟ ଶାସନ ସଚିବ ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବଙ୍କଠାରୁ ଅତିରିକ୍ତ ତଥ୍ୟ ଓ ସ୍ପଷ୍ଟିକରଣ ମଗାଯାଇଛି । ଏହି ତଥ୍ୟ ଏପର୍ଯ୍ୟନ୍ତ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇନାହିଁ ।

Share

Leave a Reply

Your email address will not be published. Required fields are marked *

3 + nineteen =