ଟିସିଏସ୍ ଇନ୍କ୍ୱିଜିଟିଭ୍ ୨୦୨୬ର ଭୁବନେଶ୍ୱର ପର୍ଯ୍ୟାୟରେ ମଦର୍ସ ପବ୍ଲିକ୍ ସ୍କୁଲ୍ ବିଜୟୀ
ଟିସିଏସ୍ର ଏହି ପ୍ରମୁଖ କୁଇଜ୍ କାର୍ଯ୍ୟକ୍ରମ ଦେଶର ବିଭିନ୍ନ ସ୍ଥାନର ଯୁବ ପ୍ରତିଭାମାନଙ୍କୁ ଏକାଠି କରି ସେମାନଙ୍କୁ ତର୍କସହ ଚିନ୍ତା କରିବା, ନୂଆ ଧାରଣାକୁ ଆପଣାଇବା ଏବଂ ଜାତୀୟ ସ୍ତରରେ ନିଜ ଜ୍ଞାନ ପ୍ରଦର୍ଶନ କରିବାର ସୁଯୋଗ ଦେଉଛି।
ଭୁବନେଶ୍ୱର: ସୂଚନା ପ୍ରଯୁକ୍ତି ସେବା, ପରାମର୍ଶ ଓ ବ୍ୟବସାୟିକ ସମାଧାନ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ସଂସ୍ଥା ଟାଟା କନ୍ସଲ୍ଟାନ୍ସି ସର୍ଭିସେସ୍ (ଟିସିଏସ୍) (ବିଏସ୍ଇ: ୫୩୨୫୪୦, ଏନ୍ଏସ୍ଇ: ଟିସିଏସ୍) ଏହାର ପ୍ରମୁଖ ଆନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ‘ଟିସିଏସ୍ ଇନ୍କ୍ୱିଜିଟିଭ୍ ୨୦୨୬’ର ଭୁବନେଶ୍ୱର ପର୍ଯ୍ୟାୟ ଆୟୋଜନ କରିଛି। ପୂର୍ବ ଭାରତର ଅନେକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଏବଂ ନୂଆ ଉଦ୍ଭାବନକୁ ନେଇ ଗଢ଼ିଉଠୁଥିବା ପରିବେଶ ପାଇଁ ପରିଚିତ ଭୁବନେଶ୍ୱରରେ ଏହି ପ୍ରତିଯୋଗିତା ଜ୍ଞାନ, ଦଳଗତ କାର୍ଯ୍ୟ ଓ ତର୍କସହ ଚିନ୍ତା କରିବାର ଦକ୍ଷତା ପ୍ରଦର୍ଶନ ପାଇଁ ଏକ ଉତ୍କୃଷ୍ଟ ମଞ୍ଚ ପ୍ରଦାନ କରିଥିଲା। ଅନେକ ରୋମାଞ୍ଚକର ରାଉଣ୍ଡ ପରେ, ମଦର୍ସ ପବ୍ଲିକ୍ ସ୍କୁଲ୍ର ପୀୟୂଷ ସାମନ୍ତରାୟ ଏବଂ ପ୍ରତିଭାନ ମିଶ୍ର ଭୁବନେଶ୍ୱର ସଂସ୍କରଣର ବିଜେତା ଭାବେ ଉଭା ହୋଇ ନାସନାଲ୍ ସେମିଫାଇନାଲ୍ରେ ନିଜର ସ୍ଥାନ ପକ୍କା କରିଛନ୍ତି।
ଭୁବନେଶ୍ୱର ସଂସ୍କରଣରେ ୧୮ଟି ସ୍କୁଲ୍ରୁ ୧୩୭ଟି ଟିମ୍ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଟିସିଏସ୍ ଭୁବନେଶ୍ୱରର ସେଣ୍ଟର ହେଡ୍ ବିଭୁ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
କୃତ୍ରିମ ବୁଦ୍ଧିମତ୍ତାର ବ୍ୟବହାରକୁ ଦେଖାଇବା ସହ ଚଳିତ ବର୍ଷର ଟିସିଏସ୍ ଇନ୍କ୍ୱିଜିଟିଭ୍ରେ ତତ୍କ୍ଷଣାତ୍ ତଥ୍ୟ ବିଶ୍ଳେଷଣ ପାଇଁ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହାଦ୍ୱାରା ପ୍ରତ୍ୟେକ ପର୍ଯ୍ୟାୟ ପରେ ଅଂଶଗ୍ରହଣକାରୀମାନେ ନିଜ ପ୍ରଦର୍ଶନ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଖିପାରିବେ ଏବଂ କେଉଁ କ୍ଷେତ୍ରରେ ଆହୁରି ଉନ୍ନତି କରିବା ଦରକାର, ତାହା ଶୀଘ୍ର ଜାଣିପାରିବେ।
