ଏଥର ଜାଗର ପର୍ବରେ ଭକ୍ତଙ୍କୁ ମିଳିବ ଅଧିକ ସୁବିଧା

ବ୍ରହ୍ମପୁର: ମଙ୍ଗଳବାର ମହାଶିବରାତ୍ରୀ, ପବିତ୍ର ଜାଗର ପର୍ବ। ଗତ ଦୁଇ ବର୍ଷ ହେବ କୋଭିଡ୍ ସଂକ୍ରମଣ ଭୟ ଓ ଆଶଙ୍କା ସାଙ୍ଗକୁ ଲକ୍‌ଡାଉନ୍- ସଟ୍‌ଡାଉନ୍ ଆଦି ଯାବତୀୟ କଟକଣା ହେତୁ ଜାଗର ପର୍ବ ନିରାଡ଼ମ୍ବର ଭାବେ ପାଳିତ ହୋଇ ଆସୁଥିଲା। କେବଳ ମନ୍ଦିର ଭିତରେ ପୂଜକଙ୍କ ଦ୍ୱାରା ପୂଜାର୍ଚ୍ଚନା ହେଉଥିଲା। ଭକ୍ତଙ୍କ ପାଇଁ ମନ୍ଦିର ପ୍ରବେଶ କିମ୍ବା ଦେବଦର୍ଶନ ବାରଣ ଥିଲା। ହେଲେ ରାଜ୍ୟ ସରକାରଙ୍କ ସଫଳ ନୀତି, ମୁକାବିଲା ଯୋଜନା ହେତୁ ରାଜ୍ୟରେ କରୋନା ତୃତୀୟ ଲହର ମଧ୍ୟ ପ୍ରଭାବହୀନ ହୋଇସାରିଲାଣି। ଦୈନିକ କୋଭିଡ୍- ୧୯ ସଂକ୍ରମିତଙ୍କ ସଂଖ୍ୟା ତଳମୁହାଁ ହୋଇ ଚାଲିଛି। ଚିକିତ୍ସାଧୀନ ରୋଗୀ ସଂଖ୍ୟା କ୍ରମେ ତଳକୁ ତଳ ଖସି ଆକ୍ରାନ୍ତମାନେ ଘରକୁ ଫେରୁଥିବାରୁ କୋଭିଡ୍ ହସ୍ପିଟାଲମାନ ଖାଲି ହେବାରେ ଲାଗିଛି। ଏଣୁ କେନ୍ଦ୍ର ସରକାରଙ୍କ ପରାମର୍ଶରେ ରାଜ୍ୟରେ ମଧ୍ୟ କରୋନା କଟକଣା ବେଶ୍।ମାତ୍ରାରେ କୋହଳ କରାଯାଇଛି। ଫଳରେ ଚଳିତ ବର୍ଷ ଜାଗର ଯାତ୍ରା ଅପେକ୍ଷାକୃତ ଅଧିକ ଭକ୍ତଙ୍କ ସମାଗମରେ ହେବାର ଆଶା ଉଜ୍ଜଳ ହୋଇଛି।

ଏହାକୁ ନଜରରେ ରଖି ଭକ୍ତ, ଶୈବ ପୀଠ କମିଟି ମାନଙ୍କ ତରଫରୁ ଜାଗର ଯାତ୍ରା ନେଇ ବଡ଼ ଧରଣର ପ୍ରସ୍ତୁତି କରାଯାଉଛି। ଯଦିଓ କୋଭିଡ୍ ସତର୍କତା ପ୍ରତି ସମସ୍ତେ ଗୁରୁତ୍ବ ଦେଉଛନ୍ତି ତଥାପି ଭକ୍ତମାନେ ଯେପରି ସୁରୁଖୁରୁରେ ଶମ୍ଭୁଦର୍ଶନ ସହ ପୂଜା କରିପାରିବେ ତାହାକୁ ଗୁରୁତ୍ବ ଦିଆଯାଉଛି। ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଯେପରି କୌଣସି ବାଧକ ରହିବନି ସେଥିପାଇଁ ଆବଶ୍ୟକ ଧ୍ୟାନ ରଖାଯାଉଛି। ସେହି ଦୃଷ୍ଟିରୁ ଏବେ ଚଳଚଞ୍ଚଳ ବିଭିନ୍ନ ଶୈବ ପୀଠ। ମନ୍ଦିର ଏବଂ ଚତୁଃପାର୍ଶ୍ଵ ସଫେଇ, ମୂର୍ତ୍ତି ଓ କାନ୍ଥକୁ ରଙ୍ଗୀନ କରାଯାଇଛି। ଜାଗର ଦୀପ ପ୍ରଜ୍ଜ୍ୱଳନ ନେଇ ମଧ୍ୟ ଆୟୋଜନ ଚୂଡ଼ାନ୍ତ କରାଯାଉଛି। ଏ ସମସ୍ତ ମଧ୍ୟରେ ମନ୍ଦିରକୁ ଦର୍ଶନ ଓ ପୂଜା ପାଇଁ ଆସିବା ବେଳେ ମାସ୍କ ପରିଧାନ, ସାମାଜିକ ଦୂରତ୍ବ ଆଦି ପ୍ରତି ମଧ୍ୟ ଫୋକସ୍ କରୁଛି ମନ୍ଦିର କମିଟି।

