ଋଷ-ୟୁକ୍ରେନ୍ ଯୁଦ୍ଧ: ୩୫୨ ୟୁକ୍ରେନ୍ ନାଗରିକଙ୍କ ମୃତ୍ୟୁ,୧୬୮୪ ଆହତ

ଋଷର ଏକଛତ୍ରବାଦୀ ଶାସକ ବ୍ଲାଦିମୀର ପୁଟିନ ୟୁକ୍ରେନ୍‌ ଦଖଲ କରିବା ଆଶାରେ ୟୁକ୍ରେନ୍ ଉପରେ ଦୁର୍ବାର ଆକ୍ରମଣ ଜାରି ରଖିଛନ୍ତି। ୟୁକ୍ରେନବାସୀଙ୍କ ବିକଳକାନ୍ଦ କ୍ଷମତାନ୍ଧ ପୁଟିନ କାନରେ ପଡ଼ୁ ନାହିଁ। ତଥାପି ହାରିଯାଇ ନାହିଁ ୟୁକ୍ରେନ୍। ମରିବ ପଛେ ଜନ୍ମମାଟି ଉପରେ କାହାର ଦଖଲ ହେବାକୁ ଦେବନି, ଏଇ ନୀତିରେ ୟୁକ୍ରେନ୍‌ର ଆବାଳ ବୃଦ୍ଧ ବନିତା ଋଷ ସେନା ବିରୋଧରେ ବନ୍ଧୁକ ଉଠାଇଛନ୍ତି। ହେଲେ ଋଷ କିନ୍ତୁ ଆକ୍ରମଣ କରି ଆଗକୁ ଆଗକୁ ବଢ଼ି ଚାଲିଛି। ଜଳ,ସ୍ଥଳ ଓ ଆକାଶ ସବୁ ମାର୍ଗରୁ ଆକ୍ରମଣ କରିଚାଲିଛି ଋଷିଆ।

ସାଧାରଣଜନତାଙ୍କ ଉପରେ ଆକ୍ରମଣ କରିବ ନାହିଁ ବୋଲି ପୁଟିନ କହିଥିଲେ ବି ସେନାର ରକେଟ୍‌ ଓ ବୋମା ମାଡ଼ରେ ୟୁକ୍ରେନ୍‌ର ଶହ ଶହ ସାଧାରଣ ନାଗରିକଙ୍କ ମୃତ୍ୟୁ ହେଲାଣି। ୟୁକ୍ରେନ୍‌ ଆଭ୍ୟନ୍ତରୀଣ ମନ୍ତ୍ରାଳୟର ସୂଚନା ଅନୁସାରେ, ଋଷ ଆକ୍ରମଣରେ ୩୫୨ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଏଥିରେ ୧୪ ଶିଶୁ ରହିଛନ୍ତି। ସେହିପରି ୧,୬୮୪ ଲୋକ ଓ ୧୧୬ ଶିଶୁ ଆହତ ହୋଇଛନ୍ତି ବୋଲି ୟୁକ୍ରେନ୍ ସରକାର ସୂଚନା ଦେଇଛନ୍ତି।

ଅନ୍ୟପଟେ ଏହି ଯୁଦ୍ଧରେ ନିଜ ଦେଶର ଯବାନ ସହିଦ ହୋଇଥିବା ପ୍ରଥମ ଥର ପାଇଁ ମାନିଛି ଋଷ। ତେବେ କେତେ ଯବାନ ସହିଦ ହୋଇଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ରବିବାର ଋଷ ପ୍ରତିରକ୍ଷା ମନ୍ତ୍ରାଳୟର ପ୍ରବକ୍ତା ମାଜ୍ ଜେନ ଇଗୋର କୋନାଶେନ୍‌କୋଭ ସୂଚନା ଦେଇ କହିଛନ୍ତି “ଯୁଦ୍ଧରେ ଆମ ଯବାନଙ୍କର ମୃତ୍ୟୁ ହୋଇଛି। କେତେକ ଯବାନ ଆହତ ମଧ୍ୟ ହୋଇଛନ୍ତି। ତେବେ ୟୁକ୍ରେନ୍ ଠାରୁ ଋଷର ବହୁତ କମ କ୍ଷତି ହୋଇଛି।”  

ଗୁରୁବାର ଯୁଦ୍ଧ ଆରମ୍ଭ ହେବା ପର ଠାରୁ ଋଷ ୧,୦୬୭ ୟୁକ୍ରେନ୍ ସେନା ବେସ୍ ଉପରେ ଆକ୍ରମଣ କରିଛି। ଏଥିରେ ୨୭ଟି କମାଣ୍ଡ ପୋଷ୍ଟ ଓ କମ୍ୟୁନିକେଶନ ସେଣ୍ଟର, ୩୮ଟି ଏୟାର ଡିଫେନ୍ସ ମିଶାଇଲ ସିଷ୍ଟମ୍ ଏବଂ ୫୬ ରାଡାର ଷ୍ଟେସନକୁ ନଷ୍ଟ କରିଦେଇଛି ବୋଲି ଋଷର ପ୍ରତିରକ୍ଷା ମନ୍ତ୍ରାଳୟ ମୁଖ୍ୟ ପ୍ରବକ୍ତା ଇଗୋର କୋନାଶେନକୋଭ କହିଛନ୍ତି।

Share

Leave a Reply

Your email address will not be published. Required fields are marked *

one × 4 =