ଟିସିଏସ୍ ଭୁବନେଶ୍ୱରର କେନ୍ଦ୍ର ମୁଖ୍ୟ ବିଭୁ ପଣ୍ଡା କହିଛନ୍ତି, “ଶିକ୍ଷା, ପ୍ରଯୁକ୍ତି ଓ ନୂଆ ଉଦ୍ଭାବନର ଏକ ସକ୍ରିୟ କେନ୍ଦ୍ର ଭାବେ ଭୁବନେଶ୍ୱର ନିଜର ସ୍ଥାନକୁ ଆହୁରି ମଜବୁତ କରୁଥିବା ବେଳେ ଆମ ଯୁବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାଣିବାର ଆଗ୍ରହ, ଆତ୍ମବିଶ୍ୱାସ ଓ ଶିଖିବା ପ୍ରତି ଉତ୍ସାହ ଦେଖି ଖୁସି ଲାଗୁଛି। ଆଜିର ଆଞ୍ଚଳିକ ଫାଇନାଲ୍ରେ ପ୍ରତିଯୋଗିତାର ମାନ ବହୁତ ଉଚ୍ଚ ଥିଲା। ଅଂଶଗ୍ରହଣକାରୀମାନେ ବିଷୟ ସମ୍ପର୍କିତ ଭଲ ଜ୍ଞାନ, ଆତ୍ମବିଶ୍ୱାସ ଓ ଦଳଗତ କାର୍ଯ୍ୟର ଉତ୍କୃଷ୍ଟ ଉଦାହରଣ ଦେଇଥିଲେ। ବିଜେତାମାନଙ୍କୁ ସେମାନଙ୍କ ଯୋଗ୍ୟ ସଫଳତା ପାଇଁ ଅଭିନନ୍ଦନ ଜଣାଉଛୁ। ମୁମ୍ବାଇରେ ହେବାକୁ ଥିବା ଜାତୀୟ ସେମିଫାଇନାଲ୍ରେ ସେମାନଙ୍କ ପ୍ରଦର୍ଶନ ଦେଖିବାକୁ ଆମେ ଉତ୍ସୁକ।”
ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଟିସିଏସ୍ ଇନ୍କ୍ୱିଜିଟିଭ୍ରେ ଶିକ୍ଷା, ମନୋରଞ୍ଜନ, କ୍ରୀଡ଼ା, ବ୍ୟବସାୟର ନୂଆ ଧାରା, ବିଜ୍ଞାପନ ଓ ସାମାଜିକ ଗଣମାଧ୍ୟମ ଭଳି ବିଭିନ୍ନ ବିଷୟକୁ ନେଇ ରୋଚକ ପ୍ରଶ୍ନ ରହିଥାଏ। ବିଜ୍ଞାନ, ପ୍ରଯୁକ୍ତି, ଇଞ୍ଜିନିୟରିଂ ଓ ଗଣିତ ଉପରେ ଅଧିକ ଗୁରୁତ୍ୱ ଦେଇ ଏହି କୁଇଜ୍ରେ କୃତ୍ରିମ ବୁଦ୍ଧିମତ୍ତା, ଦୂରସ୍ଥ ସର୍ଭର ଆଧାରିତ ତଥ୍ୟ ସେବା, ସ୍ୱୟଂଚାଳନ, ଜୈବ ପରିଚୟ ପ୍ରଣାଳୀ ଓ ରୋବୋଟିକ୍ସ ଭଳି ବିଷୟକୁ ମଧ୍ୟ ସାମିଲ କରାଯାଇଛି।
ଏହି ପ୍ରତିଯୋଗିତା ଚଳିତ ବର୍ଷ ୨୮ତମ ବର୍ଷରେ ପହଞ୍ଚିଛି। ଏହା ଦେଶର ଅନ୍ୟତମ ପ୍ରତିଷ୍ଠିତ ଆନ୍ତଃବିଦ୍ୟାଳୟ କୁଇଜ୍ ମଞ୍ଚ ଭାବେ ପରିଚିତ। ଏହା ଅନେକ ପିଢ଼ିର ଛାତ୍ରଛାତ୍ରୀଙ୍କୁ ନୂଆ ବିଷୟ ଜାଣିବା, ନିଜ ଚିନ୍ତାଧାରାକୁ ବ୍ୟାପକ କରିବା ଏବଂ ଚାରିପାଖର ଦୁନିଆକୁ ଭଲ ଭାବେ ବୁଝିବା ପାଇଁ ପ୍ରେରଣା ଦେଇଆସୁଛି।
୨୦୨୬ର ଏହି ପ୍ରତିଯୋଗିତା ପୁଣେ, ଇନ୍ଦୋର, ବେଙ୍ଗାଲୁରୁ, ଅହମଦାବାଦ, ନାଗପୁର, ହାଇଦ୍ରାବାଦ, ଚେନ୍ନାଇ, ଦିଲ୍ଲୀ, ଭୁବନେଶ୍ୱର, କୋଚି, କୋଲକାତା ଓ ମୁମ୍ବାଇରେ ଆୟୋଜିତ ହେଉଛି। ଶେଷରେ ଜାତୀୟ ଫାଇନାଲ୍ରେ ଦେଶର ଶ୍ରେଷ୍ଠ ଯୁବ କୁଇଜ୍ ପ୍ରତିଯୋଗୀମାନେ ‘ଟିସିଏସ୍ ଇନ୍କ୍ୱିଜିଟିଭ୍ ଜାତୀୟ ବିଜେତା ୨୦୨୬’ ଉପାଧି ପାଇଁ ପ୍ରତିଯୋଗିତା କରିବେ।