ରାଜ୍ୟର ଅନ୍ୟତମ ପୁରୁଣା ସହର ବ୍ରହ୍ମପୁର ମହୁରୀ ରାଜାଙ୍କ ଅମଳରେ ଅଷ୍ଟଶମ୍ଭୁ ପୀଠ ପାଇଁ ପରିଚିତ ଥିଲା। ସହର ଚାରିପାଖରେ ଅଳ୍ପ କିଛି ଦୂରତାରେ ଏସବୁ ମନ୍ଦିର ଅବସ୍ଥିତ। ପୁଣି ରେଶମ ସହର ମଧ୍ୟରେ ଅନେକ ଛୋଟବଡ଼ ଶିବ ମନ୍ଦିର ରହିଛି। ସେସବୁ ସ୍ଥାନରେ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି ଆୟୋଜକ। ସହରର ଅନ୍ୟତମ ପ୍ରସିଦ୍ଧ ନୀଳକଣ୍ଠେଶ୍ୱର ମନ୍ଦିରରେ ଏଥର ଜାଗର ପର୍ବ ଉପଲକ୍ଷେ ଆୟୋଜିତ ହେବ ନଟରାଜ ମହୋତ୍ସବ। ନୀଳକଣ୍ଠେଶ୍ଵର ମନ୍ଦିର ସେବା ପ୍ରତିଷ୍ଠାନ କମିଟି ଆନୁକୂଲ୍ୟରେ ଲକ୍ଷ୍ୟ ନାଟ୍ୟଶାଳା ସହଯୋଗରେ ଏହି ଦିନିକିଆ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶିବ ତାଣ୍ଡବ, ଜଗନ୍ନାଥାଷ୍ଟକମ୍ ଏବଂ ଅନ୍ୟାନ୍ୟ ଶାସ୍ତ୍ରୀୟ ରାଗ ଆଧାରିତ ସଙ୍ଗୀତ ପରିବେଷଣ କରିବେ ଆଚାର୍ଯ୍ୟ ଗୁରୁ ସିମାଞ୍ଚଳ।

ତେଲୁଗୁ ବ୍ରାହ୍ମଣ ସେବା ସଂଘ ସହଯୋଗରେ ହାଉସିଂ ବୋର୍ଡସ୍ଥିତ ଗାୟତ୍ରୀ ମନ୍ଦିର ଠାରେ ଦ୍ଵାଦଶ ସହସ୍ର ଦୀପ ଅଳଙ୍କରଣ ମହୋତ୍ସବ ଆୟୋଜିତ ହୋଇଛି। ମନ୍ଦିର ପରିସରରେ ବହୁ ସଂଖ୍ୟାରେ ମାଟି ଦୀପ ସାଙ୍ଗକୁ ସଳିତା ଏବଂ ଘିଅ ଦୀପ ପ୍ରସ୍ତୁତ କରାଯାଇଛି। ମହାଶିବରାତ୍ରୀ ଅବସରରେ ସନ୍ଧ୍ୟାରୁ କୁଙ୍କୁମାର୍ଚ୍ଚନ, ଆଳତୀ, ମନ୍ତ୍ରପୁଷ୍ପ ଏବଂ ଦ୍ବାଦଶ ସହସ୍ର ଦୀପ ଅଳଙ୍କରଣ ମହୋତ୍ସବ ହେବ। ସେହିପରି ସହର ନିକଟ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ଵର ମନ୍ଦିରକୁ ସାଜସଜ୍ଜା କରାଯାଇଛି। ଭକ୍ତଙ୍କ ପାଇଁ ଟେଣ୍ଟ, ପାନୀୟ ଜଳ, ଆଲୋକ, ପାର୍କିଂ ଆଦି ବ୍ୟବସ୍ଥା ସହ ୨୪ ଘଣ୍ଟିଆ ନାମଯଜ୍ଞ କରାଯାଉଛି। ତେବେ ଅଭିଷେକ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି। ମଙ୍ଗଳବାର ରାତ୍ର ୧୧ଟା ୩୦ରେ ଏଠା ମହାଦୀପ ଚଢ଼ାଯିବ

Share

Leave a Reply

Your email address will not be published. Required fields are marked *

19 + 7 =